ବିମାନବନ୍ଦରରେ ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡୀଙ୍କ ଉପରେ ମରଣାନ୍ତକ ଆକ୍ରମଣ । ସେଲଫି ନେବା ବାହାନାରେ ଛୁରୀ ଭୁଷିଦେଲେ ଆକ୍ରମଣକାରୀ

24

ବିଶାଖାପାଟଣା ବିମାନବନ୍ଦରରେ ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ବିମାନବନ୍ଦର ପରିସରରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ଛୁରାମାଡରେ ଆହତ ହୋଇଛନ୍ତି ଜଗନମୋହନ । ତାଙ୍କ ବାମ ହାତରେ ଛୁରାମାଡ ହୋଇଛି । ଫଳରେ ବଡ ଧରଣର ଆଘାତରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଗନମୋହନ । ବିମାନବନ୍ଦର ପରିସରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ସେ ହାଇଦ୍ରାବାଦ ଯାଇଛନ୍ତି । ସୁରକ୍ଷିତ ଭାବେ ହାଇଦ୍ରାବାଦରେ ପହଞ୍ଚିବା ପରେ ଟ୍ୱିଟ୍ କରି ଜଗନମୋହନ କହିଛନ୍ତି, ଆନ୍ଧ୍ରପ୍ରଦେଶର ଜନତା ଓ ଭଗବାନଙ୍କ କୃପା ଯୋଗୁଁ ମୋର ବିଶେଷ କ୍ଷତି ହୋଇନାହିଁ ।


ଏହାପୂର୍ବରୁ ବିମାନବନ୍ଦରରେ ଜଗନମୋହନଙ୍କ ଉପରେ ଆକ୍ରମଣ ହେବାର କିଛି ସମୟ ମଧ୍ୟରେ ସିଆଇଏସଏଫ୍ ଯବାନ ମାନେ ଆକ୍ରମଣକାରୀଙ୍କୁ କାବୁ କରିଥିଲେ । ପରେ ତାଙ୍କୁ ହାଜତକୁ ନିଆଯାଇଛି । ଆକ୍ରମଣକାରୀ ଯୁବକ ବିଶାଖାପାଟଣା ବିମାନବନ୍ଦର କ୍ୟାଣ୍ଟିନରେ ସର୍ଭର ଭାବେ କାମ କରନ୍ତି ବୋଲି ଜଣାପଡିଛି । ଆକ୍ରମଣକାରୀ ଜଗନ ମୋହନ ରେଡ୍ଡୀଙ୍କ ସହ ସେଲଫି ନେବାକୁ ଉଦ୍ୟମ କରିବା ବେଳେ ଛୁରି ମାରିଛନ୍ତି। ଏହି ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ।

ଏହି ୪୫ ବର୍ଷିୟ ଜଗନ୍ ହେଉଛନ୍ତି ଆନ୍ଧ୍ରପ୍ରଦେଶର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍ ରାଜଶେଖର ରେଡ୍ଡୀଙ୍କ ପୁତ୍ର। କଂଗ୍ରେସ ପାର୍ଟି ଛାଡ଼ିବାର ପ୍ରାୟ ଚାରି ମାସ ପରେ ୨୦୧୧ ମାର୍ଚରେ ସେ ଓ୍ଵାଇଏସଆର୍ କଂଗ୍ରେସ ପାର୍ଟି ଗଠନ କରିଥିଲେ। ମେ ୨୦୧୪ ନିର୍ବାଚନରେ ତାଙ୍କ ଦଳ ରାଜ୍ୟ ଦ୍ୱିତୀୟ ବୃହତ୍ତମ ବିଜୟୀ ଦଳ ହେବା ପରେ ସମ୍ପ୍ରତି ଜଗନ ଆନ୍ଧ୍ରପ୍ରଦେଶ ବିଧାନସଭାରେ ବିରୋଧୀ ଦଳର ନେତା ଅଛନ୍ତି। ଜଗନ କଡ଼ପା ନିର୍ବାଚନ ମଣ୍ଡଳୀରୁ ଜଣେ କଂଗ୍ରେସ ସଦସ୍ୟ ଭାବେ ୨୦୦୯ରେ ନିର୍ବାଚନ ଜିଣିଥିଲେ।