ଫେଲ୍ ମାରିବ କି ମୋଦି ଓ ଶାହାଙ୍କ ଯୋଡି! ୨୦୧୯ ମିଶନ ପାଇଁ କାହାକୁ ଡରୁଛି ବିଜେପି ଓ କାହିଁକି, ଜାଣନ୍ତୁ ସମୂର୍ଣ୍ଣ ତଥ୍ୟ ।

51
ବିଭିନ୍ନ ରାଜ୍ୟର ଉପ ନିର୍ବାଚନ ଫଳାଫଳ ଦିନକୁ ଦିନ ବିଜେପି ଶିବିରରେ କମ୍ପନ ସୃଷ୍ଟି କରୁଛି । କିନ୍ତୁ ଅନ୍ୟପଟେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପାଇଁ ପୁଣି ସାରଥୀ ସାଜିବ ମୋଦି ଓ ଶାହାଙ୍କ ଯୋଡି ବୋଲି ବିଜେପି ବରିଷ୍ଠ ନେତାଙ୍କ ଦମ୍ଭୋକ୍ତି । ବିଜେପି ମୁଖପାତ୍ର ତଥା ସାଂସଦ ଜିବିଏଲ ନରସିମା ରାଓ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ବିଧାନସଭା ନିର୍ବାଚନରେ ଯେଉଁଭଳି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନେତୃତ୍ୱରେ ବିପୁଳ ବିଜୟ ହାସଲ କରିଛି ଦଳ । ସେହିଭଳି ମଧ୍ୟ ମୋଦି ମ୍ୟାଜିକ କାମ ୨୦୧୯ ରେ କାମ କରିବ ବୋଲି ନରସିମା କହିଛନ୍ତି । କିନ୍ତୁ ଅପରପକ୍ଷେ ଗୋରଖପୁର, ଫୁଲପୁର ଲୋକସଭା ଉପ ନିର୍ବାଚନ ପରେ ଏବେ କୈରାନା ଓ ନୁରପୁର ବିଧାନସଭା ଉପନିର୍ବାଚନରେ ବିଜେପିକୁ ବିରୋଧୀମାନେ ଧୂଳି ଚଟାଇବା ସ୍ପଷ୍ଟ ହୋଇଛି ।
୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରୁଥିବା ବେଳେ ବିଭିନ୍ନ ରାଜ୍ୟର ଉପ-ନିର୍ବାଚନ ଫଳାଫଳ ବିଜେପିର ନିଦ ହଜାଇଥିବା ବାରି ହୋଇ ପଡୁଛି । ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ନାଗାଲାଣ୍ଡର ୪ଟି ଲୋକସଭା ଆସନ ଏବଂ ୧୦ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ଏବଂ କର୍ଣ୍ଣାଟକ ଆରଆନଗର ଆସନ ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କର୍ଣ୍ଣାଟକ ଆସନକୁ ବାଦ୍ ଦେଲେ ସମୁଦାୟ ୧୪ଟି ଉପନିର୍ବାଚନରୁ ଅନ୍ୟଦଳ ସହ ମେଣ୍ଟ କରି ବିଜେପି ମାତ୍ର ୪ଟିରେ ବିଜୟ ହାସଲ କରିବାରେ ସକ୍ଷମ ହୋଇଛି । ତେବେ ୨୦୧୪ରେ ବିଜେପି କ୍ଷମତାକୁ ଆସିବା ପରଠାରୁ ମୋଟ ୨୭ଟି ଲୋକସଭା ଆସନ ପାଇଁ ଉପନିର୍ବାଚନ ହୋଇଛି ଯେଉଁଥିରେ ବିଜେପି ମାତ୍ର ୫ଟି ସିଟ୍ ହାତେଇବାରେ ସକ୍ଷମ ହୋଇଛି । ତେବେ ୨୦୧୪ ସାଧାରଣ ନିର୍ବାଚନରେ ୨୮୨ ସିଟରେ ବିଜୟ ହାସଲ କରିଥିବା ବିଜେପି ବର୍ତ୍ତମାନ ୨୭୩କୁ ଖସି ନିଜର ଦୁର୍ବଳତାକୁ ପଦାରେ ପକାଇଛି । କିନ୍ତୁ ବିଜେପିର ଏଭଳି ପ୍ରଦର୍ଶନକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଜଣେ ବ୍ୟକ୍ତିକୁ ଦୂରକୁ ଡେଇଁବାକୁ ହେଲେ ତାକୁ ସବୁବେଳେ ଦୁଇ ପାଦ ପଛକୁ ଘୁଞ୍ଚିବାକୁ ପଡିବ ।
ଏଭଳି ଉପ-ନିର୍ବାଚନର ଫଳାଫଳରୁ ବିରୋଧୀଙ୍କୁ ଶକ୍ତି ମିଳୁଥିବା ବେଳେ ଏହା ମୋଦି ସାମ୍ରାଜ୍ୟ ବିନାଶ ଆରମ୍ଭ ମୁହାଁ ବୋଲି ଦର୍ଶାଇଛନ୍ତି ବିରୋଧୀ । ରାଷ୍ଟ୍ରୀୟ ଲୋକ ଦଳର ନେତା ଜୟନ୍ତ ଚୌଧୁରୀଙ୍କ ପ୍ରାର୍ଥୀ କୈରାନା ଉପ-ନିର୍ବାଚନରେ ବିଜେପିକୁ ମାତ ଦେଇ ବିଜୟ ହାସଲ କରି କହିଛନ୍ତି ଯେ ବିଜେପିର ବିଜୟ ରଥକୁ ଆସନ୍ତା ନିର୍ବାଚନରେ ରୋକିବା ପାଇଁ ସମସ୍ତ ବିରୋଧୀଦଳ ଏକଜୁଟ ହେବା ଦରକାର ।
କ’ଣ କହୁଛି ଉପ-ନିର୍ବାଚନ ଅଙ୍କ :
୨୦୧୪ – ୫ଟି ଉପନିର୍ବାଚନରୁ ବିଜେପିକୁ ୨ଟି ସିଟ୍
୨୦୧୫ – ୩ଟି ସିଟରୁ ବିଜେପିକୁ ଚେକମେଟ କରିଥିଲେ ବିରୋଧୀ ।
୨୦୧୬ – ୫ଟି ସିଟରୁ ୨ଟିରେ ବିଜେପି ବିଜୟୀ ହୋଇଥିଲା
୨୦୧୭ – ୪ଟି ସିଟରେ ବିଜେପି ହାତ ଖାଲି ପଡିଥିଲା
ଶେଷରେ ୨୦୧୮ରେ ୧୦ଟି ଉପ-ନିର୍ବାଚନରେ ବିଜେପିକୁ ମିଳିଛି ମାତ୍ର ଗୋଟିଏ ସିଟ୍  । ତେବେ ବିଜେପି କ୍ଷମତାକୁ ଆସିବା ପରଠାରୁ ସର୍ବମୋଟ ୨୭ଟି ଉପ-ନିର୍ବାଚନ ସିଟରୁ ୫ଟି ଆସନ ପାଇବାରେ ସକ୍ଷମ ହୋଇଛି  ।
ତେବେ ବିଜେପିର ଏଭଳି ପ୍ରଦର୍ଶନ କ୍ଷେତ୍ରରେ ଜନସାଧାରଣଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଇ ବିଚଳିତ କରିଥିବା ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  । ଏବଂ ଏଭଳି ବିଚଳିତ କରିଛନ୍ତି ଯେ ଯାହା କ୍ଷେତ୍ରୀୟଦଳ ମାନେ ଦୁର୍ବଳ ବୋଲି ଭାବିଛନ୍ତି ଜନତା କିନ୍ତୁ ବର୍ତ୍ତମାନ ତାହାର ଉଚିତ ଜବାବ ମିଳୁଛି ଯେଉଁମାନେ ଜନତାଙ୍କୁ ଭକୁଆ ବନାଇବାକୁ ପ୍ରୟାସ କରୁଥିଲେ । ଅନ୍ୟପଟେ ବିଜେପି ଉପ-ନିର୍ବାଚନରେ ପରାଜୟକୁ ଏକ କଟୋକ୍ତି ମାଧ୍ୟମରେ ବଖାଣିଛନ୍ତି ଅଖିଳେଶ ଯାଦବ । ଅଖିଳେଶ କହିଛନ୍ତି ଯେ ଏହା ସେମାନଙ୍କର ପରାଜୟ ଯେଉଁମାନେ ଲୋକତନ୍ତ୍ର ଉପରେ ବିଶ୍ୱାସ ନ କରି ବିଭାଜନକାରୀ  ରାଜନୀତିକୁ ପ୍ରାଧାନ୍ୟ ଦିଅନ୍ତି । ଲୋକମାନେ ବିଜେପିକୁ ଉଚିତ୍ ଜବାବ  ଦେଇ, ଚାଷୀ, ଦଳିତ ଓ ଗରିବଙ୍କ ବିଜୟ ସହ ତୁଳନା କରିଛନ୍ତି ଅଖିଳେଶ ଯାଦବ । ତେବେ କଂଗ୍ରେସ ସହିତ ମେଣ୍ଟର ସଫଳତା ସାରା ଦେଶରେ ପ୍ରମାଣିତ ହେଉଥିବା କହିଛନ୍ତି ଅଖିଳେଶ  । ବିଏସପି, ଆରଏଏଲଡି,  ଆପ ଭଳି ଦଳମାନେ ଏକତ୍ରିତ ହୋଇ ଏହି ବିଜୟକୁ ସଫଳ କରାଇଛନ୍ତି ।
କର୍ଣ୍ଣାଟକରେ ବିଜେପି ସରକାର ଗଢ଼ିବା ସ୍ୱପ୍ନକୁ ଧୂଳିସାତ କରି ମେଣ୍ଟ କରିଥିବା କଂଗ୍ରେସ-ଜେଡିଏସ ସେଠାରେ ଶକ୍ତି ପ୍ରଦର୍ଶନ କରି ବିଜେପିକୁ ଏକପ୍ରକାର ଭୟଭୀତ କରାଇଥିଲେ । ତେବେ ଦିନକୁ ଦିନ ବିରୋଧୀ ଏକାଠି ହେଉଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗତ କିଛି ଦିନ ତଳେ କହିଥିଲେ ୨୦୧୯ ନିର୍ବାଚନରେ ବିରୋଧୀଙ୍କୁ ରୋକିବାକୁ ହେଲେ ୫୦ ପ୍ରତିଶତ ଭୋଟ ପାଇବା ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିବ । ସେହିଭଳି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର କଂଗ୍ରେସକୁ ଏକ ଦୁର୍ବଳ ଓ ବିଚଳିତ ଦଳଭାବେ ଗଣନା କରିଛନ୍ତି । ସମ୍ବିତ କହିଛନ୍ତି ଯେ ଲୋକତନ୍ତ୍ରରେ ଆଲୋଚନା କରିବାର ଅଧିକାର ସମସ୍ତଙ୍କର ଥାଇ ମଧ୍ୟ କଂଗ୍ରେସର ମନରେ ବିଜେପିକୁ ନେଇ ଭୟ ପସିଛି । ଯେଉଁଥିପାଇଁ ଅନ୍ୟଦଳ ମାନଙ୍କ ସହିତ ମେଣ୍ଟ କରୁଛି କଂଗ୍ରେସ  । ୨୦୧୪ ରୁ ୨୦୧୮ ମଧ୍ୟରେ ବିଜେପିର ଏଭଳି ଉପ-ନିର୍ବାଚନ ରିପୋର୍ଟରୁ ସ୍ପଷ୍ଟ ହେଉଛି ଯେ ନିଶ୍ଚିନ୍ତ ଭାବେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ଅପ୍ରାଣ ଉଦ୍ୟମ କରିବ ନଚେତ୍ ବିରୋଧୀଙ୍କ ମେଣ୍ଟ ଚକ୍ର ଭିତରେ ବିଜେପିର ଶ୍ୱାସରୁଦ୍ଧ ହେବା ସୁନିଶ୍ଚିତ ।