ବାତ୍ୟା ପରର ରିଅଲ ହିରୋ । ଟ୍ୱିନସିଟିବାସୀଙ୍କୁ ସହାୟତାର ହାତ ବଢାଇଲେ କୁଶଳୀ ଛାତ୍ର, କାହା ଘରକୁ ପାଣି ଆସିଲା ତ ପୁଣି କାହା ଘରେ ଦୀର୍ଘ ଦିନ ପରେ ଜଳିଲା ବିଜୁଳି ।

422

କନକ ବ୍ୟୁରୋ : ହାତରେ ବିଦ୍ୟୁତ ସରଞ୍ଜାମ, ସେଫ୍ଟି ପାଇଁ ମୁଣ୍ଡରେ ହେଲମେଟ । ଟ୍ୱିନ୍ ସିଟିରେ ଏବେ ଏଭଳି ଅନେକ ଛାତ୍ରଙ୍କୁ ଦେଖିବାକୁ ମିଳୁଛି । ଘରକୁ ଘର ବୁଲି ବିଦ୍ୟୁତ୍ ଓ ପାନୀୟ ଜଳ ସମସ୍ୟାର ସମାଧାନ କରୁଥିବା ଏହି ଛାତ୍ର ମାନେ ବାତ୍ୟା ପରର ରିଅଲ ହିରୋ ଭାବେ ଉଭା ହୋଇଛନ୍ତି । ବାତ୍ୟା ଫୋନି ପ୍ରଭାବରେ ରାଜ୍ୟର ପ୍ରମୁଖ ସହର ପୁରୀ, ଭୁବନେଶ୍ୱର ଓ କଟକରେ ବିଦ୍ୟୁତ ଓ ପାନୀୟ ଜଳ ସେବା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଏହାର ପୁନଃଉଦ୍ଧାର ପାଇଁ ଏବେ ଆଗେଇ ଆସିଛନ୍ତି ଆଇଟିଆଇ, ଡିପ୍ଲୋମା ଓ ସ୍କିଲ ଇଣ୍ଡିଆର କୁଶଳୀ ଛାତ୍ରମାନେ । ଯେଉଁମାନେ ଟ୍ୱିନ୍ ସିଟରେ ଘରକୁ ଘର ବୁଲି ବିଦ୍ୟୁତ ଓ ପାନୀୟ ଜଳ ସମସ୍ୟାର ସମାଧାନ କରୁଛନ୍ତି ।

ଟ୍ୱିନ୍ ସିଟିର ୪୦ ଡିଗ୍ରୀ ଅସହ୍ୟ ତାତି ଆଗରେ ଏହି ଛାତ୍ର ମାନେ ହାର ମାନିନାହାନ୍ତି । ପ୍ରାୟ ୫୦୦ରୁ ଉଦ୍ଧ୍ୱର୍ କୁଶଳୀ ଛାତ୍ର ଘରକୁ ଘର ବୁଲି ବିଦ୍ୟୁତ ସେବା ଓ ପାନୀୟ ଜଳ ସମସ୍ୟାର ସମାଧାନ କରିବା ସହ ସରକାରଙ୍କ ପୁନଃରୁଦ୍ଧାର କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି । ସରକାର ମୁଖ୍ୟତଃ ମେନ ଲାଇନ ଉପରେ ଫୋକସ କରିଥିବା ବେଳେ ଏହି କୁଶଳୀ ଛାତ୍ର ମାନେ ଘରକୁ ଘର ବୁଲି ନିଜ ଦାୟିତ୍ୱ ତୁଲାଉଛନ୍ତି । ଖାସକରି ଏହି ଛାତ୍ର ମାନେ ପ୍ରତ୍ୟେକ ଘରେ ପହଞ୍ଚି ମାଗଣାରେ ଇଲେକଟ୍ରିକ ବୋର୍ଡ, ସୁଇଚ, ଲାଇଟ, ଫ୍ୟାନ ସଜାଡୁଛନ୍ତି । କେବଳ ଏତିକି ପାଣି ଆସୁନଥିବା ଘରେ ପହଞ୍ଚି ଏହାର ସମାଧାନ କରିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି । ଆଇଟିଆଇ, ଡିପ୍ଲୋମା ଓ ସ୍କିଲ ଇଣ୍ଡିଆର କୁଶଳୀ ଛାତ୍ର ମାନଙ୍କର ଏହି ଛୋଟିଆ ପ୍ରୟାସ ଏବେ ଅନେକଙ୍କ ମୁହଁରେ ହସ ଫୁଟାଇଛି । କାହା ଘରକୁ ଦୀର୍ଘ ଦିନ ପରେ ପାଣି ଆସିଛି ତ ପୁଣି କାହା ଘରେ ପଙ୍ଖା ଘୁରିଛି । ଏପରିକି ବାତ୍ୟା ପରେ ଅନ୍ଧାର ରହିଥିବା ଅନେକଙ୍କ ଘରେ ଆଲୁଅ ଜଳାଇବାରେ ସକ୍ଷମ ହୋଇଛନ୍ତି ଏହି ଛାତ୍ର ମାନେ ।

ଛାତ୍ର ମାନଙ୍କର ଏଭଳି କାର୍ଯ୍ୟ ପାଇଁ ଏବେ ଚାରିଆଡୁ ପ୍ରଂଶସାର ସୁଅ ଛୁଟିଛି । ବାତ୍ୟା ପରର ସଙ୍କଟଜନକ ସ୍ଥିତିରେ ଛାତ୍ର ମାନେ ଏହି ଛୋଟିଆ ପ୍ରୟାସ ମାଧ୍ୟମରେ ଟ୍ୱିନ୍ସିଟିବାସୀଙ୍କ ମନ ଜିଣି ନେଇଛନ୍ତି । ଉପକୃତ ହୋଇଥିବା କିଛି ଲୋକ ଛାତ୍ର ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ତ ପୁଣି କିଛି ଲୋକ ଏଭଳି ସାହାଯ୍ୟ ପାଇଁ ଧନ୍ୟବାଦ ଦେବାକୁ ପଛାଇ ନାହାନ୍ତି । ଏସବୁ ଭିତରେ ନିଜର ଦାୟିତ୍ୱ ତୁଲାଇ ଚାଲିଛନ୍ତି ଏହି ଛାତ୍ର ମାନେ । ଏପରିକି କିଛି ଛାତ୍ରଙ୍କ କହିବା ଅନୁଯାୟୀ, ଏହାଦ୍ୱାରା ଆମକୁ ଫିଲ୍ଡ ଅଭିଜ୍ଞତା ମିଳୁଛି । କଲେଜରେ ଯେଉଁ ପ୍ରାକ୍ଟିକାଲ କରୁଥିଲୁ ତାହାକୁ ଏବେ କାର୍ଯ୍ୟରେ କରୁଛୁ । ଏପରିକି ଏଭଳି କରିବା ଦ୍ୱାରା ଆତ୍ମବିଶ୍ୱାସ ବଢୁଥିବା ଛାତ୍ରମାନେ କହିଛନ୍ତି । ଏହାଦ୍ୱାରା ଆମେ ଅଧିକ ଦକ୍ଷ ହୋଇପାରିବୁ ଓ ଏଭଳି ପରିସ୍ଥିତିର ବେଶ ସହଜରେ ମୁକାବିଲା କରି ପାରିବୁ ।