ଜଳ ନିଷ୍କାସନ ସମସ୍ୟାର ହେବ ସମାଧାନ : ଇସ୍କନ ନିକଟରେ ହେବ ଅଣ୍ଡର ଗ୍ରାଉଣ୍ଡ ଡ୍ରେନ

46

କନକ ବ୍ୟୁରୋ : ବାଦ ବିବାଦ ପରେ ଇସ୍କନ ଜଳ ନିଷ୍କାସନ ସମସ୍ୟାର ହେବ ସମାଧାନ । ଇସ୍କନ ନିକଟରେ ହେବ ଅଣ୍ଡର ଗ୍ରାଉଣ୍ଡ ଡ୍ରେନ୍ । ଆସନ୍ତା ମାସରେ ହେବ ଏହାର ଟେଣ୍ଡର ପ୍ରକିୟା । ଆସନ୍ତା ବର୍ଷ ମୌସୁମୀ ସୁଦ୍ଧା କାମ ସରିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆତିଦ୍ୟ ପ୍ରସାଦ ପାଢୀ । ଏନେଇ ସବୁ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଏନଏଚଏଆଇ ଅଧିକାରୀଙ୍କ ବୈଠକ ହୋଇଛି । ଏଥିସହ ଭୁବନେଶ୍ୱରର ଜଳ ନିଷ୍କାସନ ପାଇଁ ୨୦ ଟି ପମ୍ପ ବ୍ୟବସ୍ଥା କରାଯିବ । ଇସ୍କନ ସାମ୍ନାରେ ଜମି ରହୁଥିବା ବର୍ଷା ପାଣି ନିଷ୍କାସନ ଓ ଡ୍ରେନେଜ୍ ନିର୍ମାଣ ପ୍ରସଙ୍ଗରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଥିଲେ । ଏହାପରେ ଗତକାଲି ଏହି ସମସ୍ୟାର ସମାଧାନ ନେଇ ବୈଠକ ବସିଥଲା ।

ସୂଚନାଯୋଗ୍ୟ ଅସରାଏ ବର୍ଷାରେ ସ୍ମାଟସିଟି ଭୁବନେଶ୍ୱରରେ ପାଣି ଜମିଯାଉଛି । ଇସ୍କନ ନିକଟରେ ପାଣି ଜମି ଲୋକେ ହଇରାଣ ହେଉଛନ୍ତି । କିଛି ଦିନ ପୂର୍ବରୁ ହୋଇଥିବା ବର୍ଷାରେ ଇସ୍ନକରେ ନିକଟରେ ପାଣି ଜମି କାର ଗୁଡ଼ିକ ବୁଡ଼ିଯାଇଥିଲା । ସାମାନ୍ୟ ବର୍ଷା ହେଲେ ଅସହାୟ ହୋଇପଡ଼େ ରାଜଧାନୀର ରାଜରାସ୍ତା । ବର୍ଷା ହେଲେ ବର୍ଷ ବର୍ଷ ଧରି ମନ୍ଦିର ସମ୍ମୁଖରେ ଏଭଳି ସ୍ଥିତି ସୃଷ୍ଟି ହୁଏ । ତେବେ ପ୍ରତିବର୍ଷ ବର୍ଷା ଆସେ, ପାଣି ଜମେ ଆଉ ଭୁଲିଯାଏ ପ୍ରଶାସନ । ସମାନ ଧରଣର ପରିସ୍ଥିତି ସୃଷ୍ଟି ହୁଏ । ରାଜଧାନୀ ରାଜରାସ୍ତାରେ ସୃଷ୍ଟି ହୁଏ ବନ୍ୟାର ଭ୍ରମ ।