ଭାରତରେ ଆଇଏସଆଇଏସର ପ୍ରଥମ ଆକ୍ରମଣ ! ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଲା ଆତଙ୍କୀ ସୈଫଉଲ୍ଲା

29

କନକ ବ୍ୟୁରୋ : ଟାର୍ଗେଟରେ ଏବେ ଭାରତ । ଉଜ୍ଜୟନୀ ଟ୍ରେନ ବିସ୍ଫୋରଣ ପରେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି । କୁହାଯାଉଛି ଆରବୀୟ ରାଷ୍ଟ୍ରରେ ଆତଙ୍କ ସୃଷ୍ଟି କରିଥିବା ଆଇଏସଆଇଏସର ଇସାରାରେ ଟ୍ରେନ ବିସ୍ଫୋରଣ କରାଯାଇଥିଲା । ସେପଟେ ଏହି ଘଟଣା ପରେ ଲକ୍ଷ୍ନୌରେ ସୁରକ୍ଷାକକର୍ମୀଙ୍କ ଏନକାଉଂଟରରେ ପ୍ରାଣ ହରାଇଛି ଆଇଏସଆଇଏସ ଆତଙ୍କି ସୈଫଉଲ୍ଲା ।

ହେଲେ ଇଏ କୈାଣସି ସାଧାରଣ ଆତଙ୍କବାଦୀ ନୁହେଁ । ସୈଫଉଲ୍ଲା ହେଉଛି ସବୁଠାରୁ ଶକ୍ତିଶାଳୀ ଆତଙ୍କାବଦୀ ସଙ୍ଗଠନ ଆଇଏସଆଇଏସର ସଦସ୍ୟ । ଆଉ ସୈଫଉଲ୍ଲା ମାଧ୍ୟମରେ ଭାରତରେ ଏକ ବଡଧରଣର ଆତଙ୍କାବାଦୀ ହାମଲା କରିବାକୁ ଯୋଜନା କରୁଥିଲା ଆଇଏସଆଇଏସ । ତେବେ ଗୁଇନ୍ଦା ସୂଚନା ମିଳିବା ପରେ ଲକ୍ଷ୍ନୌ ଠାକୁରଗଞ୍ଜ ଅଂଚଳରେ ସୁରକ୍ଷାକର୍ମୀ ଆରମ୍ଭ କରିଥିଲେ ଅପରେସନ ।

ପୋଲିସ ପହଁଚିବା ମାତ୍ରେ ଗ୍ରେନେଡ ଓ ଗୁଳିମାଡ ଆରମ୍ଭ କରିଦେଇଥିଲା ସୈଫଉଲ୍ଲା । ଆଉ ଏହି ଆକ୍ରମଣରେ ୟୁପି ଏଟିସର ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲା । ଶେଷରେ ୧୨ଘଂଟାର ଅପରେସନ ପରେ ୟୁପି ପୋଲିସକୁ ମିଳିଛି ସଫଳତା । ମଙ୍ଗଳବାର ସକାଳେ ଉଜ୍ଜୟନୀରେ ପାସେଞ୍ଜର ଟ୍ରେନରେ ବିସ୍ଫୋରଣ ପରେ ସାମ୍ନାକୁ ଆସିଥିଲା ।

ଭାରତରେ ଆଇଏସଆଇଏସ ଆକ୍ରମଣର ପ୍ରଥମ ଚିତ୍ର । ବ୍ୟବହୃତ ବିସ୍ଫୋରକ ସାମଗ୍ରୀ ଓ ବିସ୍ଫୋରଣର ଢାଂଚାରୁ ହିଁ ସୁରକ୍ଷାକର୍ମୀଙ୍କୁ ଆଇଏସଆଇଏସ ଲିଙ୍କର ସୁରାଗ ମିଳିଥିଲା । ଏହାପରେ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଚଢାଉ କରି ୫ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା ପୋଲିସ ।

ଆଉ ସେମାନଙ୍କଠାରୁ ମିଳିଥିଲା ଆଇଏସଆଇଏସର ଲିଙ୍କ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି । ଉଜ୍ଜୟନୀ ଟ୍ରେନ ବିସ୍ଫୋରଣ ଏକ ଟ୍ରାଏଲ ରନ ଥିଲା । ଯାହା ସଫଳ ହେବାପରେ ମାର୍ଚ୍ଚ ଶେଷସୁଦ୍ଧା ଭାରତରେ ଏକ ବଡଧରଣର ଆତଙ୍କବାଦୀ  ଆକ୍ରମଣର ଯୋଜନା କରୁଥିଲା ଆଇଏସଆଇଏସ ।