ଯାତ୍ରାରେ ଅଶ୍ଳୀଳତା, ଆଇଟମ ଗାର୍ଲ ରାଣୀଙ୍କ ମୁହଁତୋଡ ଜବାବ । କହିଲେ ଯାହା କରିଛି ଠିକ୍ କରିଛି, ଆଇଟମ୍ ମାନେ ହିଁ ଅଙ୍ଗପ୍ରଦର୍ଶନ!

642

କନକ ବ୍ୟୁରୋ : ଖୁଲମଖୁଲା ଅଙ୍ଗପ୍ରଦର୍ଶନ କରୁଥିବା ଯାତ୍ରା ଅଭିନେତ୍ରୀ ଆଜି କ୍ୟାମେରା ସାମ୍ନାରେ ‘ଆଇଟମ୍ ସଙ୍ଗ୍’ର ସଂଜ୍ଞା ନିରୁପଣ କରିଛନ୍ତି । କହିଛନ୍ତି- ଆଇଟମ୍ ମାନେ ହିଁ ଅଙ୍ଗ ପ୍ରଦର୍ଶନ । ବଡ କଥା ହେଉଛି ଯାତ୍ରାର ଏହି ଆଇଟମ୍ ଗାର୍ଲ-ରାଣୀ ପଣ୍ଡା ଶନିବାର ଜଣେ ଦର୍ଶକଙ୍କ କାନକୁ କାମୁଡ଼ି ଦେଇଥିଲେ । ଆଉ ଏହି ଘଟଣା ପରେ ଯାତ୍ରାରେ ଅଶ୍ଲିଳତାକୁ ନେଇ ତୀବ୍ର ପ୍ରତିକ୍ରିୟା ଆସିବାରେ ଲାଗିଛି ।

‘ଆଇଟମ୍ ମାନେ ଅଙ୍ଗପ୍ରଦର୍ଶନ’? ଶାଢ଼ୀ ପିନ୍ଧି ହୁଏନି ଆଇଟମ୍ ସଙ୍ଗ୍ ।ଯାତ୍ରା ମଂଚରେ ଦର୍ଶକଙ୍କୁ ନିଜ ଅଙ୍ଗ ପ୍ରଦର୍ଶନ ଏବଂ ଅଶଢ଼ ନାଚ ଜରିଆରେ ମତୁଆଲା କରି ଦେଉଥିବା ଆଇଟମ୍ ଅଭିନେତ୍ରୀ ରାନୀ ପଣ୍ଡାଙ୍କ ଇଏ ହେଉଛି ସ୍ପଷ୍ଟିକରଣ । ଲୋକ ଦେଖୁଛନ୍ତି ବୋଲି ସେଭଳି ନୃତ୍ୟ କରୁଛନ୍ତି ବୋଲି କନକ ନ୍ୟୁଜ୍ ଷ୍ଟୁଡିଓରେ କହିଛନ୍ତି ରାନୀ ।

ଯାତ୍ରା ମଂଚରେ ଅଶ୍ଲିଳ ନାଚ ଏବଂ ଏହାକୁ ନେଇ ବିବାଦ ସେତେବେଳେ ଜୋର ଧରିଥିଲା, ଯେତେବେଳେ ଶନିବାର ଖଣ୍ଡଗିରିର ଯାତ୍ରା ଲଢ଼େଇରେ ଘଟିଥିଲା ଏକ ଅଭାବନୀୟ ଘଟଣା ।ମଂଚ ଉପରେ ମତୁଆଲା ଢ଼ଙ୍ଗରେ ଆଇଟମ୍ ସଙ୍ଗ୍ ପରିବେଶ କରୁଥିଲେ ରାନୀ ପଣ୍ଡା । ଆଉ ଠିକ୍ ଏତିକି ବେଳେ ଜଣେ ଏଭଳି କିଛି ଇଙ୍ଗିତ କରିଥିଲେ, ଯାହାକୁ ନେଇ ରାଗି ଉଠିଲେ ରାନୀ । ଆଉ ଏହା ପରେ ମଂଚ ତଳକୁ ଓହ୍ଲାଇ ଆସି ଯୁବକଙ୍କ କାନକୁ  କାମୁଡି ଦେଇଥିଲେ ।

ଆଉ ଏହି ଘଟଣା ପରେ ଯାତ୍ରା ମଂଚରେ ଅଶ୍ଲିଳତାକୁ ନେଇ ଦେଖିବାକୁ ମିଳିଛି ପ୍ରବଳ ବିରୋଧ । କଳିଙ୍ଗ ସେନା ପକ୍ଷରୁ ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ଖଣ୍ଡଗିରି ପଡ଼ିଆରେ କିଛି ଲୋକ ଯାତ୍ରା ପୋଷ୍ଟର ଚିରାଫୋପଡା କରିଛନ୍ତି । ଏପଟେ ଯାତ୍ରାରେ ଅଶ୍ଳୀଳତାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପୁଲିସ୍ କମିଶନର ।

ତେବେ ବଡ କଥା ହେଉଛି- ଯାତ୍ରା ପଡ଼ିଆରେ ଅଶ୍ଲିଳତାକୁ ନେଇ କୌଣସି ଅଘଟଣ ଘଟିଲେ ଏମିତି ପ୍ରତିବାଦ ହୁଏ ଏବଂ ସବୁ କିଛି ଶାନ୍ତ ପଡ଼ିଗଲେ ପୂର୍ବ ଭଳି ଜାରି ରୁହେ ଏହି ଅଶ୍ଳୀଳତାର ଧାରା । ବୋଧେ ସେଇଥି ପାଇଁ ବାରମ୍ବାର ବିରୋଧ ସତ୍ୱେ ବର୍ଷ ବର୍ଷ ଧରି ମେଲୋଡି ନାଁରେ ଖୁଲମଖୁଲା ଜାରି ରହିଛି ଅଶ୍ଳୀଳତା ।