ଜେରୁଜେଲମ୍ ଓ ଗାଜାରେ ଯୁଦ୍ଧ ପରିସ୍ଥିତି ! ଜାତିସଂଘର ଜରୁରୀ ବୈଠକ

30

କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଜେରୁଜେଲମକୁ ଇସ୍ରାଏଲର ରାଜଧାନୀ ମାନ୍ୟତା ଦେବାପରେ ଏହାକୁ ନେଇ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଜେରୁଜେଲମ ଏବଂ ଗାଜାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଉଭୟ ପଟୁ ସୈନ୍ୟ ଠୁଳ ହେଉଥିବାରୁ ବିଶ୍ୱବ୍ୟାପୀ ଉଦବେଗ ପ୍ରକାଶ ପାଇଛି । ଜେରୁଜେଲମରେ ଗତକାଲି ପ୍ରଥମେ ଏକ ରକେଟ୍ ଆକ୍ରମଣ ପରେ ଉତ୍ତେଜନା ବଢ଼ିଥିଲା । ପାଲେଷ୍ଟାଇନର ଗାଜାରୁ ଛଡ଼ା ଯାଇଥିବା ରକେଟକୁ ଇସ୍ରାଏଲ ସେନା ଧ୍ୱଂସ କରିଦେବା ଫଳରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି ।

ଏହି ଘଟଣା ପରେ ଗାଜାରେ ଇସ୍ରାଏଲ ସେନା ବିମାନ ଆକ୍ରମଣ କରିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଜେରୁଜେଲମକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇସ୍ରାଏଲର ରାଜଧାନୀ ମାନ୍ୟତା ଦେବା ପରଠାରୁ ପାଲେଷ୍ଟାଇନରେ ଏହାକୁ ନେଇ ତୀବ୍ର ବିରୋଧ ଲାଗି ରହିଥିବା ବେଳେ ଏହା ଯୁଦ୍ଧ ଆଡ଼କୁ ମୁହାଁଉଛି । ଅନ୍ୟ ପକ୍ଷରେ ଇସ୍ରାଏଲ ସରକାର ପାଲେଷ୍ଟାଇନର ହମାସ୍ ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ବିମାନ ଆକ୍ରମଣ କରିଥିବା କହିଛି । ମୁଖ୍ୟତଃ ପାଲେଷ୍ଟାଇନର ବିଭିନ୍ନ ଅସ୍ତ୍ରାଗାର ଉପରେ ଏହି ଆକ୍ରମଣ କରାଯାଉଛି  ।

ଇସ୍ରାଏଲ ସେନାର ବିମାନ ଆକ୍ରମଣରେ ନିହତ ୨ ଜଣ ପ୍ରକୃତକରେ ହମାସ୍ ସଂଗଠନର କିମ୍ବା ସାଧାରଣ ନାଗରିକ ତାହା ସ୍ପଷ୍ଟ ହୋଇନାହିଁ । ଏହି ଆକ୍ରମଣରେ ୧୫ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି । ମାମଲା ଜଟିଳ ରୂପ ନେଉଥିବାରୁ ଜାତିସଂଘ ସୁରକ୍ଷା ପରିଷଦ ଗତକାଲି ଏକ ଜରୁରୀ ବୈଠକରେ ଏ ବାବଦରେ ଆଲୋଚନା କରିଛି । ଶନିବାର ପାଲେଷ୍ଟୋଇନ୍ ବିଦ୍ରୋହୀ ଗୋଷ୍ଠୀ ଇସ୍ରାଏଲ ସେନା ଉପରକୁ ପଥର ମାଡ଼ କରିବା ସହ ଆକ୍ରମଣ କରିଛନ୍ତି । ବିଦ୍ରୋହୀଙ୍କୁ ଦମନ ପାଇଁ ଇସ୍ରାଏଲ ସେନା ଲୁହବୁହା ଗ୍ୟାସ ଓ ଗୁଳିମାଡ଼ କରିଛି । ସେପଟେ ମୁସଲିମ ବହୁଳ ଜୋର୍ଡାନ, ମାଲେସିଆ, ପାକିସ୍ତାନ ଓ ଆରବ ରାଷ୍ଟ୍ରରେ ମଧ୍ୟ ଏହାକୁ ଏହାକୁ ନେଇ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ଚାଲିଛି। ଗାଜା-ଇସ୍ରାଏଲ ସୀମାରେ ପ୍ରାୟ ୫ ହଜାର ପାଲେଷ୍ଟାଇନ୍ ସେନା ଜଗି ରହିଥିବା ବେଳେ ଇସ୍ରାଏଲ ପକ୍ଷରୁ ମଧ୍ୟ ସୈନ୍ୟ ମୁତୟନ ବଢ଼ାଇ ଦିଆଯାଇଛି ।