ପାକିସ୍ତାନକୁ ଆମେରିକାର ନାଲି ଆଖି । କହିଲା, ଆତଙ୍କବାଦୀ ଗତିବିଧି ଉପରେ ରୋକ୍ ଲଗାଇବା ସହ ଭାରତ ସହ ସମ୍ପର୍କ ସୁଧାରିବା ପାକିସ୍ତାନର ଦାୟିତ୍ୱ ।

258

କନକ ବ୍ୟୁରୋ : ପାକିସ୍ତାନକୁ ଆମେରିକାର ନାଲି ଆଖି । ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ବଜାୟ ରଖିବା ପାକିସ୍ତାନର ଦାୟିତ୍ୱ ବୋଲି କହିଛି ହ୍ୱାଇଟ ହାଉସ । ଆତଙ୍କବାଦୀ ସଂଗଠନ ଗୁଡିକ ଉପରେ ରୋକ ଲଗାଇବା ସହ ଦକ୍ଷିଣ ଏସିଆ ରାଷ୍ଟ୍ର ଗୁଡିକ ସହ ଶାନ୍ତି ବଜାୟ ରଖିବା ପାକିସ୍ତାନର ଦାୟିତ୍ୱ ବୋଲି ଆମେରିକା ପକ୍ଷରୁ କୁହାଯାଇଛି । ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ତେବେ ହ୍ୱାଇଟ ହାଉସର ଜଣେ ପଦାଧିକାରୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ଏହି ସୂଚନା ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି ।

ଭାରତ ଉପରେ ଆକ୍ରମଣ ରୋକିବା ସହ ଅସ୍ତ୍ରଶସ୍ତ୍ର କିଣାବିକା ଉପରେ ପାକିସ୍ତାନ ରୋକ ଲଗାଇବା ଉଚିତ ବୋଲି ପାକିସ୍ତାନକୁ କହିଛି ଆମେରିକା । ଏପରିକି ଆତଙ୍କବାଦୀ ଗତିବିଧି ଉପରେ ସମ୍ପୂର୍ଣ୍ଣ ଭାବେ ରୋକ ଲଗାଇବା ପାଇଁ ପଦକ୍ଷେପ ନିଆଯାଉ ବୋଲି ଆମେରିକା ଚାହୁଁଥିବା ହ୍ୱାଇଟ ହାଉସର ଜଣେ ପଦାଧିକାରୀ କହିଛନ୍ତି । ତେବେ ଯେପର୍ଯ୍ୟନ୍ତ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲିଥିବ ସେ ପର୍ଯ୍ୟନ୍ତ ଉଭୟ ରାଷ୍ଟ୍ର ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହେବା ଅସମ୍ଭବ ବୋଲି ହ୍ୱାଇଟ ହାଉସ କହିଛି ।