ଆଜିଠାରୁ ଦିଲ୍ଲୀର ତାଜ ହୋଟେଲରେ ତିନି ଦିନିଆ ‘ରାଇସିନା ଡାଇଲଗ’ ! ଉଦଘାଟନ କରିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ

33

କନକ ବ୍ୟୁରୋ: ଦିଲ୍ଲୀରେ ରାଇସିନା ଡାଇଲଗକୁ ଉଦଘାଟନ କରିବେ ଭାରତ ଗସ୍ତରେ ଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ହୋଟେଲ ତାଜ ପ୍ୟାଲେସରେ ୩ଦିନ ଧରି ଚାଲିବ ଏହି ଜିଓ-ପଲିଟିକାଲ ସନଫରେନ୍ସ । ଉଦଘାଟନୀ ସମାରୋହରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ । ତିନି ଦିନିଆ ଆଲୋଚନା ଚକ୍ରରେ ୯୦ଟି ଦେଶର ପ୍ରାୟ ୫ଶହ ୫୦ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି ।

ଚଳିତବର୍ଷର ଥିମ ଉପରେ ୧୫୦ଜଣ ବଛାବଛା ବକ୍ତା ସେମାନଙ୍କର ଆଭିମୁଖ୍ୟ ରଖିବେ । ଯେଉଁ ତାଲିକାରେ ବି ଅଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଓ ନୌସେନା ମୁଖ୍ୟ ଆଡମିରାଲ ସୁନିଲ ଲାନବା । ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏବଂ ଓଭରସିଜ ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ଏହି ଆଲୋଚନାଚକ୍ରର ଆୟୋଜନ କରାଯାଇଥିବାବେଳେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ କାର୍ଜାଇ ଓ କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଷ୍ଟିଫେନ ହାର୍ଡର ମଧ୍ୟ ବକ୍ତବ୍ୟ ରଖିବେ ।

ଗତାକଲି ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି  । ଦ୍ୱିପାକ୍ଷିକ ବୈଠକରେ ସାଇବର ସୁରକ୍ଷା, ତୈଳ ଓ ଗ୍ୟାସ କ୍ଷେତ୍ରରେ ନିବେଶ-ସହଯୋଗ, ବୈଷୟିକ କୃଷି ପ୍ରଣାଳୀ, ପ୍ରତିରକ୍ଷା, ମହାକାଶ ଗବେଷଣା, ଉଦ୍ୟୋଗିକ ଗବେଷଣା ଆଦି ୯ ପ୍ରସଙ୍ଗରେ ଚୁକ୍ତି ସ୍ୱାକ୍ଷର ହୋଇଛି ।