ନୂଆବର୍ଷରେ ଇସ୍ରୋ ରଚିବ ଇତିହାସ । ୩୧ ଟି ଉପଗ୍ରହକୁ ନେଇ ମହାକାଶ ଯିବ ପିଏସଏଲଭି

38

କନକ ବ୍ୟୁରୋ : ଇତିହାସ ରଚିବ ଭାରତ । ଶହେତମ ଉପଗ୍ରହ ପଠାଇବା ପାଇଁ  ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଆଜି ସକାଳ ସକାଳ ୯ଟା ୨୯ରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଏହାର ଶହେତମ ଉପଗ୍ରହ ସହିତ ଅନ୍ୟ ୩୦ଟି କ୍ଷୁଦ୍ର ଉପଗ୍ରହକୁ ଉତକ୍ଷେପଣ କରିବା ଲାଗି ସମସ୍ତ ପ୍ରସ୍ତୁତି ଶେଷ କରିଛି। ଏପରିକି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଉତକ୍ଷେପଣ କେନ୍ଦ୍ରରୁ ସଂଘଟିତ ହେବାକୁ ଥିବା ଏହି ବିରଳ ମୁହୂର୍ତ୍ତ ପାଇଁ ଗୁରୁବାର ସକାଳୁ ୨୮ ଘଣ୍ଟିଆ ଅବଗଣନା ଆରମ୍ଭ ହୋଇଯାଇଛି।

ଇସ୍ରୋ ନିଜର ଶକ୍ତିଶାଳୀ ପୋଲାର ସାଟେଲାଇଟ ଲଞ୍ଚ ଭେହିକଲ(ପିଏସଏଲଭି) ଶ୍ରେଣୀୟ ଉପଗ୍ରହ ପରିବହନକାରୀ ଉତକ୍ଷେପକ ମାଧ୍ୟମରେ ୨୫୦ରୁ ଅଧିକ ସ୍ୱଦେଶୀ ଓ ବିଦେଶୀ କୃତ୍ରିମ ଉପଗ୍ରହକୁ ସଫଳତାର ସହ ସେମାନଙ୍କ କକ୍ଷପଥରେ ସ୍ଥାନିତ କରିସାରିଛି। ଏଥିରେ ଉତ୍ସାହିତ ହୋଇ ଇସ୍ରୋ ଏହାର ୪୨ତମ ଅଭିଯାନରେ ପିଏସଏଲଭି-ସି୪୦ ରକେଟ ମାଧ୍ୟମରେ ଛୋଟବଡ଼ ୩୧ଟି ଉପଗ୍ରହକୁ ମହାକାଶ ପଠାଇବା ପାଇଁ ପୂର୍ଣ୍ଣ ପ୍ରସ୍ତୁତି ସାରିଛି।

ତେବେ ବିଶେଷତ୍ୱ ହେଲା, ଏହା ଦ୍ୱାରା ଇସ୍ରୋ ସେହି ରକେଟରେ ବହୁସ୍ତରୀୟ ଇନ୍ଧନ ଦହନ ଜ୍ଞାନକୌଶଳର ମଧ୍ୟ ଉନ୍ନୀତ ପରୀକ୍ଷଣ କରିବ। ଭୂପୃଷ୍ଠରୁ ପିଏସଏଲଭି-ସି୪୦ ଉତକ୍ଷେପଣ ହେବା ପରେ ପରେ ସେଥିରେ ୪ ଥର ଧରି ଏପରି ଇନ୍ଧନ ଦହନ ପ୍ରକ୍ରିୟା ଉତଜୀବିତ ରହି ଖଞ୍ଜାଯାଇଥିବା କୃତ୍ରିମ ଉପଗ୍ରହଗୁଡ଼ିକୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କକ୍ଷପଥରେ ସ୍ଥାନିତ କରିବ।