ସ୍କୁଲ ଯିବ ଜଗା । ଜଗାକୁ ପଢାଇବା ପାଇଁ ୪ ସ୍କୁଲ ରାଜି, ଏସସିବିରେ ଦୁଇ ଭାଇଙ୍କୁ ଭେଟିଲେ ସାଂସଦ ଅଚ୍ୟୁତ ସାମନ୍ତ ।

697

କନକ ବ୍ୟୁରୋ : କେମିତି ଚାଲିଛି ଜଗା-ବଳିଆଙ୍କ ଚିକିତ୍ସା ? ସେ ସଂପର୍କରେ ଆଜି କଟକ ବଡମେଡିକାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ । ସେମାନଙ୍କ ବାପା-ମାଙ୍କ ସହ କଥାବାର୍ତ୍ତା ହେବା ସହ ସେମାନେ ଯଦି ଚାହାନ୍ତି , ତାଙ୍କ ଗାଁରେ ରହୁଥିବା ଦୁଇ ପୁଅଙ୍କୁ ସେ କିସ୍‌ରେ ପଢାଇବେ। ଏପରିକି ଜଗା ସୁସ୍ଥ ହେବାପରେ ବି ତାକୁ ମଧ୍ୟ କିସ୍‌ରେ ପଢାଇବା ପାଇଁ ଆଗ୍ରହ ପ୍ରକାଶ କହିଛନ୍ତି ସାଂସଦ ଅଚ୍ୟୁତ ସାମନ୍ତ । ଅନ୍ୟପଟେ ଜଗା ସ୍କୁଲ ଯିବା ସଂପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘୋଷଣା ପରେ ମେଡିକାଲ ପବ୍ଲିକ୍‌ ସ୍କୁଲ, ସହାୟ ସ୍କୁଲ, ସିଡିଏ ଡିଏଭି କର୍ତ୍ତୃପକ୍ଷ ଜଗାକୁ ପଢାଇବା ପାଇଁ ସହମତି ପ୍ରଦାନ କରିଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ, କଟକ ବଡ଼ ମେଡିକାଲ୍‌ରେ ଜଗା-ବଳିଆ ଶନିବାର ଦିନ ଭର୍ତ୍ତି ହେବା ପରଠାରୁ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ସମସ୍ତଙ୍କ ନଜର ରହିଛି । ଆଜି ମଧ୍ୟ କିଛି ସମୟ ପାଇଁ ବଳିଆକୁ ଜ୍ୱର ଆସିଥିବା ବେଳେ ବିଶେଷଜ୍ଞ ଦଳଙ୍କ ପରାମର୍ଶ ଅନୁସାରେ ତାର ବିଭିନ୍ନ ରକ୍ତ ପରୀକ୍ଷା କରାଯାଇଛି । କିନ୍ତୁ ସ୍ୱାଭାବିକଭାବେ ଜଗା ୱାର୍ଡରେ ବୁଲୁଛି, ଖେଳୁଛି ।

ଏସ୍‌ସିବିରେ ସେମାନଙ୍କ ଚିକିତ୍ସା ପାଇଁ ଗଠିତ ହୋଇଥିବା ୧୪ଜଣିଆ ବିଶେଷଜ୍ଞ ଦଳ ପ୍ରତି ଘଣ୍ଟା ବ୍ୟବଧାନରେ ସେମାନଙ୍କ ସ୍ଥିତି ତଦାରଖ କରୁଛନ୍ତି । ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ୧୪ଜଣିଆ ଡାକ୍ତର କମିଟିର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ଟିମ୍‌ ବଳିଆକୁ ବାରମ୍ବାର ଜ୍ୱର ଆସୁଥିବାରୁ ରକ୍ତ ପରୀକ୍ଷା ପାଇଁ ନିଷ୍ପତ୍ତି ନେଇଥିଲେ । ଫଳରେ ଆଜି ବଳିଆର ବିଭିନ୍ନ ରକ୍ତ ପରୀକ୍ଷା କରାଯାଇଥିଲା । ଅନ୍ୟପଟେ ବଳିଆ ଏବେ ବି ବିପଦମୁକ୍ତ ହୋଇପାରିନି ।