କାଶ୍ମୀରର ବାରମୁଲାରେ ଏନକାଉଂଟର ! ୫ ଆତଙ୍କବାଦୀ ମୃତ, ଜଣେ ଜୀବିତ ଧରାପଡିଲା

35

କନକ ବ୍ୟୁରୋ: ଘାଟିରେ ପୃଥକ ପୃଥକ ଏନକାଉଂଟରରେ ୫ ଆତଙ୍କବାଦୀ ମୃତ । କାଶ୍ମୀରର ବାରମୁଲ୍ଲାରେ ଏନକାଉଂଟର ହୋଇଛି । ଏଥିରେ ୨ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ଜୀବିତ ଅବସ୍ଥାରେ ଜଣେ ଆତଙ୍କବାଦୀ ଧରାପଡିଛି । ସେନା ପୁରା ଅଂଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛି । ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି ।

ସୂଚନା ମୁତାବକ, ରବିବାର ବିଳମ୍ବିତ ରାତ୍ରୀରେ ଜମ୍ମୁ-କାଶ୍ମୀର ଅନ୍ତର୍ଗତ ବାରମୂଳା ଜିଲ୍ଲାରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବାରୁ ତିନି ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି। ଆହତ ଅବସ୍ଥାରେ ଅନ୍ୟ ଜଣେ ଆତଙ୍କବାଦୀକୁ ଧରା ଯାଇଛି । ସମ୍ପୃକ୍ତ ଅଞ୍ଚଳରେ ନିରାପତ୍ତା ବଳ ତଲାସୀ ଅଭିଯାନ ଆରମ୍ଭ କରିବା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ।

ରାଜ୍ୟ ପୁଲିସ ମହାନିର୍ଦେଶକ ଏସ୍ପି ବୈଦ ଟୁଇଟ୍ କରି କହିଛନ୍ତି ଯେ, ହଣ୍ଡଓ୍ଵାରା ଅନ୍ତର୍ଗତ ୟୁନିସୁଉ ଠାରେ ଜମ୍ମୁ-କାଶ୍ମୀର ପୁଲିସ, ଆର୍ ଆର୍ ଆଣ୍ଡ୍ ସିଆରପିଏଫର ମିଳିତ ଟିମଙ୍କ ଦ୍ୱାରା ପାକସ୍ତାନୀ ପରି ଜଣାପଡୁଥିବା ତିନି ଆତଙ୍କବାଦୀ ନିହତ ହୋଇଛନ୍ତି । ରାତି ତମାମ ବର୍ଷା ଏବଂ ଥଣ୍ଡା ହେଉଥିବା ସତ୍ତ୍ୱେ ଯବାନମାନେ ବାହାରେ ଅଭିଯାନ ଚଳାଇଥିଲେ ।

ସେହିଭଳି ହଣ୍ଡଓ୍ଵାରାରୁ ଲସ୍କର-ଏ-ତୈବାର ଜଣେ ଓଭର୍ ଗ୍ରାଉଣ୍ଡ୍ ଓ୍ଵାର୍କର୍ ଗିରଫ ହେବା ପରେ ରବିବାର ଦିନ ନିରାପତ୍ତା ବଳ ଜିଲ୍ଲାର ହାଜିନ୍ ସହରରେ ତଲାସୀ ଅଭିଯାନ ଆରମ୍ଭ କରିଥିଲା ।