ଭାରତୀୟ ଚିକିତ୍ସା ବିଜ୍ଞାନକୁ ବଡ ସଫଳତା : ଇତିହାସ ରଚିଲେ ଦିଲ୍ଲୀ ଏମ୍ସ ଡାକ୍ତର,ଅପରେସନ ପରେ ସାମ୍ନାକୁ ଆସିଲା ଜଗା-ବଳିଆଙ୍କ ପ୍ରଥମ ଚିତ୍ର

46

କନକ ବ୍ୟୁରୋ : କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗାବଳିଆଙ୍କ ଅପରେସନ ପରେ ଆଜି ଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ୨୦ରୁ ଅଧିକ ଜଣ ଡାକ୍ତର ସାମ୍ବାଦିକ ସମ୍ମିଳନୀ କରି ଜଗାବଳିଆଙ୍କ ଅପରେସନ ଟେବୁଲର ଅସମ୍ଭବ କାହାଣୀ ବୟାନ କରିଥିଲେ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଥିଲା , ଏହି ଅପରେସନ ସେମାନଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଂଜ ଓ ତାଙ୍କ ଜୀବନର ପ୍ରଥମ ଏଭଳି ଅପରେସନ ଥିଲା । କେହି କେହି ଡାକ୍ତର ତ କହୁଥିଲେ, ଏହା ଅସମ୍ଭବ ଭଳି ଲାଗୁଥିଲା ।

ଏବେ ଭେଂଟିଲେଟରରେ ଜଗା ବଳିଆ । ପୁରୁଣା ଚିତ୍ର ଆଉ ଆଜିର ଏହି ସାଙ୍କେତିକ ଚିତ୍ର ମଧ୍ୟରେ ଏକ ବଡ ପାର୍ଥକ୍ୟ ହେଉଛି, ଏହି ଅପରେସନର ସବୁଠାରୁ ବଡ ସଫଳତା । ସେ ହେଉଛି, ଅଲଗା ଅଲଗା ଅଛନ୍ତି ଜଗା ବଳିଆ । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି । କିନ୍ତୁ ୧୮ ଦିନ ପର୍ଯ୍ୟନ୍ତ ସଙ୍କଟଜନକ ସ୍ଥିତି ଲାଗିରହିବ । କାରଣ, ଉଭୟଙ୍କ ମୁଣ୍ଡର ଉପରଭାଗର ଖପୁରୀ ନାହିଁ । ତେଣୁ ଇନଫେକ୍ସନର ଅଧିକ ଅଶଙ୍କା ରହିଛି ।

ବୁଧବାର ସକାଳ ପ୍ରାୟ ସାଢେ ୬ଟାରେ ଆରମ୍ଭ ହୋଇଥିବା ବିଶ୍ୱର ଏହି ବିରଳ ଅପରେସନ ପ୍ରାୟ ୧୭ ଘଂଟା ଧରି ଚାଲିଲା । ପ୍ରଥମ ୮ ଘଂଟା ଦୁଇ ଶିଶୁର ଲାଗି ରହିଥିବା ଶିରା ପ୍ରସିରାକୁ ଅଲଗା କରାଯିବା ପରେ ରାତି ପ୍ରାୟ ୮ଟାରେ ଦୁଇ ମୁଣ୍ଡକୁ ଅଲଗା କରିବା ପ୍ରକ୍ରିୟା ଶେଷ ହେଲା । ଆଉ ତାପରେ ଆରମ୍ଭ ହେଲା ପ୍ଲାଷ୍ଟିକ ସର୍ଜରୀ । କାରଣ ଏହି ମାମଲାରେ ଦୁଇ ଜଣଙ୍କ ମୁଣ୍ଡର ଅଧିକାଂଶ ଭାଗ ଯୋଡି ହୋଇରହିଥିଲା । ପ୍ଲାଷ୍ଟିକ ସର୍ଜରୀ ମାଧ୍ୟମରେ କୃତ୍ରିମ ଖପୁରୀ ତିଆରି କରାଯାଇ ଉଭୟଙ୍କ ମୁଣ୍ଡରେ ରୋପଣ କରାଗଲା । ଆଉ ଏହି ପ୍ରକ୍ରିୟା ପ୍ରାୟ ଭୋର୍ ୩ଟା ଯାଏଁ ଚାଲିଲା ।

୨୦ ଜଣ ଡାକ୍ତର , ପ୍ରାୟ ୨୫ ଜଣ ନର୍ସିଂ ଷ୍ଟାଫ୍ ଦିନରାତି ଜଗାବଳିଆଙ୍କ ଉପରେ ନଜର ରଖିଥିଲେ । ସପ୍ତାହକ ପର୍ଯ୍ୟନ୍ତ ଆଇସିୟୁ କର୍ମଚାରୀ ଘରକୁ ନଯାଇ ଏହି ଅସମ୍ଭବ କାମକୁ ସମ୍ଭବ କରିବାକୁ ପୁରା ଦମ ଲଗାଇଦେଇଥିଲେ । ପ୍ରାୟ ୨୫ ଲକ୍ଷରେ ଏଭଳି ଗୋଟିଏ ଜାଆଁଳା ଶିଶୁ ଜନ୍ମ ନେଇଥାନ୍ତି । ଏବଂ ଏମାନଙ୍କର ରକ୍ତ ସଂଚାଳନ ମଧ୍ୟ ଯୋଡି ହୋଇରହିଥାଏ । ତେଣୁ ଦୁଇ ଜଣଙ୍କୁ ଅଲଗା କରିବା ପ୍ରକ୍ରିୟା ଜଟିଳ ହୋଇପଡିଥାଏ ।

କନ୍ଧମାଳର ଏହି ଗରିବ ପରିବାରର କାହାଣୀ ଶେଷରେ ଦିଲ୍ଲୀରେ ପହଁଚିଲା । ଏବଂ ଦେଶର ବଛା ବଛା ଡାକ୍ତର ଏହି ପରିବାରର ଖୁସି ଫେରାଇଆଣିବାକୁ ଦିନରାତି ଉଦ୍ୟମ କରିଛନ୍ତି । ହନି ଓ ସିଂ ଓରଫ୍ ଜଗା ଓ ବଳିଆ ଏବେ ଅଲଗା ଅଲଗା ହୋଇଯିବା ପରେ ଆଗକୁ ବି ସବୁ ଭଲ ହେବ ବୋଲି ସାରା ଓଡିଶା ଆଶା ରଖିଛି । ଏବଂ ଭାରତୀୟ ଚିକିତ୍ସା ବିଜ୍ଞାନରେ ଏକ ନୂଆ ଅଧ୍ୟାୟ ଯୋଡି ହୋଇଯାଇଛି ।