ଭାଇରାଲ ହେଲା ଇଭାଙ୍କା ଓ ମୋଦିଙ୍କ ଡିନର ଭିଜୁଆଲ ! ଟେଲିଭିଜନ ପରଦାରେ ଚାଲିଲା ରାତ୍ରିଭୋଜନର ସିସିଟିଭି ଚିତ୍ର

65

କନକ ବ୍ୟୁରୋ : ପଦାରେ ପଡିଲା ସୁରକ୍ଷା ବ୍ୟବସ୍ଥାରେ ଦୁର୍ବଳତା । କଟକଣା ସତ୍ୱେ ଲିକ ହେଲା ଇଭାଙ୍କା-ମୋଦିଙ୍କ ଡିନର ଭିଜୁଆଲ । ଟିଭିରେ ଚାଲିଲା ଇଭାଙ୍କା ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ରାତ୍ରୀଭୋଜନ କରୁଥିବାର ଦୃଶ୍ୟ । ମିଡିଆ କଭରେଜ ପାଇଁ କଟକଣା ସତ୍ୱେ ଟେଲିଭିଜନ ପରଦାରେ ଦେଖାଗଲା ରାଜକୀୟ ଆତିଥ୍ୟର ଦୃଶ୍ୟ । ହାଇଦ୍ରାବାଦର ତାଜ ଫାଲକନୁମା ପ୍ୟାଲେସରେ ଇଭାଙ୍କା ଓ ମୋଦିଙ୍କ ଡିନରର ସିସିଟିଭି ଫୁଟେଜ ଟିଭି ପରଦାରେ ପ୍ରଦର୍ଶିତ ହେବା ପରେ ଏହାକୁ ନେଇ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ସାମନାକୁ ଆସିଛି ।

ଆମେରିକା ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଇଭାଙ୍କା ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଫିସିଆଲ ଡିନର ପାଇଁ ମଙ୍ଗଳବାର କଡା ସୁରକ୍ଷା ବ୍ୟବସ୍ଥା ବଳୟରେ ରହିଥିଲା ତାଜ ଫାଲକନୁମା ପ୍ୟାଲେସ । ତଥାପି କିଛି ତେଲୁଗୁ ଟିଭି ଚ୍ୟାନେଲରେ ଏହି ହାଇପ୍ରୋଫାଇଲ ଡିନରର ସିସିଟିଭି ଦୃଶ୍ୟକୁ ପ୍ରସାରିତ କରାଯାଇଥିଲା । ତେବେ ଘଟଣା ସାମନାକୁ ଆସିବା ପରେ ତୁରନ୍ତ ଟିଭି ଚ୍ୟାନେଲକୁ ଏହାର ପ୍ରସାରଣ ବନ୍ଦ କରିବାକୁ କହିଥିଲେ ବରିଷ୍ଠ ପୋଲିସ ଅଧିକାରୀ । ଏହା ପରେ ପ୍ରସାରଣ ବନ୍ଦ ହୋଇଥିଲା । ହେଲେ ତଦନ୍ତ ପରେ ଜଣାପଡିଛି ଯେ ସିଟି ପୋଲିସ କମିଶନରଙ୍କ କମାଣ୍ଡ ଆଣ୍ଡ କଂଟ୍ରୋଲ ସେଂଟରରୁ ଏହି ଭିଡିଓ ଲିକ ହୋଇଛି ।

ଡିନର କାର୍ଯ୍ୟକ୍ରମ ଚାଲିଥିବା ବେଳେ କିଛି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହାୟତାରେ ସାମ୍ବାଦିକମାନେ କମାଣ୍ଡ ଆଣ୍ଡ କଂଟ୍ରୋଲ ସେଂଟରରେ ପ୍ରବେଶ କରିଥିଲେ । ଯେଉଁଥିପାଇଁ ସଂପୃକ୍ତ ଟିଭି ଚ୍ୟାନେଲମାନଙ୍କରେ ଡିନର ଦୃଶ୍ୟ ପ୍ରସାରଣ ହୋଇପାରିଥିଲା ।ସେପଟେ ହାଇଦ୍ରାବାଦ ଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁକନ୍ୟା ତଥା ହ୍ଵାଇଟହାଉସର ଅନ୍ୟତମ ଉପଦେଷ୍ଟା ଇଭାଙ୍କା ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନୈଶଭୋଜିରେ ଆପ୍ୟାୟିତ କରିବା ଘଟଣାରେ କଂଗ୍ରେସ ଆପତ୍ତି ଉଠାଇଛି। ଏହା ଦ୍ୱାରା ମୋଦି ପ୍ରଧାନମନ୍ତ୍ରୀ ପଦବି ପାଇଁ ଉଦ୍ଦିଷ୍ଟ ପ୍ରୋଟୋକଲର ଉଲ୍ଲଂଘନ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଥିଲା ।

ମୋଦିଙ୍କୁ ଇଭାଙ୍କା ଭୂୟସୀ ପ୍ରଶଂସା କରିବା ଘଟଣାକୁ ଆକ୍ଷେପ କରି କଂଗ୍ରେସ ମୁଖପାତ୍ର ଦୀପିନ୍ଦର ହୁଦା କହିଥିଲେ ଯେ ଜଣେ ରାଷ୍ଟ୍ରମୁଖ୍ୟଙ୍କ ଠାରୁ ବି ଅଧିକ ଆତିଥ୍ୟ ମିଳିଗଲେ ଯେ କେହି ବି ପ୍ରଶଂସାରେ ଶତମୁଖ ହୋଇପଡ଼ିବ। ତେବେ ଏଭଳି ପ୍ରଶଂସା ପାଇବାକୁ ଏବଂ ଫଟୋ ଉଠାଇବାକୁ ବିକଳ ହେଉଥିବା ମୋଦି ନିଜେ ହାଇଦ୍ରାବାଦରେ ପହଞ୍ଚିବା ସହ ଇଭାଙ୍କାଙ୍କ ଲାଗି ନୈଶଭୋଜିର ଆୟୋଜନ ମଧ୍ୟ କରିଦେଲେ। ଏହାଦ୍ୱାରା ପ୍ରଧାନମନ୍ତ୍ରୀ ସମସ୍ତ ପରମ୍ପରା ଭଙ୍ଗ କରିଛନ୍ତି ବୋଲି ଦୀପେନ୍ଦର ଅଭିଯୋଗ କରିଥିଲେ । ଯଦି ମୋଦିଙ୍କର ଏଭଳି ଆମେରିକା ରାଷ୍ଟ୍ରପତିଙ୍କ କନ୍ୟାଙ୍କୁ ଏଭଳି ଚର୍ଚ୍ଚା କରିବାର ଥିଲା, ସେ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନକୁ ଇଭାଙ୍କାଙ୍କୁ ନିମନ୍ତ୍ରଣ କରିପାରିଥାନ୍ତେ ବୋଲି ଦୀପେନ୍ଦର କହିଥିଲେ ।