ମହାକାଶକୁ ଇସ୍ରୋ ପଠାଇବ ଆଉ ଏକ ଉପଗ୍ରହ ! ଅବସ୍ଥାପିତ ହେବ ନୂଆ ନାଭିଗେସନ ସାଟେଲାଇଟ୍

36

କନକ ବ୍ୟୁରୋ : ଆସନ୍ତା ଗୁରୁବାର ଦିନ ମହାକାଶକୁ ଇସ୍ରୋ ପଠାଇବ ଏକ ନୂଆ ନାଭିଗେସନ ସାଟେଲାଇଟ୍ । ଆଇଆରଏନଏସଏସ-୧ ସିରିଜର ଏହି ନବମ ଉପଗ୍ରହ ନାଭିଗେସନ ଦିଗରେ ବେଶ୍ ସହାୟକ ହେବ ବୋଲି ଆଶା ରଖିଛନ୍ତି ବିଜ୍ଞାନୀ । ଅନ୍ୟପଟେ ଏହି ଉପଗ୍ରହ ଅଚଳ ହୋଇପଡିଥିବା ଆଇଆରଏନଏସଏସ-୧ଏର ସ୍ଥାନ ନେବ । ପୂର୍ବରୁ ଆଇଆରଏନଏସଏସ-୧ଏଚ ଉତକ୍ଷେପଣ ମଧ୍ୟ ବିଫଳ ହୋଇଥିଲା । ପ୍ରାୟ ଦେଢ ଟନର ଏହି ଉପଗ୍ରହକୁ ବୋହିନେବା ପାଇଁ ମହାକାଶକୁ ୪୩ତମ ଉଡାଣ କରିବ ପିଏସଏଲଭି ରକେଟ୍ ।

ଆସନ୍ତା ଏପ୍ରିଲ ୧୨ ତାରିଖରେ ଶ୍ରୀହରିକୋଟାରୁ ଇସ୍ରୋ ମହାକାଶକୁ ପଠାଇବ ଆଇଆରଏନଏସଏସ-୧ଆଇ । ଏହା ସଫଳତାର ସହ କକ୍ଷ ପଥରେ ଅବସ୍ଥାପିତ ହେଲେ ସେଠାରେ ଥିବା ଆଇଆରଏନଏସଏସ-୧ଏ ର ସ୍ଥାନ ନେବ । ଏହି ଉପଗ୍ରହ ଫଳରେ ଭାରତର ସୀମାର ୧୫ ହଜାର କିଲୋମିଟର ବ୍ୟାସାର୍ଦ୍ଧ ଅଂଚଳର ତଥ୍ୟ ମିଳିପାରିବ । ପ୍ରାୟ ୨୦ମିଟର ଯାଏଁ ସଠିକ ଅବସ୍ଥିତି ଜଣାଇ ପାରିବ ଏହି ନାଭିଗେସନ ସାଟେଲାଇଟ୍ । ଆଇଆରଏନଏସଏସ-୧ଆଇ ହେଉଛି ଏହି ସିରିଜର ନବମ ଉପଗ୍ରହ । ଏହାର ଓଜନ ପ୍ରାୟ ୧.୪ ଟନ୍ । ଏହି ସାଟେଲାଇଟକୁ ମହାକାଶକୁ ବୋହି ନେବ ପିଏସଏଲଭି ରକେଟ ।

ଆଇଆରଏନଏସଏସ-୧ଆଇ ଉପଗ୍ରହ ଯୋଗୁଁ ଭୂଖଣ୍ଡ, ଆକାଶ ଓ ସମୁଦ୍ରରେ ନାଭିଗେସନରେ ସହାୟତା ମିଳିବ । ଏହା ସହ ଯାନବାହାନ ଚଳାଚଳ ଓ ବିମାନ ଉଡାଣ ପରିଚାଳନା, ବିପର୍ଯ୍ୟୟ ପରିଚାଳନା ଓ ମୋବାଇଲ ସେବାରେ ମଧ୍ୟ ଏହି ଉପଗ୍ରହ ବେଶ୍ ସହଯୋଗ କରିବ । ମତ୍ସ୍ୟଜୀବୀଙ୍କୁ ସମୂଦ୍ର ଭିତରେ ସେମାନଙ୍କ ସ୍ଥିତି ସହ ପାଣିପାଗର ଆଗୁଆ ସୂଚନା ଦେବାରେ ଏହି ନାଭିଗେସନ ସାଟେଲାଇଟ୍ କାମ କରିବ । ଏହାର ଯାଂଚ କରିବା ପାଇଁ କେରଳ ଓ ତାମିଲନାଡୁର ସମୂଦ୍ର ଭିତରେ ବୋଟ୍ ରଖିଛି ଇସ୍ରୋ ।

ପୂର୍ବରୁ ଅଗଷ୍ଟ ୨୦୧୭ରେ ଆଇଆରଏନଏସଏସ-୧ଏଚ ଉତକ୍ଷେପଣ ବିଫଳ ହୋଇଥିଲା । ଏହାସହ ଗତ ୨୦୧୬ ଜୁଲାଇରୁ ଆଇଆରଏନଏସଏସ-୧ଏର ତିନିଟି ଆଟମିକ୍ କ୍ଲକ୍ କାମ କରିବା ବନ୍ଦ କରିଦେଇଛି । ତେଣୁ ଏହି ନୂଆ ଉପଗ୍ରହ ଏହାର ସ୍ଥାନ ନେବା ବୋଲି ଆଶା ରଖିଛନ୍ତି ବିଜ୍ଞାନୀ ।