କେରଳ ସାବରିମାଳାରେ ୧୨ ଘଂଟିଆ ବନ୍ଦ ପାଳନ ! ବିକ୍ଷୋଭକାରୀ ଓ ସରକାରଙ୍କ ମଧ୍ୟରେ ଛକାପଂଝା, ଆଜି ବି ମନ୍ଦିର ଭିତରେ ପଶି ପାରିଲେନି ମହିଳା ।

32

କନକ ବ୍ୟୁରୋ : ସାବରିମାଳା ମନ୍ଦିର ବିବାଦ ଥମିବାର ନାଁ ଧରୁନି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ସାବରିମାଳା ମନ୍ଦିର ଭିତରକୁ ମହିଳା ପ୍ରବେଶ କରିପାରୁନାହାନ୍ତି । ମନ୍ଦିର ଭିତରେ ମହିଳାଙ୍କ ପ୍ରବେଶକୁ ବିରୋଧ କରୁଥିବା ବିଭିନ୍ନ ସଂଗଠନ ପକ୍ଷରୁ ଆଜି କେରଳ ୧୨ ଘଂଟିଆ ବନ୍ଦ ପାଳନ କରାଯାଇଛି । ସେପଟେ ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ରାଜ୍ୟର ବିଭିନ୍ନ ସହରରେ ୧୪୪ ଧାରା ଜାରି କରାଯାଇଛି । ସାବରିମାଳା ଓ ଏହାର ଆଖପାଖ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

ଥମୁନି ସାବରିମାଳା ମନ୍ଦିର ପ୍ରବେଶ ବିବାଦ । ମହିଳାଙ୍କୁ ପ୍ରବେଶ କରିବାକୁ ମିଳୁ ନାହିଁ ସୁଯୋଗ ।ବୁଧବାର ସଂଧ୍ୟା ୫ଟାରେ ପ୍ରସିଦ୍ଧ ସାବରିମାଳା ମନ୍ଦିରର ଫାଟକ ଖୋଲିଥିଲା, କିନ୍ତୁ ଆୟପ୍ପା ଅନୁଗାମୀଙ୍କ କଡା ବିରୋଧ ଭିତରେ କୌଣସି ମହିଳା ମନ୍ଦିରକୁ ପ୍ରବେଶ କରି ପାରି ନଥିଲେ । ମନ୍ଦିରକୁ ଯିବା ବାଟରେ ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀ ମହିଳାଙ୍କୁ ଅଟକାଇଥିଲେ । ସେପଟେ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ୧୨ ଘଂଟିଆ କେରଳ ବନ୍ଦ ଡାକରା ଦିଆଯାଇଥିଲା । ରାଜ୍ୟର ବିଭିନ୍ନ ସହରରେ ପ୍ରଶାସନ ୧୪୪ ଧାରା ଲାଗୁ କରିଛି । ସାବରିମାଳା ଏବଂ ଆଖପାଖ ଅଂଚଳରେ କଡା ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଏହି ବାଦ ବିବାଦ ଭିତରେ ଶ୍ରଦ୍ଧାଳୁ ଆୟପ୍ପାଙ୍କ ଦର୍ଶନ କରୁଛନ୍ତି ।

ତୀବ୍ର ବିରୋଧ ଭିତରେ ବୁଧବାର କିଛି ମହିଳା ମନ୍ଦିରର ପାହାଚ ଯାଏଁ ଯାଇଥିଲେ । କିନ୍ତୁ ବିକ୍ଷୋଭକାରୀ ସେମାନଙ୍କୁ ପ୍ରବେଶ କରିବାକୁ ଦେଇ ନଥିଲେ । ଏପଟେ ସାବରିମାଳା ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି । କଂଗ୍ରେସ, ରାଜ୍ୟ ସରକାର ଓ ବିଜେପିକୁ ଦୋଷ ଦେଉଥିବା ବେଳେ ସମାଜବାଦୀ ପାର୍ଟି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛି । ବିକ୍ଷୋଭକାରୀ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ ଆକ୍ରମଣ କରିଥିବା ସାମ୍ନାକୁ ଆସିଛି । ସେପଟେ ସବୁ ବୟସର ମହିଳାଙ୍କୁ ମନ୍ଦିର ପ୍ରବେଶ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ କେରଳ ଅଶାନ୍ତ ହୋଇ ପଡିଛି ।