ନିର୍ବାଚନ ପୂର୍ବରୁ ହିସାବ କିତାବ । ବିଜେପିର ଜବାବ ମାଗୁଛି ଓଡିଶା ବନାମ ବିଜେଡିର ହକ୍ ମାଗୁଛି ଓଡିଶା, କିଏ କହୁଛି ସତ ?

68

କନକ ବ୍ୟୁରୋ : ୫ ବର୍ଷର ସରକାର ବନାମ ୧୯ ବର୍ଷର ସରକାର । ଲୋକଙ୍କୁ ଦେଇଥିବା ପ୍ରତିଶୃତି କିଏ ପାଳନ କରିଛି ଏବଂ ଲୋକଙ୍କୁ କିଏ ଭୁଆଁ ବୁଲାଇ ଆସିଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ ଏହା ଏବେ ନିର୍ବାଚନ ମୁଦ୍ଦା ପାଲଟିବାକୁ ଯାଉଛି । ନିର୍ବାଚନ ପୂର୍ବରୁ ଏହାର ହିସାବ କିତାବ ଜନତା କରୁଥିବା ବେଳେ ଏବେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି । ବିଜେପି ଜବାବ ମାଗୁଛି ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ସାମ୍ନାକୁ ଆଣୁଥିବା ବେଳେ ବିଜେଡି ମଧ୍ୟ ହକ୍ ମାଗୁଛି ଓଡିଶା କାର୍ଯ୍ୟକ୍ରମ ଜରିଆରେ ଗତ ୫ ବର୍ଷ ମଧ୍ୟରେ ଦେଇଥିବା ପ୍ରତିଶୃତିକୁ କେନ୍ଦ୍ର ସରକାର କେତେ ପୂରଣ କରିଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠାଇଛି । ଜନତା ଜନାର୍ଦ୍ଦନଙ୍କ ପାଇଁ ଦୁଇ ଦଳ ସ୍ୱର ଉତ୍ତୋଳନ କରୁଛନ୍ତି ଏହା ବେଶ ଭଲ କଥା । କିନ୍ତୁ ସତ କହୁଛି କିଏ ତାହା ସବୁଠୁ ବଡ ପ୍ରଶ୍ନ ।

ବିଜେଡି କେନ୍ଦ୍ରରେ ଥିବା ମୋଦି ସରକାରଙ୍କୁ ଟାର୍ଗେଟ କରି ଓଡିଶାବାସୀଙ୍କ ହକର କଥା ଉଠାଇଛି । ବିଜେଡି ବାରମ୍ବାର କେନ୍ଦ୍ର ଅବହେଳାର ପ୍ରସଙ୍ଗ ଉଠାଇ ଓଡିଶାବାସୀଙ୍କ ହକ୍ ପାଇଁ ଲଢେଇ ଜାରି ରଖିଛି । ପୂର୍ବରୁ ୨୦୦୯ ହେଉ ଅବା ୨୦୧୪ ପ୍ରତିଥର କେନ୍ଦ୍ର ଅବହେଳା ଫର୍ମୁଲା ବିଜେଡି ପାଇଁ ବରଦାନ ସାବ୍ୟସ୍ତ ହୋଇ ଆସିଛି । କେନ୍ଦ୍ର ଅବହେଳା ବିଜେଡି ପାଇଁ କେବଳ ଏକ ମୁଦ୍ଦା ନୁହେଁ ବରଂ ରାଜ୍ୟବାସୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଥିବା ବୈମାତୃକ ମନୋଭାବର ପରିପ୍ରକାଶ ।

