ଦିଲ୍ଲୀ ଏମ୍ସରୁ ଆସୁଛି ଭଲ ଖବର ! ଆଇସିୟୁରୁ ବାହାରିଲା ଜଗା । ଭେଂଟିଲେଟରରେ ସୁଧୁରୁଛି ବଳିଆର ସ୍ୱାସ୍ଥ୍ୟବସ୍ଥା

33

କନକ ବ୍ୟୁରୋ: ଦିଲ୍ଲୀ ଏମ୍ସରୁ ଆସିଛି ପୁଣି ଏକ ଭଲ ଖବର । ଆଇସିୟୁରୁ ବାହାରିଛି ଜଗା । ଏପରିକି ବଳିଆ ସ୍ୱାସ୍ଥ୍ୟରେ ବି ସାମାନ୍ୟ ଉନ୍ନତି ଦେଖାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ ଜଗାକୁ ଆଇସିୟୁରୁ ବାହାର କରି ଜେନେରାଲ୍ ୱାର୍ଡକୁ ଅଣାଯାଇଛି । ଜଗାର ସ୍ୱାସ୍ଥ୍ୟ ସ୍ୱାଭାବିକ ଆଡକୁ ଆଗ୍ରସହ ହେଉଥିବା ଡାକ୍ତର କହିଛନ୍ତି । ଜେନେରାଲ୍ ୱାର୍ଡରେ ଜଗାର ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ନେଇ ପ୍ରତିଦିନ ହେଲଥ ରିପୋର୍ଟ କାର୍ଡ ପ୍ରସ୍ତୁତ କରାଯିବ ବୋଲି ଡାକ୍ତର କହିଛନ୍ତି । ତେବେ ଜଗାକୁ ଦେଖିବାକୁ ଜେନେରାଲ୍ ୱାର୍ଡକୁ ସମସ୍ତଙ୍କୁ ଛଡାଯାଉନାହିଁ । ଜଗା ତା ମାଆର ଠାର ବୁଝିପାରୁଛି ଏବଂ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଥିବା ଡାକ୍ତର କହିଛନ୍ତି । ସେପଟେ ଭେଂଟିଲେଟରରେ ଥିବା ବଳିଆର ସ୍ୱାସ୍ଥ୍ୟବସ୍ଥାରେ ମଧ୍ୟ ସାମାନ୍ୟ ଉନ୍ନତି ଦେଖାଦେଇଛି । ଡାକ୍ତର ତାଉପରେ ୨୪ ଘଂଟିଆ ନଜର ରଖିଛନ୍ତି । ଭେଂଟିଲେଟରରୁ ବାହାରକୁ ଆସିବା ପାଇଁ ବଳିଆକୁ ଆଉ କିଛି ଦିନ ସମୟ ଲାଗିପାରେ ।

ସୂଚନା ମୁତାବକ, ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ ଜଗାକୁ ଆଇସିୟୁରୁ ଜେନେରାଲ ଓ୍ଵାର୍ଡକୁ ସ୍ଥାନାନ୍ତର କରାଯାଇଛି । ଗତ ବୁଧବାର ଦିନ ଜଗାକୁ ଭେଣ୍ଟିଲେଟରରୁ କଢ଼ାଯାଇ ଆଇସିୟୁରେ ରଖାଯାଇଥିଲା । ଡାକ୍ତରୀଦଳ ତା’ର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିବା ଜାଣିବା ପରେ ତାକୁ ୪୮ ଘଣ୍ଟା ପରେ ଆଇସିୟୁରୁ ଜେନେରାଲ ଓ୍ଵାର୍ଡକୁ ଅଣାଯାଇଛି । ଏବେ ସେ ପାଟି ବାଟେ ସେମିଲିକ୍ୱିଡ୍ ଖାଦ୍ୟ ଯଥା କଦଳୀ ଜୁସ୍, ରାଇସ୍ ପୁଡିଂ ଆଦି ଖାଉଥିବା ଜଣାପଡ଼ିଛି । ତା’ ସ୍ୱାସ୍ଥ୍ୟ ସ୍ୱାଭାବିକ ଆଡ଼କୁ ଅଗ୍ରସର ହେଉଥିବା ଡାକ୍ତରୀ ଦଳ ପକ୍ଷରୁ କୁହାଯାଉଛି । ଜେନେରାଲ ଓ୍ଵାର୍ଡରେ ଜଗାର ଚିକିତ୍ସା ଚାଲିଥିବା ବେଳେ ତା’ର ସ୍ୱାସ୍ଥ୍ୟ ଅଗ୍ରଗତିର ଦୈନନ୍ଦିନ ହେଲ୍ଥ ରିପୋର୍ଟ କାର୍ଡ ମଧ୍ୟ ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି । ତେବେ ଜଗାକୁ ଦେଖିବା ଲାଗି ଜେନେରାଲ ଓ୍ଵାର୍ଡକୁ ଆଗନ୍ତୁକଙ୍କ ପ୍ରବେଶକୁ ବାରଣ କରାଯିବା ସହ ସୀମିତ ବ୍ୟକ୍ତିମାନଙ୍କୁ ହିଁ ପ୍ରବେଶ କରିବାର ଅନୁମତି ପ୍ରଦାନ କରାଯିବ ।

JAGA BALIAଜଗା ଜେନେରାଲ ଓ୍ଵାର୍ଡକୁ ସ୍ଥାନାନ୍ତରିତ ହେବା ପରେ ଜଗାର ବାପା ମା’ଙ୍କ ଆନନ୍ଦର ସୀମା ନାହିଁ । ଜଗା ମା’ର ସମସ୍ତ ଠାରକୁ ବୁଝିପାରୁଛି ଏବଂ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛି । ବାପା ମା’ଙ୍କ ଉପସ୍ଥିତିରେ ଜଗାର ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତି ହେବା ସହିତ ତା’ର ସମଗ୍ର ସ୍ୱାସ୍ଥ୍ୟରେ ବିକାଶ ହେବ ବୋଲି ଡାକ୍ତରମାନେ ଆଶା ପ୍ରକାଶ କରିଛନ୍ତି । ହେଲେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ମଧ୍ୟ ସାବଧାନ ରହିବାକୁ ଡାକ୍ତରୀଦଳ ପରାମର୍ଶ ଦେଇଛନ୍ତି । ଅପରପକ୍ଷେ ଆଇସିୟୁର ଭେଣ୍ଟିଲେଟରରେ ଥିବା ବଳିଆର ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିବା ଡାକ୍ତରୀଦଳ କହୁଛନ୍ତି । ବଳିଆର ପ୍ରତ୍ୟେକ ଗତିବିଧିକୁ ଡାକ୍ତରୀଦଳ ନିରୀକ୍ଷଣ କରୁଛନ୍ତି । ଆଇସିୟୁ ଭେଣ୍ଟିଲେଟରରୁ ବାହାରକୁ ଆସିବାପାଇଁ ବଳିଆକୁ ଆଉ କିଛି ଦିନ ସମୟ ଲାଗିବ ବୋଲି ଏମ୍ସ ସୂତ୍ରରୁ ଜଣାପଡ଼ିଛି ।