ଭାରତର ଆଉ ଏକ ଚନ୍ଦ୍ର ଅଭିଯାନ! ୨୦୧୮ରେ ଇସ୍ରୋର ‘ଚନ୍ଦ୍ରାୟନ-୨’

63

A S kiran୨୦୧୮ ଏପ୍ରିଲ ସୁଦ୍ଧା ମହାକାଶରେ ଉଡିବ ଚନ୍ଦ୍ରାୟନ-୨ । ଏହା କହିଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା – ଇସ୍ରୋର ମୁଖ୍ୟ ଏଏସ କିରଣ କୁମାର । ଚେନ୍ନାଇ ସ୍ଥିତ ଭେଲସ୍ ବିଶ୍ୱବିଦ୍ୟାଳୟର ସପ୍ତମ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଇ ସେ ଏହା ସ୍ପଷ୍ଟ କରିଛନ୍ତି । ବର୍ତ୍ତମାନ ଚନ୍ଦ୍ର ଅଭିଯାନ ପାଇଁ ମହାକାଶ ଯାନର ପରୀକ୍ଷାନିରୀକ୍ଷା ଚାଲିଛି ।

କିଭଳି ସୁରକ୍ଷିତ ଭାବେ ମହାକାଶଯାନ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଏବଂ ମହାକାଶଚାରୀ ସୁରକ୍ଷିତ ଭାବେ ପହଂଚି ଗବେଷଣା କରିବେ ସେନେଇ ଅଧିକ ତର୍ଜମା ଚାଲିଥିବା କହିଛନ୍ତି ଏଏସ କିରଣ କୁମାର । ସେ କହିଛନ୍ତି ୨୦୧୮ ମସିହା ପ୍ରଥମ ଚାରିମାସ ମଧ୍ୟରେ ଇସ୍ରୋର ତାର ଦ୍ୱିତୀୟ ଚନ୍ଦ୍ର ଅଭିଯାନ କରିବ । ଗବେଷଣାଗାରରେ କୃତ୍ରିମ ଚନ୍ଦ୍ର ପୃଷ୍ଠର ସ୍ଥିତି ନିର୍ମାଣ କରି ବୈଜ୍ଞାନିକ ଅଧିକ ପରୀକ୍ଷା କରୁଛନ୍ତି । ଚନ୍ଦ୍ରାୟନ-୨ର ଏକାଧିକ ପରୀକ୍ଷା ହେବ କ୍ରମାଗତ ହେବାକୁ ଅଛି ବୋଲି କିରଣ କୁମାର କହିଛନ୍ତି ।

ପୂର୍ବରୁ ୨୦୦୮ ଅକ୍ଟୋବର ୨୨ ତାରିଖରେ ଇସ୍ରୋର ତାର ପ୍ରଥମ ଚନ୍ଦ୍ର ଅଭିଯାନ ଚନ୍ଦ୍ରାୟନ-୧ ମହାକାଶକୁ ପଠାଇଥିଲା । ସେହି କ୍ରମରେ ୨୦୧୮ରେ ଚନ୍ଦ୍ରାୟନ-୨ ମହାକାଶକୁ ପଠାଯିବ ଏବଂ ଏହିଯାନକୁ ବୋହିନେବ ଜିଏସଏଲଭି-ଏମକେ୨ ରକେଟ୍ । ଏହି ଅଭିଯାନରେ ଇସ୍ରୋ ନିଜ ଜ୍ଞାନକୌଶଳରେ ନିର୍ମିତ ଏକ ଲୁନାର ଅର୍ବିଟର (ଚନ୍ଦ୍ରକୁ ପରିକ୍ରମଣ କରିବ), ଲାଣ୍ଡର (ଚନ୍ଦ୍ରପୃଷ୍ଠରେ ଅବତରଣ କରିବ) ଓ ଲୁନାର ରୋଭର (ଚନ୍ଦ୍ରରେ ଗବେଷଣା କରିବ) ସାମିଲ କରିବ । ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଭାରତ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ସ୍ଥାପନ କରିଚାଲିଛି ।