ଇସ୍ରୋ ବନିବ ଗୁରୁ : ବିଦେଶୀ ବୈଜ୍ଞାନିକଙ୍କୁ ତାଲିମ ଦେବେ ଭାରତୀୟ ବୈଜ୍ଞାନିକ

39

କନକ ବ୍ୟୁରୋ : ବିଦେଶୀ ବୈଜ୍ଞାନିକଙ୍କୁ ତାଲିମ ଦେବେ ଭାରତୀୟ ବୈଜ୍ଞାନିକ । ଭାରତର ପ୍ରମୁଖ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଅନ୍ୟ ଦେଶର ବୈଜ୍ଞାନିକଙ୍କୁ କୃତ୍ରିମ ଉପଗ୍ରହ ନିର୍ମାଣ କୌଶଳ ଶିଖାଇବ । ଅଷ୍ଟ୍ରିଆର ଭିଏନାଠାରେ ଅନୁଷ୍ଠିତ ୟୁନିସ୍ପେଶ-୫୦ ସମ୍ମିଳନୀରେ ଏନେଇ ଘୋଷଣା କରିଛି ଇସ୍ରୋ । ଆଫ୍ରିକା ଓ ୟୁଏଇ ପରି କେତେକ ଦେଶର ବୈଜ୍ଞାନିକଙ୍କୁ କୃତ୍ରିମ ଉପଗ୍ରହ ନିର୍ମାଣ ନେଇ ଭାରତ ତାଲିମ ଦେବ ବୋଲି ଇସ୍ରୋ ଅଧ୍ୟକ୍ଷ କେ.ଶିବନ କହିଛନ୍ତି । ଏହି ତାଲିମ ଓ ଜ୍ଞାନକୌଶଳର ବ୍ୟବହାର କରି ସେହି ଦେଶମାନେ ନିଜେ ଉପଗ୍ରହ ନିର୍ମାଣ କରିପାରିବେ । ଯଦି ଏହିସବୁ ଉପଗ୍ରହ ଗୁଡିକ ସମସ୍ତ ପରୀକ୍ଷଣ ଓ ମାନଦଣ୍ଡରେ ଉତ୍ତୀର୍ଣ୍ଣ ହୁଏ ତେବେ ଇସ୍ରୋ ପକ୍ଷରୁ ଏଗୁଡିକ ଉତକ୍ଷେପଣ କରାଯିବ ବୋଲି କୁହାଯାଇଛି । ଭାରତର ଏହି ପଦକ୍ଷେପକୁ ୟୁନିସ୍ପେଶ-୫୦ର ସଦସ୍ୟ ଦେଶମାନେ ଏହାକୁ ସ୍ୱାଗତ କରିଛନ୍ତି ।

ସୂଚନାଯୋଗ୍ୟ ଯେ ୟୁନିସ୍ପେଶ-୫୦ ହେଉଛି ମହାକାଶର ଶାନ୍ତିପୂର୍ଣ୍ଣ ଆବିଷ୍କାର ଓ ଉପଯୋଗ ପାଇଁ ଗଠିତ ମିଳିତ ଜାତିସଂଘର ଏକ ସଂସ୍ଥା । ଏହା ୧୯୬୮ ମସିହାରେ ଗଠିତ ହୋଇଥିଲା । ଏହି ସଂଗଠନ ଚଳିତ ବର୍ଷ ନିଜର ୫୦ ତମ ବର୍ଷ ପାଳନ କରୁଛି ।