ହସପିଟାଲ ଜାରି କଲା ମାଆ କୋଳରେ ଜଗାର ଫଟୋ : ଖାଉଛି ତରଳ ଖାଦ୍ୟ ଶୁଣୁଛି ମେଲୋଡି ଗୀତ

43

କନକ ବ୍ୟୁରୋ : ମାଆ କୋଳରେ ବସିଛି ଜଗା । ଏମିତି ଏକ ଖୁସି ଖବର ଆସିଛି ଦିଲ୍ଲୀ ଏମସରୁ । ବଳିଆଠୁଁ ଜଗା ଅଲଗା ହେବା ପରେ ପ୍ରଥମ ଥର ପାଇଁ ମାଆ କୋଳରେ ବସିଛି । ଏବେ ନର୍ମାଲ ୱାର୍ଡରେ ମାଆ ସହ ରହୁଛି ଜଗା । ଏମସର ପ୍ରେସ ରିଲିଜରେ ଜଗାକୁ ତରଳ ଖାଦ୍ୟ ଦିଆଯାଉଥିବା ସୂଚନା ଦିଆଯାଇଛି । ଏବଂ ତାକୁ ହସପିଟାଲର କରିଡରରେ ବୁଲାଇବାକୁ ମଧ୍ୟ ନିଆଯାଉଛି ।

ଏମସର ଡାକ୍ତରମାନେ କହିଛନ୍ତି ଯେ ମାଆ କୋଳକୁ ଯାଇ ଜଗା ଖୁସି ଦେଖାଯାଉଛି । ଏଥିସହ ଜଗା ଗୀତ ଶୁଣିବା ସହ ମେଲୋଡିର ତାଳ ଅନୁସାରେ ପ୍ରତିକ୍ର୍ରିୟା ଦେଉଛି । ଏହି ଦୃଶ୍ୟ ଏମସରେ ଏକ ଭିନ୍ନ ଭାବାବେଗ ସୃଷ୍ଟି କରିଛି । ଅପରେସନ ପରେ ଜଗା ଦେହରେ ଶୀଘ୍ର ଉନ୍ନତି ପରିଲକ୍ଷିତ ହୋଇଥିଲା । ଏକ ବିରଳ ଅପରେସନରୁ ଧୀରେ ଧୀରେ ସୁସ୍ଥ ହେଇଛି ଜଗା ।

ସେପଟେ ବଳିଆକୁ ନ୍ୟୁରୋ ଆଇସିୟୁରେ ରଖାଯାଇଛି । ତେବେ ଖୁସି ଖବର ହେଉଛି, ବଳିଆ ମଧ୍ୟ ହାତ ଗୋଡ ହଲାଉଛି । ଜଗା ଠାରୁ ଅଲଗା ହେବା ପରେ ବଳିଆର ସ୍ଥିତିରେ ଉନ୍ନତି ଆସିବାକୁ ଅଧିକ ସମୟ ଲାଗିଥିଲା । ହେଲେ ଏମସ ବିଶେଷଜ୍ଞ ଦଳଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ଧୀରେ ଧୀରେ ବଳିଆର ସ୍ୱାସ୍ଥ୍ୟରେ ସୁଧାର ଆସିବାରେ ଲାଗିଛି । ମଝିରେ ଏକ ପ୍ଲାଷ୍ଟିକ୍ ସର୍ଜରୀ ମଧ୍ୟ ସଫଳତାର ସହ କରାଯାଇଛି । ତେବେ ବଳିଆକୁ ଅଧିକ ସମୟ ଆଇସିୟୁରେ ରଖାଯାଇପାରେ ।

ବିଭିନ୍ନ ବିଭାଗର ୩୦ ଜଣିଆ ଡାକ୍ତରୀ ଦଳ ଦୁଇ ଶିଶୁଙ୍କୁ ୨୪ ଘଂଟିଆ ନଜରରେ ରଖିଛନ୍ତି । ଦୁହିଁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଜଗାର ଆଖି ପରୀକ୍ଷା ପରେ ତାହା ଠିକ୍ ରହିଥିବା ସୂଚନା ମିଳିଛି । ପୂର୍ବରୁ ଜଗାର ହାର୍ଟ, କିଡନୀ ଆଦି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଠିକଠାକ୍ ଚାଲୁଥିବା କହିଥିଲେ ଏମସ କର୍ତ୍ତୃପକ୍ଷ ।