କୃଷି ଆୟ ଉପରେ ସରକାରଙ୍କ ନଜର ! ଠକଙ୍କୁ ଧରିବ ଇସ୍ରୋ ଉପଗ୍ରହ

22

କନକ ବ୍ୟୁରୋ : ନିଜ ଆୟର ଏକ ସିଂହ ଭାଗକୁ କୃଷି ଆୟ ଭାବେ ପ୍ରଦର୍ଶନ କରି ଅନେକ ଲୋକ ଟିକସ ଠକେଇ କରୁଛନ୍ତି । ସେଭଳି ଲୋକମାନଙ୍କ ଉପରେ ସରକାରଙ୍କ ସନ୍ଦେହ ଦୃଢ଼ୀଭୂତ ହୋଇଛି । ପ୍ରକୃତରେ ସେମାନେ ପ୍ରଦର୍ଶନ କରିଥିବା ଆୟ କୃଷିରୁ ହୋଇଥିବା ଆୟ ନା ନାହିଁ ତାହା ଜାଣିବା ପାଇଁ ଆୟକର ବିଭାଗର ଅଧିକାରୀମାନେ ସେମାନଙ୍କ ପାଖରେ ପହଞ୍ଚିବେ । ସେମାନଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିବେ । ଆୟକର ବିଭାଗ ପକ୍ଷରୁ ଏଭଳି ୫୦ ଜଣ ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି ଯେଉଁମାନେ କୃଷି ଆୟ ୫୦ ଲକ୍ଷ ଟଙ୍କାରୁ ଅଧିକ ପ୍ରଦର୍ଶନ କରିଛନ୍ତି ।

ଦେଶରେ କୃଷି ଆୟକୁ ଟିକସ ଛାଡ଼ କରାଯାଇଛି । ଏହାର ଫାଇଦା ଉଠାଇ କେତେକ ବ୍ୟକ୍ତି କଳାଧନକୁ ଧଳା କରୁଛନ୍ତି । କିଛି ଜମି ମାଲିକ ବେପାରୀମାନଙ୍କଠାରୁ ଜାଲ୍‌ ବିଲ୍‌ ସଂଗ୍ରହ କରି ଟିକସ ଛାଡ଼ ଦାବି କରୁଛନ୍ତି । ସେମାନେ ଏହା ମଧ୍ୟ ପ୍ରଦର୍ଶନ କରିଦେଉଛନ୍ତି ଯେ ଜମିକୁ ବିକ୍ରି କରିବା ପୂର୍ବରୁ ସେମାନେ ସେଥିରେ ଚାଷ କରୁଥିଲେ । କୃଷି ଆୟ ବାହାନାରେ ଟିକସ ଠକେଇ କରୁଥିବା ଲୋକଙ୍କୁ ଧରିବା ପାଇଁ ଆୟକର ବିଭାଗ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି । ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ସାଟେଲାଇଟ୍‌ ଛବିକୁ ବ୍ୟବହାର କରି ଟିକସମାନଙ୍କୁ ଚିହ୍ନଟ କରାଯିବ । ଏକ ନିର୍ଦିଷ୍ଟ ସମୟ ସୀମା ଭିତରେ ଯଦି ଉପରେ ନଜର ରଖାଯିବ ।

ଯଦି ସେହି ଜମିରେ କୌଣସି ପ୍ରକାର ଚାଷ ହୋଇନଥିବ ଏବଂ ଏହାର ମାଲିକ ଟିକସ ଛାଡ଼ ପାଇଁ ଆବେଦନ କରିବେ ତେବେ ଧରାପଡ଼ିଯିବ ଯେ ସେ ଟିକସ ଠକିବାକୁ ପ୍ରୟାସ କରିଛନ୍ତି । ନିକଟରେ ଜଣେ ଟିକସଦାତା ତାଙ୍କ ଚାଷ ଜମି ବିକ୍ରି କରି ଯେଉଁ ପୁଞ୍ଜି ହାସଲ କରିଥିଲେ ତାହା ଉପରେ ଟିକସ ଛାଡ଼ ପାଇଁ ଆବେଦନ କରିଥିଲେ । ଆୟକର ବିଭାଗର ସନ୍ଦେହ ହେବାରୁ ସେମାନେ ଉକ୍ତ ଚାଷ ଜମିର ତିନି ବର୍ଷର ସାଟେଲାଇଟ୍‌ ଛବି ହାସଲ କରି ପ୍ରମାଣ କରିଥିଲେ ଯେ ଉକ୍ତ ଜମିରେ କୌଣସି ପ୍ରକାର ଚାଷ କରାଯାଇନଥିଲା ।

ଟିକସ ଛାଡ଼ ପାଇବାକୁ ହେଲେ ଜମି ବିକ୍ରି କରିବାର ଅତି କମ୍‌ରେ ଦୁଇ ବର୍ଷ ପୂର୍ବରୁ ସେଥିରେ ଚାଷ ହୋଇଥିବା ଦରକାର । କେନ୍ଦ୍ର ସରକାର ଅର୍ଥନୀତିକୁ ସଂଗଠିତ କରିବା ଏବଂ ଟିକସଦାତାଙ୍କ ସଂଖ୍ୟା ବଢ଼ାଇବାକୁ ପ୍ରୟାସ କରୁଛନ୍ତି । ଧନୀ ଚାଷୀଙ୍କ ଉପରେ ଟିକସ ଲଗାଇବା ଉପରେ ମଧ୍ୟ ବିଚାରବିମର୍ଶ ଚାଲିଛି । ଅବଶ୍ୟ ଏ ଦିଗରେ ଆଗକୁ ବଢ଼ିବାକୁ ହେଲେ ସରକାରଙ୍କୁ ସମ୍ବିଧାନରେ ସଂଶୋଧନ କରିବାକୁ ପଡ଼ିବ । କୃଷି ଆୟ ଉପରେ ଟିକସ ଲଗାଇବା ପାଇଁ ନିତି ଆୟୋଗ ମଧ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି । ବ୍ୟକ୍ତିଗତ ଆୟକର ପାଇଁ ଛାଡ଼ ସୀମା ଯେତିକି ରହିଛି କୃଷି ଆୟ ପାଇଁ ମଧ୍ୟ ଛାଡ଼ ସୀମା ସମାନ ରହିବା ଦରକାର । ଏହାଠାରୁ ଅଧିକ କୃଷି ଆୟ ଉପରେ ଟିକସ ଲଗାଇବାକୁ ନିତି ଆୟୋଗ ପ୍ରସ୍ତାବ ଦେଇଛି ।