ଜଗା-ବଳିଆ ଅଲଗା ହେବା ପରେ ଦୁଇଟି ମସ୍ତିଷ୍କର ସଂଚାଳନ ଉପରେ ନଜର ରଖିଛନ୍ତି ବିଶେଷଜ୍ଞ : ଡାକ୍ତର କହିଲେ, ସ୍ୱତନ୍ତ୍ର ଭାବେ ଦୁଇ ମସ୍ତିଷ୍କ କାମ କରିବା ସବୁଠୁ ବଡ଼ ଚ୍ୟାଲେଂଜ

26

କନକ ବ୍ୟୁରୋ : ଦିଲ୍ଲୀ ଏମ୍ସର ଭେଂଟିଲେଟରରେ ଜଗା-ବଳିଆ । ଯୋଡାମୁଣ୍ଡରୁ ପୃଥକ ହେବା ପରେ ଅଲଗା ଅଲଗା ଚାଲିଛି ଚିକିତ୍ସା । ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ତଥାପି ସଙ୍କଟ ଟଳିନି । ସବୁଠାରୁ ବଡ କଥା ହେଉଛି, ଅପରେସନ ପରେ ଦୁଇ ଶିଶୁଙ୍କ ମସ୍ତିଷ୍କ ଟିସୁ, ଶିରା ପ୍ରଶିରା ଏବଂ ଗୁରୁତ୍ୱପୂର୍ଣ୍ଣ ରକ୍ତ ବାହିକା ଅଲଗା ହୋଇଛି । ବର୍ତମାନ ସ୍ୱତନ୍ତ୍ର ଭାବେ ଦୁଇ ଜଣଙ୍କର ମସ୍ତିଷ୍କ କାମ କରୁଛି । ଜଗା-ବଳିଆର ନିଜ ନିଜ ମସ୍ତିଷ୍କକୁ ସ୍ୱତନ୍ତ୍ର ଭାବେ ରକ୍ତ ସଂଚାଳନ ହେଉଛି ।

ଏମ୍ସ ନ୍ୟୁରୋସର୍ଜନଙ୍କ ମତରେ ଏବେ ପ୍ରକୃତ ଚ୍ୟାଲେଂଜ ହେଉଛି ସ୍ୱତନ୍ତ୍ର ଭାବେ ଦୁଇଟି ମସ୍ତିଷ୍କ କିପରି ପୃଥକ ପୃଥକ କାମ କରିବ । କାରଣ, ଜନ୍ମରୁ ଦୁଇଟି ଦୃଷ୍ଟିକୋଣରୁ ଉଭୟଙ୍କ ମସ୍ତିଷ୍କ ପରସ୍ପର ଉପରେ ନିର୍ଭରଶୀଳ । ଗୋଟିଏ ହେଉଛି, ମନସ୍ତାତ୍ତ୍ୱିକ ଭାବେ ପରସ୍ପର ସହ ନିର୍ଭରଶୀଳ ଏବଂ ଅନ୍ୟଟି ହେଉଛି, ଶାରୀରିକ ଭାବେ ମଧ୍ୟ ଗୋଟିଏ ମସ୍ତିଷ୍କ ଆଉ ଗୋଟିଏ ମସ୍ତିଷ୍କ ଉପରେ ନିର୍ଭରଶୀଳ । ଏବେ ଅଲଗା ହେବା ପରେ ଦୁଇଟି ମସ୍ତିଷ୍କ ସ୍ୱତନ୍ତ୍ର ଭାବେ କାମ କରିବାକୁ କିଭଳି ସକ୍ଷମ ହେବେ ତା ଉପରେ ଡାକ୍ତର ମାନେ ନଜର ରଖିଛନ୍ତି । ଏଥିସହ ଯୋଡାମୁଣ୍ଡରୁ ଅଲଗା ହେବା ପରେ ଦୁଇ ଜଣଙ୍କ ଶରୀର ବି କିଭଳି ଅଲଗା ଅଲଗା କାମ କରିବ ତା ଉପରେ ବି ନଜର ରହିଛି । ଏଭଳି ଜଟିଳ କେସରେ ଅପରେସନ ପରେ ମସ୍ତିଷ୍କର ମନସ୍ତତ୍ୱ ସଂପୂର୍ଣ୍ଣ ଭାବେ ବଦଳିଯାଏ । ପୂର୍ବରୁ ଦୁଇ ଶିଶୁଙ୍କ ମସ୍ତିଷ୍କ ପରସ୍ପର ଉପରେ ନିର୍ଭରଶୀଳ ଥିବା ବେଳେ ଅଲଗା ହେବା ପରେ ଜଣଙ୍କ ବିନା ଆଉ ଜଣଙ୍କ ମସ୍ତିଷ୍କ କିଭଳି ସଂଚାଳନ ହେବ ତାହା ହିଁ ସବୁଠାରୁ ବଡ ଚ୍ୟାଲେଂଜ ।

ଏମ୍ସ ଡାକ୍ତରଙ୍କ ମତରେ ଏହି ୨୭ ମାସର ଦୁଇ ଶିଶୁଙ୍କ ପାଇଁ ଆଗାମୀ ୧୮ ଦିନ ବହୁ ଗୁରୁତ୍ୱପୂଣ୍ଣ । ଏହି ସମୟ ମଧ୍ୟରେ ଦୁଇଟି ଶରୀର ଓ ଦୁଇଟି ମସ୍ତିଷ୍କ ସ୍ୱତନ୍ତ୍ର ଭାବେ କାମ କରିବାକୁ ସ୍ୱାଭାବିକ ଭାବେ ପ୍ରୟାସ କରିବେ ଏବଂ ଏଥିରେ ଉଭୟ ସକ୍ଷମ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଅପରେସନ ପରେ ଜଗାର ହାର୍ଟ ଓ ବଳିଆର କିଡନୀରେ ସମସ୍ୟା ଦେଖାଯାଇଛି । କାହିଁକି ନା ବଳିଆର ରକ୍ତସଂଚାଳନ ଜଗା ଦେହରେ ଅଧିକ ପରିମାଣରେ ହେଉଥିବାରୁ ହାର୍ଟ ଉପରେ ଚାପ ପଡିଥିଲା । ସେହିପରି ଅଧିକ ପରିମାଣର ଔଷଧ ବଳିଆ ଦେହକୁ ଯାଇଥିବାରୁ ବଳିଆର କିଡନୀରେ ସମସ୍ୟା ଦେଖାଦେଇଛି ।

ତୃତୀୟ ପର୍ଯ୍ୟାୟରେ ଚର୍ମ ଆବରଣ ଭିତରେ ଥିବା ମସ୍ତିଷ୍କର ଅଂଶକୁ ଖପୁରୀ ଆବରଣ ଦିଆଯିବ । ଏହା ସହ କୃତ୍ରିମ ଶିରାପ୍ରଶିିରା ମାଧ୍ୟମରେ ମସ୍ତିଷ୍କକୁ ରକ୍ତ ସଂଚାଳନକୁ ସ୍ୱାଭାବିକ କରାଯିବ । ସେପଟେ ହୃତପିଣ୍ଡ, ଫୁସଫୁସ ଏବଂ କିଡନୀକୁ ସ୍ୱଭାବିକ ରକ୍ତ ସଂଚାଳନ ଉପରେ ଡାକ୍ତର ଗୁରୁତ୍ୱ ଦେବେ । ଏହାପରେ ଜଗାବଳିଆଙ୍କ ଏକ ଦୀର୍ଘମିଆଦୀ ଚିକିତ୍ସା ଜାରି ରହିବ ।