ସର୍ଜିକାଲ ଷ୍ଟ୍ରାଇକର ପ୍ରତିଶୋଧ ଯୋଜନା : ପାର୍ଲାମେଂଟ ଉପରେ ଆକ୍ରମଣ କରିପାରେ ଜୈସ-ଏ-ମହମ୍ମଦ

27

କନକ ବ୍ୟୁରୋ : ଭାରତ ସଂସଦ ଉପରେ ଆକ୍ରମଣ ଯୋଜନା କରୁଛି ଆଇଏସ୍ଆଇ । ଭାରତରେ ଆକ୍ରମଣ କରି ସର୍ଜିକାଲ ଷ୍ଟ୍ରାଇକର ପ୍ରତିଶୋଧ ନେବ ଆଇଏସ୍ଆଇ । ଗୁଇନ୍ଦା ବିଭାଗକୁ ମିଳିଥିବା ସୂଚନା ଅନୁସାରେ ଜୈଶ-ଏ-ମହମ୍ମଦ ମୁଖ୍ୟ ମସୁଦ ଅଜହାରକୁ ଭାରତରେ ଆକ୍ରମଣ କରିବା ପାଇଁ ନିର୍ଦେଶ ଦେଇଛି ଆଇଏସ୍ଆଇ ।

ଏଥିପାଇଁ ପୁଣି ଥରେ ଭାରତୀୟ ସଂସଦରେ ଆକ୍ରମଣ କରିବା ପାଇଁ ଯୋଜନା କରୁଛି ମସୁଦ ଅଜହର । ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଜୈଶ-ଏ-ମହମ୍ମଦର ଆତ୍ମଘାତୀ ଆତଙ୍କବାଦୀ ଯଦି ସଂସଦରେ ଆକ୍ରମଣ କରିବା ପାଇଁ ବିଫଳ ହୁଅନ୍ତି ତେବେ ସେମାନେ ଦିଲ୍ଲୀର ବିଭିନ୍ନ ଜାଗାରେ ଆକ୍ରମଣ କରିବେ ।

ଗୁଇନ୍ଦା ବିଭାଗକୁ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ସଚିବାଳୟ, ଲୋଟସ ଟେମ୍ପୁଲ ଓ ଅକ୍ଷରଧାମ ମନ୍ଦିରକୁ ଟାର୍ଗେଟ କରିପାରନ୍ତି ଆତଙ୍କବାଦୀ । ଏହାସହ କୌଣସି ପ୍ରମୁଖ ସ୍ଥାନରେ ଆକ୍ରମଣ କରିବାରେ ଜୈଶ-ଏ-ମହମ୍ମଦ ବିଫଳ ହେଲେ ଜନଗହଳିପୂର୍ଣ୍ଣ ସ୍ଥାନରେ ଆକ୍ରମଣ କରିବାର ଯୋଜନା କରିଛନ୍ତି ଆତଙ୍କବାଦୀ । ଗୁଇନ୍ଦା ସଂସ୍ଥା ଓ ଜମ୍ମୁ କଶ୍ମୀର ସିଆଇଡିକୁ ଏନେଇ ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।