ମୋଦି ସରକାରଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ହେବ କି ଓଡ଼ିଶା? ରାଜ୍ୟ ସରକାରଙ୍କ ସହ ଆଲୋଚନାକୁ ସକରାତ୍ମକ କହିଲେ ଆୟୁଷ୍ମାନ ଭାରତ ସିଇଓ

132

କନକ ବ୍ୟୁରୋ : ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି ୫ ଜଣିଆ କେନ୍ଦ୍ରୀୟ ଟିମ୍ । ମୋଦି ସରକାରଙ୍କ ଏହି ଯୋଜନାରେ ସାମିଲ ହେବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କିଛି ପ୍ରସ୍ତାବ ବି ଦେଇଛନ୍ତି । ବୈଠକ ପରେ ଆୟୁଷ୍ମାନ ଭାରତ ଯୋଜନାର ସିଇଓ ସକାରାତ୍ମକ ଆଲୋଚନା ହୋଇଥିବା କହିଛନ୍ତି । ଆଉ କେନ୍ଦ୍ରୀୟ ଯୋଜନାରେ ଓଡ଼ିଶା ସାମିଲ ହେବା ନେଇ ଆଶାବାଦୀ ଅଛନ୍ତି । ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି-ଯଦି ଓଡ଼ିଶାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହ କିଛି ଯୋଡ଼ି ନିଷ୍ପତି କରାଯାଏ, ତେବେ ଏ ସଂପର୍କରେ ବିଚାର କରାଯିବ ।

‘ଆୟୁଷ୍ମାନ’ ଯୋଜନାରେ ସାମିଲ ହେବ କି ଓଡ଼ିଶା? ରାଜ୍ୟ ଓ କେନ୍ଦ୍ର ଯୋଜନାରେ ରହିବ କି ସମନ୍ୱୟ ? ଏଭଳି କିଛି ପ୍ରଶ୍ନ ବର୍ତମାନ ଏଥିପାଇଁ ଉଠୁଛି, କାରଣ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ନେଇ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ ଏବଂ ମୁଖ୍ୟ ଶାସନଙ୍କ ସହ ଆଲୋଚନା କରିଛନ୍ତି ଆୟୁଷ୍ମାନ ଯୋଜନାର ସିଇଓଙ୍କ ସମେତ ୫ ଜଣିଆ କେନ୍ଦ୍ରୀୟ ଟିମ୍ । ପ୍ରଥମ ପର୍ଯ୍ୟାୟ ବୈଠକ ପରେ ଆଲୋଚନାକୁ ସକରାତ୍ମକ କହିବା ସହ ଓଡ଼ିଶାରେ କେନ୍ଦ୍ରୀୟ ଯୋଜନା ଲାଗୁ କରିବା ନେଇ ଆଶାବାଦୀ ଅଛନ୍ତି ଆୟୁଷ୍ମାନ ଭାରତ ଯୋଜନାର  ସିଇଓ ।

ଅନ୍ୟପଟେ ଆଲୋଚନା ପ୍ରଥମ ପର୍ଯ୍ୟାୟରେ ଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଯଦି ଓଡ଼ିଶାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହ କିଛି ଯୋଡ଼ି ନିଷ୍ପତି କରାଯାଏ, ତେବେ ଏ ସଂପର୍କରେ ବିଚାର କରାଯିବ ବୋଲି କହିଛନ୍ତି ନବ ଦାସ । ସ୍ୱାସ୍ଥ୍ୟ କଲ୍ୟାଣ ଦିଗରେ ରାଜ୍ୟ ସରକାରଙ୍କ ଯୋଜନା ଦେଶର ସବୁଠୁ ଭଲ ଯୋଜନା, ତେଣୁ କେନ୍ଦ୍ରୀୟ ଟିମ୍ କିଛି ପ୍ରସ୍ତାବ ଦେବା କଥା କହିଛନ୍ତି, ତାହା ଆସିଲେ ବିଚାର କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ନଜର ପକାନ୍ତୁ କେଉଁ ଯୋଜନାରେ ଅଛି କ’ଣ?

ଆୟୁଷ୍ମାନ ଭାରତ ବନାମ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ

– ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୫ଲକ୍ଷ ଟଙ୍କା ଯାଏଁ ଆର୍ଥିକ ସହାୟତା ବ୍ୟବସ୍ଥା ଥିବା ବେଳେ ମହିଳା ସଦସ୍ୟଙ୍କ ପାଇଁ ଏହା ୧୦ ଲକ୍ଷ ଟଙ୍କା ଯାଏଁ ବୃଦ୍ଧି କରାଯାଇଛି ।

– ଆୟୁଷ୍ମାନ ଭାରତ ଯୋଜନାରେ ପରିବାର ପିଛା ବାର୍ଷିକ ମାତ୍ର ୫ ଲକ୍ଷ ଟଙ୍କା ଯାଏଁ ସହାୟତା ବ୍ୟବସ୍ଥା ରହିଛି

– ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତ ସରକାରୀ ସହ ରାଜ୍ୟ ତଥା ରାଜ୍ୟ ବାହାର ୨୧୮ଟି ଘରୋଇ ମେଡ଼ିକାଲରେ ଚିକିତ୍ସା ପାଇଁ ବୁଝାବଣା ହୋଇଛି

-ଅନ୍ୟପଟେ ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ଯେ କୌଣସି ସ୍ଥାନରେ ଚିକିତ୍ସା ସୁବିଧାର ବ୍ୟବସ୍ଥା ରହିଛି

-କେନ୍ଦ୍ର ସରକାରଙ୍କ ମାପଦଣ୍ଡ ଅନୁସାରେ ଓଡ଼ିଶାର ଅନେକ ହିତାଧିକାରୀ ଆୟୁଷ୍ମାନ ଯୋଜନାରେ ବାଦ ପଡ଼ୁଥିଲେ ।

– ବାଦ ପଡ଼ୁଥିବା ଏହି ସମସ୍ତ ହିତାଧିକାରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି ।

– ବଡ଼ କଥା ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୦ ଲକ୍ଷ ପରିବାରକୁ ସାମିଲ କରାଯାଇଛି ।

-ରାଜ୍ୟ ସରକାରଙ୍କ ଯୋଜନାରେ ମହିଳାଙ୍କ ପାଇଁ ୧୦ ଲକ୍ଷ ଯାଏଁ ଚିକିତ୍ସା ସୁବିଧା ରହିଛି । ଯାହା ଦେଶର କୌଣସି  ରାଜ୍ୟରେ ଏଭଳି ନଜିର ନାହିଁ ।

ବର୍ତମାନ ସୁଦ୍ଧା ଆୟୁଷ୍ମାନ ଭାରତ ଯୋଜନାରେ ୨୫ଟି ରାଜ୍ୟ ସାମିଲ ହୋଇଥିବା ବେଳେ ଓଡ଼ିଶା ସମେତ ତେଲେଙ୍ଗାନା, ପଶ୍ଚିମବଙ୍ଗ ଏବଂ ଦିଲ୍ଲୀ ଏଥିରେ ସାମିଲ ହୋଇ ନାହାଁନ୍ତି । ଏବେ ଦେଖିବାର କଥା ଓଡ଼ିଶା ଏହି ଯୋଜନାରେ ସାମିଲ ହେଉଛି ନା ନାହିଁ ।