ମହାକାଶକୁ ଯିବେ ୩ ଭାରତୀୟ ! କେନ୍ଦ୍ର କ୍ୟାବିନେଟରେ ଗଗନଯାନ ଯୋଜନାକୁ ମଂଜୁରୀ, ୨୦୨୨ ସୁଦ୍ଧା ମହାକାଶରେ ପହଞ୍ଚିବାକୁ ଲକ୍ଷ୍ୟ ।

141

କନକ ବ୍ୟୁରୋ : ମହାକାଶ ଗବେଷଣା କ୍ଷେତ୍ରରେ ଆଜି ଏକ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଗଗନଯାନ ପ୍ରକଳ୍ପ ପାଇଁ ୧୦ ହଜାର କୋଟି ଟଙ୍କା ମଞ୍ଜୁରୀ ଦେଇଛି କେନ୍ଦ୍ରୀୟ କ୍ୟାବିନେଟ୍ । ୨୦୨୨ ସୁଦ୍ଧା ୩ ଜଣ ଭାରତୀୟ ମହାକାଶକୁ ଯିବା ପାଇଁ ଏଥିରେ ଲକ୍ଷ୍ୟ ରଖାଯାଇଛି । ଆଉ ଏହି ଗଗନଯାନ ଅଭିଯାନର ସଫଳ ହେଲେ ଏକ ଅଦ୍ଭୂତପୂର୍ବ ସ୍ତରରେ ପହଂଚିବ ଭାରତୀୟ ମହାକାଶ ଗବେଷଣା ।

ମହାକାଶରେ ରହିବେ ୩ ଜଣ ଭାରତୀୟ ମହାକାଶଚାରୀ । ୨୦୨୨ ସୁଦ୍ଧା ମହାକାଶରେ ପାଦ ଥାପିବାର ଭାରତର ସ୍ୱପ୍ନ ପୁରା ହେବ । ନିଜ ଦେଶର ଜ୍ଞାନକୌଶଳରେ ଗଢା ହୋଇଥିବା ଯାନରେ ମହାକାଶ ଯାତ୍ରା କରିବେ ଏହି ମହାକାଶଚାରୀ । ଏହା ସଫଳ ହେଲେ ମଣିଷ ନେଇ ମହାକାଶ ଯାତ୍ରା କରିବାରେ ଭାରତ ହେବ ଚତୁର୍ଥ ଦେଶ । ପୂର୍ବରୁ ଋଷିଆ, ଆମେରିକା ଓ ଚୀନ ମହାକାଶକୁ ମହାକାଶଚାରୀ ପଠାଇ ସାରିଛନ୍ତି । ଭାରତର ଏହି ଅଭିଯାନର ନାଁ ରହିଛି ଗଗନଯାନ ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା, ଇସ୍ରୋ ଗତ କିଛି ବର୍ଷ ଧରି ଗବେଷଣା ଜାରି ରଖିଛି । ଏନେଇ ନିଜସ୍ୱ ଜ୍ଞାନକୌଶଳରେ ପ୍ରସ୍ତୁତ ହେଉଛି ପୁରା କାର୍ଯ୍ୟକ୍ରମ । ଏବେ ନଜର ପକାଇବା ଗଗନଯାନ ଅଭିଯାନ ସଂପର୍କରେ ।

– ମାନବଯୁକ୍ତ ମହାକାଶଯାନ

– ୩ ଜଣ ମହାକାଶଚାରୀ ଯାତ୍ରା କରିବେ

– ମହାକାଶ ଯାନର ଓଜନ ପ୍ରାୟ ୩.୭ଟନ

– ମହାକାଶଚାରୀ ୭ ଦିନ ଧରି ଶୂନ୍ୟରେ ଅବସ୍ଥାନ କରିବେ

– ମହାକାଶଯାନ ୪୦୦ କିଲୋମିଟର ଉପରେ ରହି ପୃଥିବୀକୁ ପରିକ୍ରମଣ କରିବ

– ପିଏସଏଲଭି – ମାର୍କ ୩ ରକେଟ୍ ଦ୍ୱାରା ମହାକାଶଯାନର ଉତକ୍ଷେପଣ ହେବ

ଏହି ମହାକାଶ ଅଭିଯାନ ସମୟରେ ମାଇକ୍ରୋ ବାଇଲଜିକାଲ ଗବେଷଣା କରାଯିବ । ଏହି ଅଭିଯାନ ପୂର୍ବରୁ ୨୦୨୦ ଓ ୨୦୨୧ରେ ଦୁଇ ଥର ବିନା ମହାକାଶଚାରୀରେ ଦୁଇଟି ଅଭିଯାନ କରିବ ଇସ୍ରୋ । ତେବେ ମାର୍ଚ୍ଚ ୨୦୧୯ ସୁଦ୍ଧା ଇସ୍ରୋ ପ୍ରାୟ ୧୯ଟି ପ୍ରକଳ୍ପ ଶେଷ କରିବାର ଲକ୍ଷ୍ୟ ରଖିଛି । ଏହି ପ୍ରକଳ୍ପ ପାଇଁ ୧୦ ହଜାର କୋଟିର ଖର୍ଚ୍ଚ ପାଇଁ ଅନୁମତି ପ୍ରଦାନ କରିଛି କେନ୍ଦ୍ର କ୍ୟାବିନେଟ । ଗଗନଯାନ ଅଭିଯାନର ସଫଳତା ସହ ଏକ ଅଦ୍ଭୂତପୂର୍ବ ସ୍ତରରେ ପହଂଚିବ ଭାରତୀୟ ମହାକାଶ ଗବେଷଣା ।