୨୦୧୪ରେ ନିର୍ବାଚନ ଇସ୍ତାହାରରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦେବାକୁ ବିଜେପି ଯେଉଁ ଘୋଷଣା କରିଥିଲା ତାହା ଶାସନ କ୍ଷମତାକୁ ଆସିବା ପରେ ସମ୍ପୂର୍ଣ୍ଣ ଭାବେ ଭୁଲିଯାଇଥିଲା । ଯାହା ଦର୍ଶାଇଥିଲା ମୋଦି ସରକାର ଯେଉଁ ପ୍ରତିଶୃତି ଦେଇ ନିର୍ବାଚନ ବୈତରଣୀ ପାର ହୋଇଛନ୍ତି ପରବର୍ତ୍ତୀ ସମୟରେ ତାହାକୁ ପାଳନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଓଡିଶା ସ୍ୱତନ୍ତ୍ର ରାଜ୍ୟପାହ୍ୟା ପାଇବାକୁ ହକଦାର ଥିଲେ ମଧ୍ୟ ଏହାକୁ ମୋଦି ସରକାର ଛଡାଇ ନେଇଛନ୍ତି ବୋଲି ବିଜେଡି ଅଭିଯୋଗ କରି ଆସୁଛି । କେବଳ ସ୍ୱତନ୍ତ୍ର ରାଜ୍ୟପାହ୍ୟା ନୁହେଁ ମହାନଦୀ ପ୍ରସଙ୍ଗରେ ମଧ୍ୟ ରାଜ୍ୟବାସୀଙ୍କୁ ଅଣଦେଖା କରି ଆସିଛନ୍ତି ମୋଦି ସରକାର । ସେହିଭଳି ନିଯୁକ୍ତି ପ୍ରସଙ୍ଗରେ ବିଜେପି ଦେଇଥିବା ପ୍ରତିଶୃତି ୫ ବର୍ଷରେ କେତେ ପୂରଣ କରିଛି ତାହାର ହିସାବ ମାଗିଛି ବିଜେଡି । ଅନ୍ୟପଟେ ବିକାଶ ନାଁରେ ବିଜେପି ଯେଉଁଭଳି ଡିଣ୍ଡିମ ପିଟୁଛି ତାହାର ବାସ୍ତବ ଚିତ୍ର ରାଜ୍ୟବାସୀଙ୍କ ସାମ୍ନାକୁ ଆଣିଛି ବିଜେଡି । ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ଅସଲ ଚେହେରାକୁ ପଦାରେ ପକାଇଛି ବିଜେଡି । ପୂର୍ବରୁ କେନ୍ଦ୍ର ଅବହେଳା ଫର୍ମୁଲା ଧରି ନିର୍ବାଚନ ବୈତରଣୀ ପାର ହୋଇ ଆସୁଥିବା ବିଜେଡି ଚଳିତ ଥର ମଧ୍ୟ ସମାନ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ।

ଅନ୍ୟପଟେ ନବୀନ ସରକାରଙ୍କ ୧୯ ବର୍ଷର ବିଫଳତାକୁ ଜବାବ ମାଗୁଛି ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟବାସୀଙ୍କ ସାମ୍ନାକୁ ଆଣି ଜନତାଙ୍କ ବିଶ୍ୱାସ ଜିତିବାକୁ ପ୍ରୟାସ ଚଳାଇଛି ବିଜେପି । ଶିକ୍ଷା ଠାରୁ ଆରମ୍ଭ କରି କୃଷି ତଥା ଜଳସେଚନ ପ୍ରତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତାକୁ ପଦାରେ ପକାଇବା ସହ ଏହାର ଜବାବ ନବୀନ ସରକାର ଦିଅନ୍ତୁ ବୋଲି ଦାବି କରି ଆସୁଛି ବିଜେପି । ୧୯ ବର୍ଷର ହିସାବ ମାଗିବା ସହ ରାଜ୍ୟ ସରକାର ୧୯ ବର୍ଷରେ କେତେ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ତାହା ଉପରେ ପ୍ରଶ୍ନର ପାହାଡ ଛିଡା କରିଛି ବିଜେପି । ଏହାବାଦ୍ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କେମିତି ଦିନକୁ ଦିନ ବିଗିଡି ଚାଲିଛି ଓ ରାଜ୍ୟ ସରକାର ଏହାପରେ ମଧ୍ୟ ଚୁପ୍ ବସିଛନ୍ତି ତାହାକୁ ମଧ୍ୟ ଜନସାଧାରଣଙ୍କ ନଜରକୁ ଆଣିବାକୁ କୌଣସି ସୁଯୋଗ ହାତଛଡା କରୁନାହିଁ ବିଜେପି । ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ରାସ୍ତାକଡରେ ଲାଗିଥିବା ହୋର୍ଡିଂ ଓ ପୋଷ୍ଟରରେ ରାଜ୍ୟ ସରକାରଙ୍କ ଅପାରଗତାକୁ ଜନତାଙ୍କ ଦୃଷ୍ଟିକୁ ଆଣିବାକୁ ଜି ଜାନ୍ ଲଗାଇ ଦେଇଛି ବିଜେପି ।

ଗୋଟିଏ ପଟେ ବିଜେପିର ଜବାବ ମାଗୁଛି ଓଡିଶା ଅନ୍ୟପଟେ ବିଜେଡିର ହକ୍ ମାଗୁଛି ଓଡିଶା । ଉଭୟ ଦଳ ପରସ୍ପରର ଦୋଷ ଦୁର୍ବଳତାକୁ ଆଣିବାକୁ ଜନତାଙ୍କ ସାମ୍ନାକୁ ଆଣିବାକୁ ପ୍ରୟାସ ଚଳାଇଛନ୍ତି । ଜନତାଙ୍କ ପାଇଁ ଉଭୟ ଦଳ ପରସ୍ପରକୁ ପ୍ରଶ୍ନ ପଚାରୁଛନ୍ତି ସତ କିନ୍ତୁ ଉତ୍ତର ଦେବାକୁ ଯେମିତି ସତସାହସ କରି ପାରୁ ନାହାନ୍ତି ଏହି ଦୁଇ ଦଳ ।