ଫିଟ୍ ହୋଇ ଜଗା ଡ୍ରମ ସହ ଖେଳୁଛି, ମାଆ କୋଳରେ ଅଛି ବଳିଆ । ଦିଲ୍ଲୀ ଏମ୍ସରେ ଅନୁଧ୍ୟାନ କଲେ ରାଜ୍ୟ ସରକାରଙ୍କ ଟିମ୍

156

କନକ ବ୍ୟୁରୋ : ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଜଗାବଳିଆଙ୍କୁ ଆଜି ଓଡିଶା ସରକାରଙ୍କ ଏକ ପ୍ରତିନିଧି ମଣ୍ଡଳି ଭେଟିଛନ୍ତି । ଜଗା-ବଳିଆଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ସହ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ପ୍ରତିନିଧି ଦଳ । ଜଗାର ସ୍ୱାସ୍ଥ୍ୟବସ୍ଥା ଖୁବ୍ ଭଲ ଥିବାବେଳେ ବଳିଆର ଅବସ୍ଥାରେ ଉନ୍ନତି ପାଇଁ ଆଉ କିଛି ଦିନ ସମୟ ଲାଗିବ ବୋଲି କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର ।

ଜଗା ଖେଳୁଥିିବାବେଳେ ବଳିଆ ମାଆ କୋଳରେ ଶୋଇଥିବା ଦେଖିବାକୁ ମିଳିଛି । ତେବେ ବଳିଆର ଓଜନ ବୟସ ତୁଳନାରେ ଏବେ କମ୍ ରହିଛି ଓ ସ୍ନାୟୁଗତ ସମସ୍ୟା ଥିବା କାରଣରୁ ତାକୁ ଗ୍ୟାଷ୍ଟ୍ରୋଷ୍ଟୋମି ଟ୍ୟୁବ୍ ଦ୍ୱାରା ଖାଇବାକୁ ଦିଆଯାଉଛି ବୋଲି ଜଣାପଡିଛି । ଜଗା-ବଳିଆଙ୍କୁ ସ୍ୱାସ୍ଥ୍ୟବସ୍ଥାର ଅନୁଧ୍ୟାନ କରିବା ପାଇଁ ଆଜି ଅଭିଜ୍ଞ ଡାକ୍ତରୀ ଦଳ ସହ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଶାଳୀନି ପଣ୍ଡିତ୍ ଦିଲ୍ଲୀ ଏମ୍ସ ଯାଇଥିଲେ ।

ପୂର୍ବରୁ ଜଗାର ସ୍ୱାସ୍ଥ୍ୟରେ ସୁଧାର ଆସୁଥିବା ବେଳେ ବଳିଆର ସ୍ୱାସ୍ଥ୍ୟରେ ଉନ୍ନତି ହେଉନଥିବା ଖବର ମିଳିଥିଲା । ଏହାପରେ ରାଜ୍ୟ ସରକାର ପକ୍ଷରୁ ଜଗାବଳିଆ ସୁସ୍ଥ ହେବାଯାଏଁ ଦିଲ୍ଲୀ ଏମ୍ସରେ ରଖି ଚିକିତ୍ସା କରିବାକୁ ଅନୁରୋଧ କରିଥିଲେ । ଗତ ବର୍ଷ ଅକ୍ଟୋବର ମାସରେ ଯୋଡାମୁଣ୍ଡ ଶିଶୁ ଜଗା ବଳିଆଙ୍କୁ ବିରଳ ଅସ୍ତ୍ରୋପ୍ରଚାର କରାଯାଇ ଉଭୟଙ୍କୁ ଅଲଗା କରାଯାଇଥିଲା ।