ବ୍ରହ୍ମୋସ ୟୁନିଟରେ କାମ କରୁଥିଲେ ଆଇଏସଆଇ ଏଜେଣ୍ଟ ! ପାକିସ୍ତାନ ଓ ଆମେରିକାକୁ ଦେଉଥିଲେ ଭାରତର ସୁରକ୍ଷା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

56

ଭାରତୀୟ ସୁରକ୍ଷା ଏଜେନ୍ସିକୁ ବଡ଼ ସଫଳତା । ସୁରକ୍ଷା ମାମଲାକୁ ନେଇ ଉତ୍ତର ପ୍ରଦେଶ ଏଟିଏସ ସୋମବାର ମହାରାଷ୍ଟ୍ରର ନାଗପୁରରୁ ଜଣେ ଡିଆରଡ଼ିଓ କର୍ମଚାରୀଙ୍କୁ ଗିରଫ କରିଛି । ନିଶାନ୍ତ ଅଗ୍ରୱାଲ ନାମକ ଏହି କର୍ମଚାରୀ ଜଣକ ଭାରତର ସୁରକ୍ଷା ସମ୍ବନ୍ଧୀୟ କିଛି ତଥ୍ୟ ପାକିସ୍ତାନର ଆଇଏସଆଇକୁ ଦେଇଥିବା ଅଭିଯୋଗ ହୋଇଛି । ନିଶାନ୍ତ ଭାରତର ବ୍ରହ୍ମାସ୍ତ୍ର କୁହାଯାଉଥିବା ‘ବ୍ରହ୍ମ୍ରୋସ’ ମିସାଇଲ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆମେରିକା ଓ ପାକିସ୍ତାନକୁ ଦେଇଥିବା ଜଣାପଡିଛି ।

ନିଶାନ୍ତ ଅଗ୍ରୱାଲ ନାଗପୁରରେ ଡିଆରଡ଼ିଓର ବ୍ରହ୍ମ୍ରୋସ ୟୁନିଟରେ କାର୍ଯ୍ୟ କରୁଛନ୍ତି । ଉତ୍ତରାଖଣ୍ଡରେ ରହୁଥିବା ନିଶାନ୍ତ ବିଗତ ୪ ବର୍ଷ ହେଲା ଡିଆରଡ଼ିଓର ନାଗପୁର ୟୁନିଟରେ କାମ କରି ଆସୁଛନ୍ତି । ତେବେ ନିଶାନ୍ତ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ଆମେରିକା ଓ ପାକିସ୍ତାନକୁ ପ୍ରଦାନ କରୁଥିବା ଜଣାପଡିବା ପରେ ସୋମବାର ସକାଳେ ହିଁ ଉତ୍ତରପ୍ରଦେଶର ଏଟିଏସ ଓ ମିଲିଟାରୀ ଇଣ୍ଟଲିଜେନ୍ସ ପକ୍ଷରୁ ରେଡ କରାଯାଇ ତାଙ୍କୁ ଧରାଯାଇଛି । ଏହାପୂର୍ବରୁ ରବିବାର ରାତିରେ ଏହି ଟିମ୍ କାନପୁରରୁ ଜଣେ ମହିଳାଙ୍କୁ ଗିରଫ କରିଥିଲେ । କିନ୍ତୁ ତାଙ୍କ ପାଖରୁ କିଛି ମିଳିନଥିଲା ।

ବ୍ରହ୍ମୋସ ବିଷୟରେ କିଛି :
– ବ୍ରହ୍ମୋସ କମ ଉଚ୍ଚତାରେ ଗତି କରିପାରୁଥିବାରୁ ଶତ୍ରୁପକ୍ଷର ରାଡାରରେ ଧରା ପଡେନାହିଁ ।
– ଭାରତର ବ୍ରହ୍ମପୁତ୍ର ଓ ଋଷର ମସ୍କବା ନଦୀର ନାମାନୁସାରେ ଏହି ମିସାଇଲର ନାମ ବ୍ରହ୍ମୋସ ରଖାଯାଇଛି । ଭାରତ ଓ ଋଷର ମିଳିତ ଉଦ୍ୟମରେ ଏହି ଶକ୍ତିଶାଳୀ ମିସାଇଲ ପ୍ରସ୍ତୁତ କରାଯାଇଛି
– ବ୍ରହ୍ମୋସ ଘଣ୍ଟା ପ୍ରତି ୩୭୦୦ କିଲୋମିଟର ବେଗରେ ଗତି କରିବା ସହ ୨୯୦ କିଲୋମିଟର ରାଡାରରେ ଥିବା ସମସ୍ତ ଟାର୍ଗେଟକୁ ଧ୍ୱଂସ କରିପାରିବ ।
– ଏହାକୁ ଜଳ, ସ୍ଥଳ ଓ ଆକାଶ ପଥରୁ ପ୍ରକ୍ଷେପଣ କରାଯାଇପାରିବ
– ମିସାଇଲ ଚିହ୍ନଟ କରୁଥିବା ଜ୍ଞାନକୌଶଳକୁ ମଧ୍ୟ ଏହା ମାତ୍ ଦେବାରେ ସକ୍ଷମ