କାନାଡର ପ୍ରମୁଖ ରାଜନୈତିକ ଦଳର ନେତୃତ୍ୱ ନେବେ ଶିଖ ରାଜନେତା ଜଗମିତ୍ ! ପ୍ରଥମ ଶିଖ୍ ଭାବେ ଗୌରବ ଅର୍ଜନ କଲେ

44

ବିଦେଶ ମାଟିରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବ ଦେଖାଇଲେ ଜଲୱା ।ପ୍ରଥମ ଶିଖ ରାଜନେତା ଭାବେ ଜଗମିତ ସିଂହ କାନାଡାର ଏକ ବୃହତ୍ ରାଜନୈତିକ ଦଳ ନ୍ୟୁ ଡେମୋକ୍ରାଟିକ୍ ପାର୍ଟି (ଏନଡିପି) ର ନେତୃତ୍ୱ ନେବେ। ୩୮ ବର୍ଷୀୟ ଆଇନଜୀବୀ ଜଗମିତ୍ ସଂଖ୍ୟାଲଘୁ ଗୋଷ୍ଠୀର ପ୍ରଥମ ସଦସ୍ୟ, ପ୍ରଥମ ଭାରତୀୟ ଓ ପ୍ରଥମ ଶିଖ ଭାବେ କାନାଡାର ୩ଟି ବୃହତ୍ ଜାତୀୟ ରାଜନୈତିକ ଦଳ ମଧ୍ୟରୁ ଗୋଟିଏର ନେୃତୃତ୍ୱ ନେବାର ସୁଯୋଗ ପାଇଛନ୍ତି।

ଟରଣ୍ଟୋର ୱେଷ୍ଟିନ ହାରବର କାଷ୍ଟଲ ହୋଟେଲର ମେଟ୍ରୋପଲିଟାନ ବଲରୁମରେ ପ୍ରଥମ ବାଲଟ୍ ଫଳାଫଳରେ ଜଗମିତ୍ ବିଜୟୀ ହୋଇଛନ୍ତି। ଏନଡିପିର ନେତୃତ୍ୱ ନେବାପାଇଁ ଆବଶ୍ୟକ ୫୦ ପ୍ରତିଶତ ଭୋଟ୍ ଅତି ସହଜରେ ହାସଲ କରିଛନ୍ତି ଜଗମିତ୍। ଅକ୍ଟୋବର ୨୦୧୯ରେ କାନାଡାରେ ହେବାକୁ ଥିବା ପରବର୍ତ୍ତୀ ସଂଘୀୟ ନିର୍ବାଚନରେ ସେ ଏନଡିପିର ନେତୃତ୍ୱ ନେବେ। ସିଂହ ତାଙ୍କ ବିଜୟକୁ ଅବିଶ୍ୱସନୀୟ ବୋଲି ବର୍ଣ୍ଣନା କରିଛନ୍ତି। ଏଥିସହ କାନାଡାର ନେତୃତ୍ୱ ନେବାପାଇଁ ୨୦୧୯ର ଦୌଡ଼ ଏବେଠାରୁ ଆରମ୍ଭ ହେଲା ବୋଲି କହିଛନ୍ତି। ସେ କହିଛନ୍ତି କାନାଡା ବାସିନ୍ଦାମାନେ ସେପରି ସରକାର ପାଇବା ଯୋଗ୍ୟ ଯେଉଁ ସରକାର ଲୋକମାନଙ୍କ ବର୍ତ୍ତମାନର ସମସ୍ୟାକୁ ଠିକ୍ ଭାବେ ବୁଝିପାରୁଥିବ ଏବଂ ସମ୍ପାଦନ କରିପାରୁଥିବ।

ଏଥିସହିତ କାନାଡାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପଦପାଇଁ ତାଙ୍କର ନିର୍ବାଚନୀ ପ୍ରଚାର ଅଫିସିଆଲି ଆଜିଠାରୁ ଆରମ୍ଭ ହେଲା ବୋଲି ଘୋଷଣା କରିଛନ୍ତି। ୩ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାଜିତ କରି ସିଂହ ଏନଡିପିର ନୂଆ ମୁଖ୍ୟ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ୨୦୧୩ରେ ଭାରତ ସରକାର ତାଙ୍କୁ ଭିସା ଦେବାକୁ ମନା କରିଥିଲେ। ଜଗମିତ୍ ଓଣ୍ଟାରିୟୋ ପ୍ରୋଭିନ୍ସଆଲ ସଂସଦର ଜଣେ ସଦସ୍ୟ ଏବଂ ସେ ବ୍ରାମେଲା-ଗୋର-ମାଲ୍ଟନ୍କୁ ପ୍ରତିନିଧିତ୍ୱ କରୁଛନ୍ତି। ଜଗମିତ୍ଙ୍କ ବିଜୟରେ ତାଙ୍କ ପ୍ରଶଂସକମାନେ ଅତ୍ୟନ୍ତ ଆନନ୍ଦିତ ହୋଇ ପଡ଼ିଛନ୍ତି।