ଅଲଗା ହେଲେ ଯୋଡା ମୁଣ୍ଡ ଶିଶୁ ଜଗା-ବଳିଆ : ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା

45

କନକ ବ୍ୟୁରୋ : ଅଲଗା ହେଲେ ଜଗା-ବଳିଆ । କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ଆଜି ଅପରେସନ୍ ଦ୍ୱାରା ଅଲଗା କରାଯାଇଛି । ସକାଳ ପ୍ରାୟ ୯ଟାରେ ଆରମ୍ଭ ହୋଇଥିଲା ଜଗା ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍ । ଦୀର୍ଘ ୧୧ ଘଂଟା ପରେ ରାତି ପ୍ରାୟ ୮ ଟାରେ ଜଗା-ବଳିଆଙ୍କ ଯୋଡାମୁଣ୍ଡକୁ ଅଲଗା କରିଛନ୍ତି ଡାକ୍ତର । ବର୍ତମାନ ଉଭୟ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏବେ ଦୁଇ ଶିଶୁଙ୍କର ପ୍ଲାଷ୍ଟିକ ସର୍ଜରୀ କାମ ଜାରି ରହିଛି । ଆସନ୍ତାକାଲି ସକାଳ ପ୍ରାୟ ୧୨ ଟା ସୁଦ୍ଧା ଏହି ପ୍ରକ୍ରିୟା ସରିବା ନେଇ ସମ୍ଭାବନା ରହିଛି । ଅପରେସନ ପରେ ଜଗାବଳିଆଙ୍କୁ ୭୨ ଘଂଟା ଅବଜରଭେସନରେ ରଖାଯିବ ବୋଲି ଡାକ୍ତର କହିଛନ୍ତି । ସେପଟେ ଦୁଇ ଶିଶୁଙ୍କର ସମସ୍ତ ଜଟିଳ ପ୍ରକ୍ରିୟା ଶେଷ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

ଚିକିତ୍ସା ବିଜ୍ଞାନରେ ଜଗା ବଳିଆଙ୍କ କେସ୍ ଏକ ବିରଳ ଘଟଣା । କାରଣ, ବଳିଆର ରକ୍ତ ସଂଚାଳନ ଜଗା ଦେହକୁ ହେଉଥିଲା ଏବଂ ବଳିଆକୁ ଦିଆଯାଉଥିବା ତରଳ ଖାଦ୍ୟ ଜଗା ଦେହକୁ ଯାଉଥିଲା । ଗତ ଅଗଷ୍ଟ ୨୮ ରେ ଦୁଇ ଭାଇଙ୍କୁ ଏକ ୪୦ ଜଣିଆ ଡାକ୍ତରୀ ଦଳ ପ୍ରାୟ ୨୦ ଘଂଟା ଧରି ଅପରେସନ କରିଥିଲେ । ଆଉ ଏହି ପର୍ଯ୍ୟାୟରେ ବଳିଆର ରକ୍ତ ସଂଚାଳନକୁ ଅନେକାଂଶରେ ଜଗାଠାରୁ ଅଲଗା କରାଯାଇଥିଲା ।

କନ୍ଧମାଳର ଏକ ଗରିବ ପରିବାରର ଜଗା ବଳିଆଙ୍କ ଉପରେ ବିଶ୍ୱର ଏକ ଜଟିଳ ତମ ଅପରେସନ କରାଯାଉଛି । ସାରା ଓଡିଶା ବି ପ୍ରାର୍ଥନା କରୁଛି ଡାକ୍ତରଙ୍କ ଉଦ୍ୟମ ସଫଳ ହେବ ଏବଂ ଅଲଗା ଅଲଗା ହୋଇ ଜଗା ବଳିଆ ଘରକୁ ଫେରିଆସିବେ ।