କର୍ଣ୍ଣାଟକର ୩ ବିଜେପି ନେତାଙ୍କ ଘରେ ଆୟକର ଚଢ଼ାଉ ! ୮୩ ଲକ୍ଷ ଟଙ୍କା ସହ ୫୬୦ ଗ୍ରାମ ସୁନା ଜବତ

847

କନକ ବ୍ୟୁରୋ : ଦେଶରେ ନିର୍ବାଚନ ଆରମ୍ଭ ହୋଇଯାଇଥିବାବେଳେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ନଗଦ ଟଙ୍କାର ବ୍ୟାପକ ବ୍ୟବହାର ହେଉଥିବା ନିର୍ବାଚନ ଆୟୋଗ ଓ ଆୟକର ବିଭାଗ ପାଖକୁ ସୂଚନା ମିଳିବାରେ ଲାଗିଛି । ଏଥିପାଇଁ ଆୟୋଗର ଦଳ ଓ ଆୟକର ବିଭାଗର ଫ୍ଲାଇଂ ସ୍କ୍ଵାଡ ବିଭିନ୍ନ ଅଞ୍ଚଳରେ ଚଢଉ ଜାରି ରଖିଛି । ପ୍ରଥମେ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ବିଶ୍ୱସ୍ତ ଅଧିକାରୀଙ୍କଠାରୁ ପ୍ରାୟ ୨୫୦ କୋଟି ନଗଦ ଜବତ ହୋଇଥିଲା । ଏହା ପରେ କର୍ଣ୍ଣାଟକ, ତାମିଲନାଡୁର ବିଭିନ୍ନ ସ୍ଥାନରୁ ନଗଦ ଟଙ୍କା ଜବତ ହୋଇଛି । ଗତକାଲି ଡିଏମକେ ନେତ୍ରୀ କାନିମୋଝିଙ୍କ ଘରେ ମଧ୍ୟ ଆୟକର ବିଭାଗ ଚଢଉ କରିଥିଲା । କେନ୍ଦ୍ରର ବିଜେପି ସରକାରଙ୍କ ଇଙ୍ଗିତରେ ଆୟକର ବିଭାଗ ବିରୋଧୀ ଦଳର ନେତାମାନଙ୍କ ଘରେ ଏପରି ଚଢଉ କରୁଥିବା ବିଭିନ୍ନ ଦଳ ଅଭିଯୋଗ କରୁଛନ୍ତି ।

କିନ୍ତୁ ଆଜି କର୍ଣ୍ଣାଟକର ତିନିଜଣ ବିଜେପି ନେତାଙ୍କ ଘରେ ମଧ୍ୟ ଆୟକର ଚଢଉ ହୋଇଛି । ସେମାନଙ୍କଘରୁ ନଗଦ ପ୍ରାୟ ୮୨.୭ ଲକ୍ଷ ଟଙ୍କା ଓ ୫୬୦ ଗ୍ରାମ (୫୬ ଭରି) ସୁନା ଅଳଙ୍କାର ଜବତ ହୋଇଛି । ଏହି ତିନିଜଣ ବିଜେପି ନେତା ହେଲେ କ୍ରିଷ୍ଣା ଦେବଡିଗା, ଆରଡି ହେଗଡେ ଓ କେଜି ନାଏକ । ଉତ୍ତର କନ୍ନଡ ଜିଲ୍ଲାର ସିରସି ଓ ସିଦ୍ଦପୁର ଅଂଚଳରେ ଥିବା ଏହି ନେତାଙ୍କ ଘରେ ଚଢଉ ହୋଇଥିଲା । ହୁବାଲି ଓ ଗୋଆ ଆୟକର ବିଭାଗର ପ୍ରାୟ ୧୨ ଜଣ ଅଧିକାରୀ ଏହି ଚଢଉରେ ସାମିଲ ଥିଲେ । ଗତ କାଲି କର୍ଣ୍ଣାଟକର ବିଜେପି ନେତା ୟେଦ୍ୟୁରାପ୍ପାଙ୍କ ଗାଡ଼ିରେ ମଧ୍ୟ ଆୟକର ଚଢଉ ହୋଇଥିଲା ।