ଇରାନର ସାଂଘାତିକ ଅଭିଯୋଗ ! ଆକାଶରୁ ହିଁ ବର୍ଷା ଚୋରି କରି ନେଉଛି ଇସ୍ରାଏଲ

44

ସାଧାରଣତଃ ଘରୁ ଜିନିଷ ପତ୍ର ଚୋରି କିମ୍ବା ଲୋକଙ୍କ ଠାରୁ ପଇସା ଚୋରି ହେଉଥିବା କଥା ଆମେ ଶୁଣିଛେ । କିନ୍ତୁ ଆକାଶରୁ ବର୍ଷା ଚୋରି ହେଉଥିବା କଥା କେବେ ଶୁଣିଛନ୍ତି ।ହଁ ଅଜ୍ଞା ଏଭଳି ଏକ ବିଚିତ୍ର ଅଭିଯୋଗ ଇରାନ ଆଣିଛି । ଇରାନର ଆକାଶରୁ ମେଘ ଓ ବର୍ଷାକୁ ଶତ୍ରୁ ଦେଶ ଇସ୍ରାଏଲ ଚୋରି କରି ନେଉଥିବା କହିଛନ୍ତି ଇରାନର ସିଭିଲ ଡିଫେନ୍ସ ମୁଖ୍ୟ ବ୍ରିଗେଡୟର ଜେନରାଲ ଗୁଲାମ ରେଜା ଜଲାଲି । ବ୍ରିଗେଡିୟର ଜଲାଲି ଏକ ପ୍ରେସ କନଫରେନ୍ସ ଜରିଆରେ ଅଭିଯୋଗ କରିଛନ୍ତି ଯେ ତାଙ୍କଦେଶର କେତେକ ଶତ୍ରୁ ରାଷ୍ଟ୍ର ପାଣିପାଗକୁ ପ୍ରଭାବିତ କରି ଇରାନରେ ଯେପରି ବର୍ଷା ନ ହୁଏ ସେଥିପାଇଁ ଷଡଯନ୍ତ୍ର କରିଛନ୍ତି। ତେଣୁ ଇରାନ ଆକାଶରୁ ବର୍ଷା ଥିବା ମେଘକୁ ଚୋରି କରି ନିଆଯାଉଛି ବୋଲି ବ୍ରିଗେଡିୟର ଜଲାଲୀ କହିଛନ୍ତି। ଇରାନର ଜଳବାୟୁ ପରିବର୍ତ୍ତନ ଏପରି ସନ୍ଦେହ ପାଇଁ ଖୋରାକ ଯୋଗାଇଛି ବୋଲି ବ୍ରିଗେଡିୟର ଜଲାଲି ଅଭିଯୋଗ କରିବା ସହିତ ଏହା ପଛରେ ବିଦେଶୀ ଶକ୍ତିଙ୍କର ହାତ ଥିବା କହିଛନ୍ତି।

ଆଫଗାନିସ୍ତାନ ଠାରୁ ମେଡିଟେରିଆନ ଯାଏ ବରଫ ପଡ଼ୁଛି କେବଳ ଇରାନରେ ନାହିଁ, ଏହାର ଅର୍ଥ କଣ ହୋଇପାରେ ବୋଲି ବ୍ରିଗେଡିୟର ଜଲାଲି ପ୍ରଶ୍ନ କରିଛନ୍ତି। ବ୍ରିଗେଡିୟର ଜଲାଲି କହିଛନ୍ତି ଇରାନ ଆକାଶରେ ଥିବା ମେଘ ଯେପରି ବର୍ଷା ନ କରେ ସେଥିପାଇଁ ଇସ୍ରାଏଲ ଓ ଅନ୍ୟ ପଡୋଶୀ ଦେଶ ମିଳିତଭାବେ ରୀତିମତ ଉଦ୍ୟମ କରୁଛନ୍ତି।

