ଜଗମୋହନ ମରାମତି ମାମଲା ! ହାଇକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ

45

କନକ ବ୍ୟୁରୋ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଜଗମୋହନର ମରାମତି କାର୍ଯ୍ୟର ଅଗ୍ରଗତି ଓ ସାନି ସ୍ଥିତି ନେଇ ହାଇକୋର୍ଟରେ ରାଜ୍ୟ ପୂର୍ତ୍ତ ବିଭାଗ ଓ ଇଂଜିନିୟର ଏନ୍‌.କେ.ମହାନ୍ତି କମିଟି ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛନ୍ତି । ପୂର୍ତ୍ତବିଭାଗ ମୁଖ୍ୟଯନ୍ତ୍ରୀ(ବିଲ୍ଡିଂସ୍‌) ଏସ୍‌. ଆର୍‌. ସେଠୀଙ୍କ ପକ୍ଷରୁ ଦାଖଲ ଷ୍ଟାଟସ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୧୭, ଜୁନ୍‌ ୨ ତାରିଖ ସୁଦ୍ଧା ଷ୍ଟେନଲେସ୍‌ ଷ୍ଟିଲ୍‌ ପୋର୍ଟାଲ ଫ୍ରେମ୍‌ କାମ ସଂପୂର୍ଣ୍ଣ ହୋଇଛି । ଇତିମଧ୍ୟରେ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ସୁପରିନ୍‌ଟେଣ୍ଡିଂ ଆର୍କିଓଲୋଜିଷ୍ଟଙ୍କ ନିକଟରୁ ଏକ ଚିଠି ପୂର୍ତ୍ତ ବିଭାଗକୁ ଲେଖାଯାଇଛି ।

ଏହି ଚିଠିରେ ଜଗମୋହନ ଛାତର ଭିତର ପାଖକୁ ସୁରକ୍ଷା ଦେବା ପାଇଁ ଅନୁରୋଧ କରାଯାଇଥିଲା । ଷ୍ଟେନଲେସ୍‌ ଷ୍ଟିଲ୍‌ ଦ୍ୱାରା ଭିତର ଛାତକୁ ସମର୍ଥନ ଦେବା ପାଇଁ ବ୍ୟବସ୍ଥା କରିବା ଲାଗି ଏଏସଆଇ ପକ୍ଷରୁ ଚିଠି ମାଧ୍ୟମରେ ଅନୁରୋଧ କରାଯାଇଥିଲା । ଏହାପରେ ଏହି କାମର ଡ୍ରଇଂ ଏଏସଆଇ ପ୍ରଦାନ କରିଥିଲା । ଜୁଲାଇ ୭ ତାରିଖରୁ ଏହି ମରାମତି କାର୍ଯ୍ୟ ଆରମ୍ଭ ହୋଇଛି ଓ ୨୦୧୭, ଅକ୍ଟୋବର ୩୧ ସୁଦ୍ଧା ସଂପୂର୍ଣ୍ଣ କରିବା ପାଇଁ ଯୋଜନା ରହିଛି ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ଦର୍ଶାଯାଇଛି ।

ସେହିଭଳି ଶ୍ରୀ ମହାନ୍ତିଙ୍କ ପକ୍ଷରୁ ଦାଖଲ ଷ୍ଟାଟସ୍‌ ରିପୋର୍ଟରେ ଦର୍ଶାଯାଇଛି ଯେ ଜଗମୋହନ ଭିତର ଛାତ ମରାମତି କାମ ଚାଲିଛି । ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ, ଗଜପତି ମହାରାଜା ଓ ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କ ଉପସ୍ଥିତିରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । କଣ ସବୁ ଆଉ ମରାମତି ଆବଶ୍ୟକ ତାହା ଉପରେ ଆଲୋଚନା କରାଯାଇଛି ଏଥି ସହିତ ଜଗମୋହନର ସୁରକ୍ଷା ପାଇଁ ଭିତରେ ମରାମତି କାର୍ଯ୍ୟ କରାଯାଇଥିବା ବେଳେ ବାହାର ପଟ ବାଡ ଉପରେ କେତେକ ମରାମତି ଆାବଶ୍ୟକ ।

ଏ ସଂକ୍ରାନ୍ତରେ ଏଏସଆଇ ବ୍ୟୟ ଅଟକଳ ଓ ଅନ୍ୟାନ୍ୟ ପ୍ରସଂଗକୁ ନେଇ ମୁଖ୍ୟ କାର୍ଯ୍ୟଳୟରେ ରିପୋର୍ଟ ଦାଖଲ ପରେ କାର୍ଯ୍ୟ ଆରମ୍ଭ ହେବ । ଅନ୍ୟପକ୍ଷରେ ଏଏସଆଇ ପକ୍ଷରୁ ଶୁଣାଣି ସମୟରେ ଦର୍ଶାଯାଇଥିଲା ଯେ ଜଗମୋହନ ଭିତର ଛାତ ମରାମତି ପ୍ରସଂଗରେ ପୂର୍ତ୍ତ ବିଭାଗକୁ ଚିଠି ଲେଖାଯିବା ପରେ କାମ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପରିସରରେ ଆଉ କେତେକ ମରାମତି କାର୍ଯ୍ୟ ମଧ୍ୟ ଚାଲିଛି । ଏହି ସବୁ କାମ ଆସନ୍ତା ନଭେମ୍ବର ମଧ୍ୟ ଭାଗରେ ସରିବ ବୋଲି ଯୋଜନା ରହିଛି ।

ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଜଷ୍ଟିସ କେ.ଆର୍‌.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ନଭେମ୍ବର ପ୍ରଥମ ସପ୍ତାହରେ ମରାମତି କାର୍ଯ୍ୟର ସାନି ଷ୍ଟାଟସ୍‌ ରିପୋର୍ଟ ଦାଖଲ ପାଇଁ ପୂର୍ତ୍ତ ବିଭାଗ ଓ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୮ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି ।

ଜଗମୋହନର ସ୍ଥିତି ନିୟମିତ ଅନୁଧ୍ୟାନ ଉପରେ ଶୁଣାଣି ସମୟରେ ଖଣ୍ଡପୀଠ ଗୁରୁତ୍ୱାରୋପ କରିଥିଲେ । ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ, ତ୍ରିଲୋଚନ ଦାଶ, ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ଓ ଶ୍ରୀଜଗନ୍ନାଥ ମନ୍ଦିର ତରଫରୁ ଆଇନଜୀବୀ ସୁବ୍ରତ ଶତପଥୀ ମାମଲା ପରିଚାଳନା କରୁଛନ୍ତି ।