ବିଧାନସଭା ଗୃହ କମିଟିରେ ହାଜର ହେଲେନି ଅଭିଜିତ ଆୟାର!ବାଚସ୍ପତିଙ୍କୁ ମେଲ୍ କରି ମାଗିଲେ କ୍ଷମା, ବୈଜୟନ୍ତଙ୍କ ବନ୍ଧୁଙ୍କୁ ହାଜର କରାଇବାକୁ ଡିଜିପିଙ୍କୁ ନିର୍ଦ୍ଦେଶ

33

କନକ ବ୍ୟୁରୋ : ବିଧାନସଭା ଗୃହ କମିଟିରେ ହାଜର ହେଲେନି ଅଭିଜିତ ଆୟାର ମିତ୍ର । ଓଡିଶା ବିଧାୟକଙ୍କ ସଂପର୍କରେ ଅଶାଳୀନ ମନ୍ତବ୍ୟ ରଖିଥିବା ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତଙ୍କୁ ଆଜି ହାଜର ହେବା ପାଇଁ ଗୃହ କମିଟି ପକ୍ଷରୁ ନୋଟିସ୍ ହୋଇଥିଲା । ମେଲ୍ ଜରିଆରେ ଆସିବା ପାଇଁ ପ୍ରତିଶ୍ରୁତି ଦେବା ସତ୍ୱେ ଆସିଲେନି ଅଭିଜିତ୍ । ବାତ୍ୟା ଯୋଗୁଁ ହୁଏତ ଅଭିଜିତଙ୍କ ଆସିବାରେ ସମସ୍ୟା ହୋଇଥାଇ ପାରେ ବୋଲି କହିଛନ୍ତି ଗୃହ କମିଟି ଅଧ୍ୟକ୍ଷ । ତେଣୁ ଆସନ୍ତା ୨୩ ତାରିଖରେ ପୁଣି ଥରେ ହାଜର ହେବାକୁ ନୋଟିସ୍ କରାଯିବ । ଏବଂ ତାଙ୍କୁ ହାଜର କରିବା ପାଇଁ ଗୃହ କମିଟି ଡିଜିଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛି । ଏପଟେ ମେଲ୍ ଜରିଆରେ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ପ୍ରର୍ଥନା କରିଛନ୍ତି ଅଭିଜିତ୍ ଆୟାର ।

ଓଡ଼ିଶାର ବିଧାୟକଙ୍କ ସଂପର୍କରେ ସାମ୍ବାଦିକ ଅଭିଜିତ୍ ଆୟାର ରଖିଥିବା ମନ୍ତବ୍ୟ ପାଇଁ ତାଙ୍କୁ କ୍ଷମା ମାଗିବାକୁ ପଡ଼ିଛି । ବିଧାୟକଙ୍କୁ ବୁଦ୍ଧୁ ଅର୍ଥାତ୍ ବୋକା କହି ଅଡୁଆକୁ ଆମନ୍ତ୍ରଣ ଦେଇଥିବା ଅଭିଜିତ୍, ମେଲ୍ ଜରିଆରେ ଗୃହ କମିଟି ଆଗରେ କ୍ଷମା ପ୍ରାର୍ଥନା କରିଛନ୍ତି । ହେଲେ ଏହି କ୍ଷମା ପ୍ରାର୍ଥନା ସହ ପ୍ରସଙ୍ଗ ଏଇଠି ସରିନି, କାରଣ ଗୃହ କମିଟିରେ ହାଜର ହୋଇ ନାହାଁନ୍ତି ସାମ୍ବାଦିକ ତଥା ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ୍ ଆୟାର । ମେଲ୍ ଜରିଆରେ ହାଜର ହେବା ପାଇଁ କଥା ଦେବା ସତ୍ୱେ ଗୃହ କମିଟିରେ ଅନୁପସ୍ଥିତ ରହିଛନ୍ତି ।ତେଣୁ ଅଭିଜିତଙ୍କୁ ହାଜର କରିବା ପାଇଁ ଡିଜିଙ୍କୁ ନିର୍ଦ୍ଦେଶ କରାଯାଇଛି ।

ବିଧାୟକଙ୍କ ବ୍ୟତୀତ କୋଣାର୍କର କାରୁକାର୍ଯ୍ୟ ଏବଂ ଶ୍ରୀଜଗନ୍ନାଥଙ୍କୁ ନେଇ ଯେଉଁ ସବୁ ମନ୍ତବ୍ୟ ରଖିଥିଲେ, ସେନେଇ ବିଭିନ୍ନ ଥାନରେ ମାମଲା ରୁଜୁ ହୋଇଛି । ତେବେ ଏହି ସବୁ ମାମଲା ସହ ବିଧାନସଭା ଗୃହ କମିଟିର କୌଣସି ସଂପର୍କ ନାହିଁ ଏବଂ ଏଥିରେ ଗୃହ କମିଟି ହସ୍ତକ୍ଷେପ କରିବ ନାହିଁ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ବଡ କଥା ହେଉଛି- ଅଭିଜିତଙ୍କ ବେଲଗାମ୍ ମନ୍ତବ୍ୟ ସଂପର୍କରେ କଡ଼ା ଟିପ୍ପଣୀ କରିଥିଲେ ସୁପ୍ରିମକୋର୍ଟ । ଗତ ୪ ତାରିଖରେ ଅଭିଜତ୍ଙ୍କ ଜାମିନ୍ ଆବେଦନ ଖାରଜ କରିବା ସହ ‘ଜେଲ ହିଁ ଅଭିଜିତଙ୍କ ପାଇଁ ସୁରକ୍ଷିତ ସ୍ଥାନ ବୋଲି ମତ ରଖିଥିଲେ ।