ଗିନିଜ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇବ ଜଗା-ବଳିଆଙ୍କ ବିରଳ ଅସ୍ତ୍ରୋପଚାର ! ଏମ୍ସ ପକ୍ଷରୁ ହୋଇପାରେ ଆବେଦନ

50

କନକ ବ୍ୟୁରୋ : ଓଡ଼ିଆ ପୁଅଙ୍କ ନାମ ଯୋଡିହେବ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ । କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ନ୍ୟୁରୋ ସର୍ଜରୀ ଦ୍ୱାରା ଅଲଗା କରାଯାଇଥିବା ଅତ୍ୟନ୍ତ ବିରଳ ଓ ଜଟିଳ ଅସ୍ତ୍ରୋପଚାର ଖୁବ୍ ଶୀଘ୍ର ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବାକୁ ଯାଉଛି। ଏ ନେଇ ଖୁବ୍ ଶୀଘ୍ର ଗିନିଜ୍ ବୁକ୍ ଅଫ୍ ରେକର୍ଡ କର୍ତ୍ତୃପକ୍ଷଙ୍କୁ ଏମସ ପକ୍ଷରୁ ପତ୍ର ଲେଖାଯିବ ବୋଲି ଏକ ବିଶ୍ୱସ୍ତ ସୁତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ, ପ୍ରାଇଭେଟ୍ ଓ୍ଵାର୍ଡରେ ବଲିଉଡ୍ ସଂଗୀତର ତାଳେତାଳେ ଜଗାର ନୃତ୍ୟ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ଏପରିକି ସେ ମେଡିକାଲ ଷ୍ଟାଫ୍, ଡାକ୍ତର, ବାପା ମା’ଙ୍କୁ ମଧ୍ୟ ନଚାଉଛି ବୋଲି ଏମସ ପରିସରରେ ଚର୍ଚ୍ଚା ହେଉଛି।

JAGAଜଗା ବଳିଆଙ୍କୁ ଅପରେସନ ମାଧ୍ୟମରେ ଅଲଗା କରିବା ଡାକ୍ତରଙ୍କ ପାଇଁ ଏକ ବଡ ଉପଲବ୍ଧି । ଏହା ସବୁ ଡାକ୍ତରଙ୍କ ପାଇଁ ଏକ ଏସିଡ ଟେଷ୍ଟ ସଦୃଶ ଥିଲା । ଦୁଇ ଶିଶୁଙ୍କୁ ଅଲଗା କରିବା ଓ ସେମାନଙ୍କୁ ସୁସ୍ଥ ରଖିବା ପାଇଁ ଡାକ୍ତର ମାନେ ଦିନ ରାତି ଏକ କରି ଦେଇଥିଲେ । ଖାସକରି ଜଗା-ବଳିଆଙ୍କ ଦ୍ୱିତୀୟ ପର୍ୟ୍ୟାୟ ଅସ୍ତ୍ରୋପଚାରରେ ଏମସର ୧୨ଟି ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରୀ ଦଳ ସାମିଲ ହୋଇଥିଲେ। ଏଥିରେ କୌଣସି ବେଦେଶୀ ବିଶେଷଜ୍ଞ ଡାକ୍ତରଙ୍କ ସହଯୋଗ ନିଆଯାଇନଥିଲା ଏବଂ ଅସ୍ତ୍ରୋପଚାର ପରେ ଦୁଇ ଶିଶୁ ବିପଦମୁକ୍ତ ହୋଇସାରିଥିବାରୁ ଏହି ଅସ୍ତ୍ରୋପଚାରକୁ ରେକର୍ଡ ବୁକରେ ସାମିଲ କରିବା ପାଇଁ ଆବେଦନ କରାଯିବ। ରେକର୍ଡ ବୁକରେ ସାମିଲ ପାଇଁ ପ୍ରମାଣ ସ୍ୱରୂପ ଅସ୍ତ୍ରୋପଚାରର ସମସ୍ତ ପ୍ରକ୍ରିୟା ଓ ଭିଡିଓ ରେକର୍ଡିଂକୁ ମଧ୍ୟ ଏମସ ଦ୍ୱାରା ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି। ଏହାବାଦ୍ ଦ୍ୱିତୀୟ ପର୍ୟ୍ୟାୟ ଅସ୍ତ୍ରୋପଚାରର ଜଟିଳତା ସମ୍ପର୍କିତ ବିବରଣୀ ଆନ୍ତର୍ଜାତିକ ସ୍ତରୀୟ ପତ୍ରିକାରେ ପ୍ରକାଶ କରାଯିବ।

jaga baliaଅନ୍ୟପଟେ ଜଗା ଓ ବଳିଆର ସ୍ୱାସ୍ଥ୍ୟାବସ୍ଥାରେ ଲଗାତାର ସୁଧାର ଆସୁଥିବା ଏମସ ଡାକ୍ତରୀ ଦଳ କହିଛନ୍ତି। ଦୁଇ ଭାଇଙ୍କ ରକ୍ତ ସଞ୍ଚାଳନ, ସ୍ନାୟୁଗତ ବିକାଶରେ ଯଥେଷ୍ଟ ଉନ୍ନତି ହେଉଛି। ତେବେ ସେମାନଙ୍କ ଭେଷଜ ସ୍ଥିତିର ଆକଳନ ପାଇଁ ଆମେରିକାର କିଛି ବିଶିଷ୍ଟ ବିଶେଷଜ୍ଞଙ୍କୁ ପରାମର୍ଶ କରାଯାଇଛି। ବଳିଆର ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ମାନଦଣ୍ଡ ସକାରାତ୍ମକ ଥିବାରୁ ଆଉ କୌଣସି ପ୍ରତିବନ୍ଧକ ସୃଷ୍ଟି ହେବ ନାହିଁ ବୋଲି ଡାକ୍ତରମାନେ କହିଛନ୍ତି।

ଗତ ଦୁଇଦିନ ପୁର୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମ୍ସ ଯାଇ ଯୋଡା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏପରିକି କିଛି ସମୟ ପାଇଁ ନବୀନ ପାଲଟି ଯାଇଥିଲେ ଶିଶୁ । ଭିନ୍ନ ଏକ ଅନ୍ଦାଜରେ ନବୀନଙ୍କୁ ଦେଖିବାକୁ ମିଳିଥିଲା । ଜଗାକୁ ନବୀନ ହାତ ହଲାଇ ବାଏ ବାଏ କରିବା ପରେ ଜଗା ମଧ୍ୟ ହାତ ହଲାଇ ମୁଖ୍ୟମନ୍ତ୍ରୀଙ୍କୁ ବାଏ ବାଏ କରିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଜଗା-ବଳିଆଙ୍କ ଅପରେସନର ସମସ୍ତ ଦାୟିତ୍ୱ ରାଜ୍ୟ ସରକାର ନେଇଛନ୍ତି । ଯେମିତି ଜଗା-ବଳିଆଙ୍କ ଚିକିତ୍ସାରେ କୌଣସି ପ୍ରକାର ଅସୁବିଧା ସୃଷ୍ଟି ନ ହୁଏ ସେଥିପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।