ରାଜ୍ୟରେ ଘଡଘଡି ସହ କାଳବୈଶାଖୀ ସମ୍ଭାବନା : ୩ଟି ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କ ସୂଚନା

757

କନକ ବ୍ୟୁରୋ : ରାଜ୍ୟରେ ଘଡଘଡି ସହ କାଳବୈଶାଖୀ ସମ୍ଭାବନା ଅଛି । ୩ଟି ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି । ସୁନ୍ଦରଗଡ, ମୟୁରଭଂଜ ଓ ବାଲେଶ୍ୱରରେ ବର୍ଷା ସମ୍ଭାବନା ରହିଛି । ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ସତର୍କ ରହିବାକୁ ପରାମର୍ଶ ଦେଇଛି ରାଜ୍ୟ ପାଣିପାଗ ବିଭାଗ ।

 

ଏପଟେ ଅସମ୍ଭାଳ ହେଉଛି ତାତି । ଶନିବାର ୬ଟି ସହରର ତାପମାତ୍ରା ୪୦ଡିଗ୍ରୀ ଟପିଯାଇଛି । ମାଲକାନଗିରିରେ ସର୍ବାଧିକ ୪୨.୬ ଡିଗ୍ରୀ ଟପିଛି ତାପମାତ୍ରା । ସେହିପରି ଟିଟିଲାଗଡରେ ୪୧.୫ଡିଗ୍ରି , ଅନୁଗୁଳରେ ୪୦.୭ ଡିଗ୍ରି ଛୁଇଁଥିଲା ପାରଦ । ସୋନପୁରରେ ୪୦.୬ଡିଗ୍ରିରେ ପହଁଚି ଯାଇଥିଲା । ଝାରସୁଗୁଡାରେ ମଧ୍ୟ ପାରଦ ୪୦ ଡିଗ୍ରି ଛୁଇଁଥିଲା । କଟକରେ ଶୁକ୍ରବାର ସର୍ବାଧିକ ତାପମାତ୍ରା ୩୬.୨ ଡିଗ୍ରି ଥିଲା । ମାତ୍ର ଗୋଟିଏ ଦିନ ପରେ ଅର୍ଥାତ ଶନିବାର ୪ ଡିଗ୍ରି ବଢ଼ି ପାରଦ ୪୦.୧ଡିଗ୍ରିରେ ପହଂଚିଯାଇଥିଲା ।ଭୁବନେଶ୍ୱରରେ ଅସହ୍ୟ ହୋଇଛି ତାତି । ଦିନକରେ ବଢ଼ିଛି ୨ଡିଗ୍ରି । ୧୦ଟାରୁ ୩ଟା ପର୍ଯ୍ୟନ୍ତ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ତତଲା ପବନ ସାଂଗକୁ ନିଆଁ ବର୍ଷା ସାରା ରାଜ୍ୟରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଛି । ଦିନ ୧୧ଟା ପରେ ନିଆଁ ବର୍ଷା ହେଲା ଭଳି ତାତି ହେଉଛି ।