ଜହ୍ନରାଇଜରେ ଘର ! ଚନ୍ଦ୍ରପୃଷ୍ଠରେ ଇଗଲୁ ଭଳି ଘର ତୋଳିବାକୁ ଇସ୍ରୋର ଯୋଜନା

36

ଚନ୍ଦ୍ରରେ ଘର । ହଁ ଏପରି କିଛି ଯୋଜନା କରୁଛି ଇସ୍ରୋ । ଏନେଇ ଇସ୍ରୋର ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି । ଚନ୍ଦ୍ରରେ ବସତି ସ୍ଥାପ ସମ୍ଭବ କି ନୁହେଁ ଏନେଇ ଚଳିତ ବର୍ଷ ଇସ୍ରୋ ଏହାର ସ୍ୱତନ୍ତ୍ର ପରୀକ୍ଷଣ ଯାନ ପଠାଇବାକୁ ସ୍ଥିର କରିଛି । ଏପ୍ରିଲରେ ଇସ୍ରୋ ଚାନ୍ଦ୍ରାୟନ-୨ ପଠାଇବାକୁ ଲକ୍ଷ୍ୟ ରଖିଛି । ଆଉ ତା ପୂର୍ବରୁ ଚନ୍ଦ୍ରରେ ବସତି ନେଇ ଗବେଷଣାକୁ ତ୍ୱରାନ୍ୱିତ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ଆମେରିକାର ନାସା ୨୦୨୦ ସୁଦ୍ଧା ଚନ୍ଦ୍ରରେ ଏକ ସ୍ପେଶ୍ ଷ୍ଟେସନ ତିଆରି ପାଇଁ ଯୋଜନା ରଖିଛି । ଭାରତ ମଧ୍ୟ ଭବିଷ୍ୟତରେ ଚନ୍ଦ୍ରରେ ନିଜର ଏକ ସ୍ପେଶ୍ ଷ୍ଟେସନ ଗଢ଼ିବାକୁ ଲକ୍ଷ୍ୟ ରଖିଛି । ଏନେଇ ଗବେଷଣାକୁ ଜୋରଦାର କରାଯାଉଛି । ଚନ୍ଦ୍ରରେ ମହାକାଶଚାରୀଙ୍କ ପାଇଁ ଇଗଲୁ ଭଳି ଘର କରିବାକୁ ଯୋଜନା ପ୍ରସ୍ତୁତ କରିଛି ଇସ୍ରୋ । ଏନେଇ ସରକାରଙ୍କ ପକ୍ଷରୁ ଲୋକସଭାରେ କୁହାଯାଇଛି ।

ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟରେ ମହାକାଶ ବିଭାଗ ଦାୟିତ୍ୱରେ ଥିବା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଲେ ଯେ କେତେକ ଶିକ୍ଷାନୁଷ୍ଠାନ ସହ ଇସ୍ରୋ ଚନ୍ଦ୍ରରେ ବସତି ସ୍ଥାପନ ସକାଶ ଆବଶ୍ୟକ ଘର ତୋଳା ଉପରେ ଗବେଷଣା କରୁଛି। ଭବିଷ୍ୟତରେ ଚନ୍ଦ୍ରାଭିଯାନ ପାଇଁ ଇସ୍ରୋ ଚନ୍ଦ୍ରପୃଷ୍ଠରେ ଇଗଲୁ ଭଳି ଘର ତୋଳିବା ସକାଶ କାମ ଆରମ୍ଭ କରିଛି କି, ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏ କଥା କହିଛନ୍ତି। ଶୁଖିଲା ଏବଂ ଉଷୁମ ରହିବାକୁ ମେରୁ ଅଞ୍ଚଳରେ ଏସ୍କିମୋମାନେ ବରଫଖଣ୍ଡମାନ ଇଟା ପରି ଉପରକୁ ଉପରକୁ ଖଞ୍ଜି ଇଗଲୁ ତୋଳି ଥାଆନ୍ତି।ଠିକ୍ ସେହଭିଳି ଘର ତିଆରି କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ ।