ପାଟକୁରା ବିଜେଡିରେ ସବୁ କିଛି ଠିକ୍ ଅଛି ତ? ‘ଶଙ୍ଖ’ ଶିବିରରୁ ବିଦ୍ରୋହର ଶବ୍ଦ ଶୁଭୁଥିବା ଚର୍ଚ୍ଚା…

572

କନକ ବ୍ୟୁରୋ: ପାଟକୁରା ବିଜେଡିରେ ସବୁ କିଛି ଠିକ୍ ଅଛି ତ? କ’ଣ ପାଟକୁରାଳ ବିଜେଡିରେ ବଡ଼ ବିଭାଜନ ସୃଷ୍ଟି ହେଲାଣି କି ? ଏଭଳି ଚର୍ଚ୍ଚା ଏବେ ଶଙ୍ଖ ଶିବିରରୁ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଚାଲିଛି । ତେବେ ବିଜେଡି କାର୍ଯ୍ୟାଳୟରେ ବସିଛି ପାଟକୁରାର ସାଂଗଠନିକ ବୈଠକ । ବୈଠକରେ ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ସମେତ ପାଟକୁରା ନିର୍ବାଚନ ଦାୟିତ୍ୱରେ ଥିବା ଦଳର ବରିଷ୍ଠ ନେତା ରାଜା ସ୍ୱାଇଁ, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ସଂଜୟ ଦାସବର୍ମାଙ୍କ ଭଳି ହେଭିୱେଟଙ୍କୁ ଦେଖିବାକୁ ମିଳିଛି ।

ସେପଟେ ଚର୍ଚ୍ଚା ହେଉଛି, ପାଟକୁରା ଆସନକୁ ଜିତିବା ପାଇଁ ଯେମିତି ଏକଜୁଟ ହୋଇ ଦଳ ଲଢ଼ିଥିଲା, ବିଜୟୀ ହେବା ପରେ ପାଟକୁରା ସଂଗଠନ ଆଉ ସେପରି ହୋଇନାହିଁ । ବଢ଼ୁଛି ସଂଗଠନ ଭିତରେ ମତ ପାର୍ଥକ୍ୟ । ସଂଗଠନରେ ମତଭେଦ ଥିବା ସେତିକିବେଳେ ସାମନାକୁ ଆସିଥିଲା, ଯେତେବେଳେ ସାବିତ୍ରୀ ଅଗ୍ରୱାଲଙ୍କ ବିଜୟ ପରେ ପାଟକୁରାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେଡିର ଅନେକ ନେତା ଅନୁପସ୍ଥିତ ରହିଥିଲେ । ଶୁଣିବାକୁ ମିଳୁଛି, ବିଧାୟିକାଙ୍କୁ ସହଯୋଗ କରୁନାହାନ୍ତି କିଛି ସ୍ଥାନୀୟ ନେତା ।

ସବୁଠାରୁ ବଡ଼ କଥା ହେଲା କି, ପାଟକୁରା ବିଜେଡିରେ ସଂଗଠନରେ ଫାଟ ଥିବା ଗଣମାଧ୍ୟମ ଆଗରେ ସ୍ୱୀକାର କରୁନାହାନ୍ତି ବରିଷ୍ଠ ବିଜେଡି ନେତା । ତେବେ ନେତାଙ୍କ ମଧ୍ୟରେ ଥିବା ମତ ପାର୍ଥକ୍ୟକୁ ଦୂରେଇବା ପାଇଁ ବିଜେଡି କାର୍ଯ୍ୟାଳୟରେ ଆଜି ଚାଲିଥିଲା ଜୋରଦାର ମାନସ ମନ୍ଥନ ବୋଲି ଚର୍ଚ୍ଚା ଜୋର ଧରିଛି ।