ଚୀନକୁ ପ୍ରତିଜବାବ ଦେବା ପାଇଁ ସେନାର ନୂଆ ପ୍ରୟାସ ! ଏଣିକି ପ୍ରତି ଆଇଟିବିପି ଯବାନ ଶିଖିବେ ମନ୍ଦାରିନ ଭାଷା

47

କନକ ବ୍ୟୁରୋ : ଏଣିକି ଚୀନକୁ ତା ଭାଷାରେ ଜବାବ ଦେବ ଭାରତ । ଏଥିପାଇଁ ଭାରତ ଏକରକମର ପ୍ରସ୍ତୁତିପର୍ବ ଆରମ୍ଭ କରିସାରିଛି । ଏଥିପାଇଁ ଚୀନ୍ ସୀମାବର୍ତ୍ତୀ ଅଞ୍ଚଳରେ ପ୍ରହରା ଦେଉଥିବା ଭାରତୀୟ ଆଇଟିବିପି ଯବାନଙ୍କୁ ଚୀନ୍ ଭାଷା ମନ୍ଦାରିନ ଶିଖିବା ପାଇଁ ଟ୍ରେନିଂ ଦିଆଯିବ । ବର୍ଡରରେ ଡ୍ରାଗନ ବାହିନୀର କଥାବାର୍ତ୍ତାକୁ ସହଜରେ ବୁଝିବା ପାଇଁ ଏହି ଟ୍ରେନିଂ ଦିଆଯିବ ।

ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଧରି ଡୋକଲାମ ଅଞ୍ଚଳକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନାମୁଳକ ପରିସ୍ଥିତି ଲାଗି ରହିଛି । ସୀମାରେ ଡ୍ରାଗନବାହିନୀ ସବୁବେଳେ ଭାରତ ବିପକ୍ଷରେ କିଛି ନା କିଛି ଷଡଯନ୍ତ୍ର ରଚନା କରୁଛି । କିନ୍ତୁ ଏବେ ଡ୍ରାଗନବାହିନୀର ଭାରତ ବିରୋଧୀ ଷଡଯନ୍ତ୍ରରେ ଲାଗିବ ବ୍ରେକ । ଡ୍ରାଗନବାହିନୀର ପ୍ରତି ଚାଲାଖିକୁ ବୁଝିବା ପାଇଁ ଭାରତ ସୀମାକୁ ସୁରକ୍ଷା ଦେଉଥିବା ଆଇଟିବିପି ଯବାନଙ୍କୁ ଚୀନ୍ ଭାଷାରେ ନିପୂଣ କରିବା ପାଇଁ ଟ୍ରେନିଂ ଦିଆଯାଉଛି । ମସୁରୀରେ ଆଇଟିବିପି ଯବାନଙ୍କୁ ଏହି ଟ୍ରେନିଂ ଦିଆଯାଉଛି ।

ପ୍ରଥମ ପର୍ଯ୍ୟାୟରେ ଚୀନ୍ ଭାଷା ମନ୍ଦାରିନରେ ନିପୁଣ ଥିବା ୧୨ ଯବାନଙ୍କୁ ଭାରତ-ଚୀନ୍ ସୀମାରେ ଅବସ୍ଥାପିତ କରାଯିବ । ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୦୦ରୁ ୨୫୦ ଜଣ ଅଧିକାରୀ ଓ ଯବାନ ଜେଏନୟୁରୁ ଚୀନ୍ ଭାଷା ଉପରେ ଟ୍ରେନିଂ ନେଇ ସାରିଲେଣି । ଏବେ ଭାରତ-ଚୀନ୍ ସୀମାରେ ଅଧିକାରୀସ୍ତରୀୟ ବୈଠକରେ ପ୍ରତିପକ୍ଷ ଚୀନ୍ ଅଧିକାରୀଙ୍କ ଭାଷା ବୁଝିବାରେ ଏହି ଯବାନ ମାନେ ସାହାଯ୍ୟ କରିବେ ।

ଚୀନ୍ ଭାଷା ଶିଖିବା ପଛର କାରଣ

ପୂର୍ବରୁ ଅନେକଥର ଡ୍ରାଗନବାହିନୀ ଜାଣିଶୁଣି ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିବାର ନଜିର ରହିଛି । ଡ୍ରାଗନବାହିନୀ ଭାରତୀୟ ସୀମାରେ ଅନୁପ୍ରବେଶ କରିବା ସହ ଚୀନ୍ ଭାଷାରେ କଥାବାର୍ତ୍ତା କରିଥାନ୍ତି । ସେମାନେ ଯାହା କଥା ହୋଇଥାନ୍ତି ତାହା ଭାରତୀୟ ସେନା ପକ୍ଷରେ ବୁଝିବା କଷ୍ଟକର ହୋଇଥାଏ । ତେଣୁ ଚୀନର ଚାଲାଖି ବିଷୟରେ ଯବାନମାନେ ଉପରିସ୍ଥ ଅଧିକାରୀଙ୍କୁ ସଠିକ୍ ସୂଚନା ଦେଇ ପାରିନଥାନ୍ତି । ଏପିରିକି ଆଇଟିବିପି ଯବାନ ଚୀନ୍ ଭାଷା ଜାଣି ନଥିବାରୁ ଡ୍ରାଗନବାହିନୀଙ୍କୁ ଘଉଡାଇବା ପାଇଁ ଏକ ଲାଲ ରଙ୍ଗର ପୋଷ୍ଟର ବ୍ୟବହାର କରିଥାନ୍ତି । ଯେଉଁଥିରେ ‘ଗୋ ବ୍ୟାକ’ ବୋଲି ଲେଖାଯାଇଥାଏ । ତେଣୁ ଚୀନକୁ ତା ନିଜ ଭାଷାରେ ଜବାବ ଦେବା ପାଇଁ ଭାରତର ଏହି ପ୍ରୟାସ ନିହାତି ଭାବେ ଚୀନର ଚାଲାଖିକୁ ପଦାରେ ପକାଇବ ।