ତେବେ ବ୍ରିଗେଡିୟର ଜଲାଲଙ୍କ ଏପରି ଅଭିଯୋଗକୁ ନିଜ ଦେଶ ପାଣିପାଗ ବିଶେଷଜ୍ଞମାନେ ସମର୍ଥନ କରି ପାରୁ ନାହାଁନ୍ତି। ଇରାନ୍ର ପାଣିପାଗ ବିଭାଗର ମୁଖ୍ୟ ଆହଦ ଭାଜିଫେ କହିଛନ୍ତି ହୁଏତ ବ୍ରିଗେଡିୟର ଜଲାଲିଙ୍କ ପାଖରେ ସେ ସମ୍ପର୍କିତ କିଛି ତଥ୍ୟ ଥାଇପାରେ, ଯାହା ମୁଁ ଜାଣି ନାହିଁ। ତେବେ ପାଣିପାଗ ସମ୍ପର୍କିତ ମୋ ଜ୍ଞାନ ଅନୁଯାୟୀ, ମେଘ କିମ୍ବା ବରଫ ଚୋରି କରିବା ସମ୍ଭବ ନୁହେଁ। ଇରାନ ବର୍ତ୍ତମାନ ଭୟଙ୍କର ମରୁଡ଼ିର ସମ୍ମୁଖୀନ ହୋଇଛି। ଏହା ଏକ ବିଶ୍ୱସ୍ତରୀୟ ସମସ୍ୟା ଓ ଏଥିରେ ଯେ କେବଳ ଇରାନ ପ୍ରଭାବିତ ହେଉଛି ତାହା ନୁହେଁ ବୋଲି ଭାଫିଜେ କହିଛନ୍ତି। ଆଉ ଏପରି ମେଘ ଚୋରି ବୟାନ ସମସ୍ୟାର ତ ସମାଧାନ କରିବ ନାହିଁ ବରଂ ଆମକୁ ମୌଳିକ ସମସ୍ୟାର ସମାଧାନ ବାଟ ଖୋଜିବାରୁ ଦୂରେଇ ନେବ ବୋଲି ଭାଫିଜେ କହିଛନ୍ତି।

ଇରାନ ଏଭଳି ଅଭିଯୋଗ ପ୍ରଥମ ଥର ପାଇଁ କରିନାହିଁ । ଏହାପୂର୍ବରୁ ମଧ୍ୟ ବର୍ଷା ଚୋରି ହେଉଥିବା ଅଭିଯୋଗ ଆଣିଥିଲା ଇରାନ । ୨୦୧୧ ମସିହାରେ ପୂର୍ବତନ ରାଷ୍ଟ୍ରପତି ମଧ୍ୟ ଇରାନର ମରୁଡ଼ି ପାଇଁ ପାଶ୍ଚାତ୍ୟ ଦେଶ ଗୁଡ଼ିକୁ ଦାୟୀ କରିଥିଲେ । ସେତେବେଳେ ସେ କହିଥିଲେ, ୟୁରୋପୀୟ ଦେଶ ଗୁଡିକ ସ୍ୱତନ୍ତ୍ର ଜ୍ଞାନକୌଶଳ ବ୍ୟବହାର କରି ଇରାନ ଆକାଶରୁ ବର୍ଷା ଚୋରି କରି ନିଜ ଦେଶକୁ ନେଇ ଯାଉଛନ୍ତି । ବର୍ଷା ଚୋରିକୁ ନେଇ ଇରାନ ଇସ୍ରାଏଲକୁ ଦାୟୀ କରୁଥିବା ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନାହୁ ଏକ ଭିଡିଓ ସେୟାର କରି ଇରାନକୁ ସାହାର୍ଯ୍ୟ କରିବା ପାଇଁ ନିଜର ପାଣିପାଗ ଏକ୍ସପର୍ଟଙ୍କୁ ପଠାଇବାକୁ ଅଫର ଦେଇଥିଲେ । ନେତ୍ୟାନାହୁ କହିଥିଲେ , କିଛି ବର୍ଷ ପୂର୍ବେ ଇସ୍ରାଏଲ ମଧ୍ୟ ସମାନ ଦଶା ଭୋଗୁଥିଲା । ତେବେ ଏହି ସମସ୍ୟାର ସମାଧାନ ପାଇଁ ଇସ୍ରାଏଲ ଏବେ ବାଟ ପାଇ ସାରିଛି । ତେଣୁ ସେହି ଜ୍ଞାନକୌଶଳ ସାହାଯ୍ୟରେ ଇରାନରେ ମଧ୍ୟ ଜଳ କଷ୍ଟ ଦୂର କରିବାକୁ ପ୍ରସ୍ତାବ ଦେଇଛି ଇସ୍ରାଏଲ ।