ଅଲଗା ହେବେ ଜଗା ବଳିଆ ! ଦିଲ୍ଲୀ ଏମ୍ସରେ ଚାଲିଛି ପ୍ରସ୍ତୁତି, ଲାଗିଛନ୍ତି ୪୦ ଜଣ ଡାକ୍ତରଙ୍କ ସହ ୬୦ ଜଣିଆ ଟିମ୍

162

କନକ ବ୍ୟୁରୋ : ଫୁଲବାଣୀର ଯୋଡାମୁଣ୍ଡ ଥିବା ଜାଆଁଳା ଶିଶୁଙ୍କ ଖୁବଶୀଘ୍ର ହୋଇପାରେ ଅପରେସନ୍ । ଦିଲ୍ଲୀ ଏମ୍ସର ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି, ଆସନ୍ତା ସପ୍ତାହ ମଧ୍ୟରେ ଜଗାବଳିଆଙ୍କ ଅପରେସନ୍ କରାଯିବା ସମ୍ଭାବନା ରହିଛି । ଯାଆଁଳା ଶିଶୁଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ବି ଏନେଇ ସହମତି ପ୍ରକାଶ କରିଥିବା ସୂଚନା ମିଳିଛି । ବର୍ତମାନ ଦୁଇ ଶିଶୁଙ୍କୁ ଅଧିକ ପରିମାଣରେ ପ୍ରୋଟିନ ଖାଦ୍ୟ ଦିଆଯାଉଛି । ଯାହା ଫଳରେ ଅପରେସନ୍ ପାଇଁ ଉଭୟେ ପ୍ରସ୍ତୁତ ହେବେ । ଏଥିସହ ଚିକିତ୍ସା ପରେ ଦୁଇ ଶିଶୁଙ୍କ ଶରୀରରେ ଦେଖାଦେଇଥିବା ସଂକ୍ରମଣ ବି ହ୍ରାସ ପାଇଛି ।

ଲଗାତର ମାସେ ଧରି ସବୁ ପରୀକ୍ଷା କରିବା ପରେ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ଟିମ୍ ଏବେ ଅପରେସନ କରିବାକୁ ଅଂଟା ଭିଡିଥିବା ସୂଚନା ମିଳିଛି । ଅପରେସନ୍ ପାଇଁ ଜଗାବଳିଆଙ୍କ ବାପା-ମାଆ ବି ରାଜି ହୋଇଛନ୍ତି । ହସପିଟାଲରେ ଆଡମିଟ୍ ପରେ ଦୁଇ ଶିଶୁଙ୍କ ଇସିଜି, ସିଟି ସ୍କାନ, ଏମ୍ଆରଆଇ, ଅଲଟ୍ରାସାଉଣ୍ଡ ଏବଂ ଏକ୍ସରେ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ରକ୍ତ ପରୀକ୍ଷା କରାଯାଇଛି । ଜଗାବଳିଆଙ୍କ ଚିକିତ୍ସା କରୁଛନ୍ତି ୬୦ ଜଣିଆ ଡାକ୍ତରୀ ଟିମ୍ । ଯେଉଁଥିରେ ପ୍ଲାଷ୍ଟିକ ସର୍ଜରୀ, ଆନାସ୍ଥେସିଆ ଓ ସର୍ଜରୀ ବିଭାଗର ୪୦ ଜଣ ବିଶେଷଜ୍ଞ ଓ ଡାକ୍ତର ଅଛନ୍ତି । ଅନ୍ୟ ୨୦ ଜଣ ନର୍ସ ଏବଂ ଟେକ୍ନିକାଲ୍ ଟିମ୍ ରହିଛନ୍ତି ।

ଦିଲ୍ଲୀ ଏମ୍ସର ସୂଚନା ଅନୁସାରେ ଯଦି ସବୁ ଠିକ୍ ରହେ ତେବେ ସେପଟେମ୍ବର ପ୍ରଥମ ସପ୍ତାହରେ ଜଗା ବଳିଆର ଅପରେସନ୍ କରାଯିବା ସମ୍ଭାବନା ରହିଛି । ଆଉ ଏହା ସଫଳ ହେଲେ ଭାରତୀୟ ଚିକିତ୍ସା ବିଜ୍ଞାନରେ ଯୋଡି ହୋଇଯିବ ଏକ ନୂତନ ଅଧ୍ୟାୟ ।