ପାକିସ୍ତାନରେ ବେକାବୁ ହେଉଛି ହିଂସା ! ବିକ୍ଷୋଭକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ଉତ୍ତେଜନା ବୃଦ୍ଧି, ୬ ମୃତ, ୨୦୦ରୁ ଅଧିକ ଆହତ

36

କନକ ବ୍ୟୁରୋ: ପାକିସ୍ତାନ ରାଜଧାନୀ ଇସଲାମାବାଦରେ ଉତ୍ତେଜନା ବୃଦ୍ଧି । ବିକ୍ଷୋଭକାରୀଙ୍କ ଉପରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପରେ ହିଂସାକାଣ୍ଡ ଉଗ୍ର ରୂପ ନେଇଛି । ହିଂସାକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଶହରୁ ଅଧିକ ଆହତ ହୋଇଛନ୍ତି । ପରିସ୍ଥିତି ଅଣାୟତ ହେଉଥିବାରୁ ସେନାର ସହାୟତା ନେଇଛନ୍ତି ପାକିସ୍ତାନ ସରକାର । ବିକ୍ଷୋଭକାରୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଟେକା ପଥର ମାଡ କରିଥିଲେ । ଫଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଲାଠି ଚାର୍ଜ ସହ ଟିୟର ଗ୍ୟାସ୍ ପ୍ରୟୋଗ ହୋଇଥିଲା ।

ଇସଲାମାବାଦରେ ଶାନ୍ତି ଫେରିବା ଯାଏ ଅନିର୍ଦ୍ଧିଷ୍ଟ କାଳ ପାଇଁ ସେନା ମୁତୟନ କରାଯିବ ବୋଲି ପାକ୍ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସମ୍ବିଧାନର ଅନୁଚ୍ଛେଦ ୨୪୫ ଅନୁଯାୟୀ ସ୍ଥିତି ନିୟନ୍ତ୍ରଣ ପାଇଁ ସେନା ମୁତୟନ ହୋଇଥିବା ମନ୍ତ୍ରାଳୟ ବୟାନ ଜାରି କରିଛି ।ବଢୁଥିବା ହିଂସାକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ଘରୋଇ ଟିଭି ଚ୍ୟାନେଲ ସହ ଫେସବୁକ୍, ଟ୍ୱିଟର ଓ ୟୁଟ୍ୟୁବ୍ ପରି ସୋସିଆଲ ମିଡିଆ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି ।

ପାକିସ୍ତାନ ଆଇନ ମନ୍ତ୍ରୀ ଜାହିଦ ହମିଦଙ୍କ ଇସ୍ତଫା ଦାବି କରି ପାକିସ୍ତାନର ବିଭିନ୍ନ ସୁନ୍ନି ସଂଗଠନ ପକ୍ଷରୁ ଦୁଇ ସପ୍ତାହରୁ ଅଧିକ ସମୟ ଧରି ବିକ୍ଷୋଭ ଜାରି ରହିଛି । ପ୍ରଦର୍ଶନକାରୀମାନେ ଗାଡି ମୋଟରରେ ନିଆଁ ଲଗାଇବା ସହ ନେତାମାନଙ୍କ ଘରକୁ ଆକ୍ରମଣ କରିଛନ୍ତି । ସୂଚନା ଅନୁସାରେ ବିକ୍ଷୋଭ ପାଇଁ ନ୍ୟାସନାଲ ଟି-୨୦ ମ୍ୟାଚକୁ ଟାଳି ଦିଆଯାଇଥିଲା । ଗତକାଲି ରାଓଲପିଣ୍ଡିରେ ଥିଲା ନ୍ୟାସନାଲ ଟି-୨୦ ମ୍ୟାଚ୍ । ଏବେ ଏହି ମ୍ୟାଚ୍ ଆଜି ହେବ । ବିକ୍ଷୋଭରେ ଆହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ତେବେ ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ଅନେକ ସୁରକ୍ଷା ଅଧିଳାରୀ ମଧ୍ୟ ଆହତ ହୋଇଛନ୍ତି ।