ବଳିଆ ସ୍ୱାସ୍ଥ୍ୟ ଉପରେ ଡାକ୍ତରଙ୍କ ନଜର

23

କନକ ବ୍ୟୁରୋ: ସୋମବାର ଦିନ ନ୍ୟୁରୋ ଆଇସିୟୁରୁ ପ୍ରାଇଭେଟ୍ ଓ୍ଵାର୍ଡ କ୍ୟାବିନକୁ ସ୍ଥାନାନ୍ତରିତ ହୋଇଥିବା ବଳିଆର ସ୍ୱାସ୍ଥ୍ୟରେ ଆଶାନୁରୂପ ଉନ୍ନତି ହୋଇନଥିବା ଜଣାପଡ଼ିଛି । ଏପରିସ୍ଥଳେ ବଳିଆର ସ୍ୱାସ୍ଥ୍ୟାବସ୍ଥା ଉପରେ ଏମ୍ସ ପକ୍ଷରୁ ଡାକ୍ତରୀଦଳ ତୀକ୍ଷ୍ଣ ନଜର ରଖିବାକୁ ସ୍ଥିର କରିଛନ୍ତି । ଆଉ କିଛି ପରୀକ୍ଷା ପାଇଁ ଡାକ୍ତରୀଦଳ ଯୋଜନା କରୁଥିବା ଜଣାପଡ଼ିଛି । ବଳିଆର ଏଯାବତ୍ ଚେତା ନଫେରିବା ଡାକ୍ତରମାନଙ୍କ ପାଇଁ ସବୁଠାରୁ ବଡ଼ ଚିନ୍ତାର କାରଣ ।

ଅପରପକ୍ଷେ ଜଗା ସ୍ୱାଭାବିକ ଭାବେ ଖିଆପିଆ ସହ ତା’ ବାପା ମା’ଙ୍କ ସହ ବୁଲୁଛି ଓ ଖେଳୁଛି । ଉଭୟ ଜଗା ବଳିଆ ଖୁବ୍ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ସେମାନଙ୍କ ବାପା ମା’ ଆଶା ବାନ୍ଧିଛନ୍ତି । ଉଲ୍ଲେଖଯୋଗ୍ୟ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ ଜଗାକୁ ଚଳିତମାସ ୩ ତାରିଖରେ ଆଇସିୟୁରୁ ଜେନେରାଲ ଓ୍ଵାର୍ଡକୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ବଳିଆକୁ ସୋମବାର ପ୍ରାଇଭେଟ୍ ଓ୍ଵାର୍ଡ କ୍ୟାବିନକୁ ଅଣାଯାଇଥିଲା ।

ଜଗା ବଳିଆଙ୍କ ପାଇଁ ଶିଶୁଙ୍କ ସର୍ବଧର୍ମ ପ୍ରାର୍ଥନା

ଅନ୍ୟପଟେ ଗତକାଲି ଭୀମଟାଙ୍ଗି ଫେଜ୍ ୨ସ୍ଥିତ ଏଏସଏସବି ସ୍ମାର୍ଟ ସ୍କୁଲରେ ଶିଶୁ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପିଲାମାନେ ଜଗାବଳିଆଙ୍କ ଆରୋଗ୍ୟ କାମନା କରି ସର୍ବଧର୍ମ ପ୍ରାର୍ଥନା କରିଥିଲେ। ସେହିପରି ପିଲାମାନେ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ପୂଜା କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ସ୍କୁଲ ଅଧ୍ୟକ୍ଷ ଗିରିଜା ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଥିଲା ।