ବଢୁଛି କଂଗ୍ରେସର ପତିଆରା ! ୨୦୧୯ ନିର୍ବାଚନରେ କାମ ଦେବ କି ମୋଦି ମ୍ୟାଜିକ୍ ?

196

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅବିଶ୍ୱସନୀୟ ବାକଚାତୁର୍ଯ୍ୟ ଏବଂ ସାରା ଦେଶର ମୁଡକୁ ନିଜ ଆଡକୁ ଆକର୍ଷଣ କରିବାର ଦକ୍ଷତା, ଏବେ ସବୁଠୁ ବଡ ପରୀକ୍ଷାର ସାମ୍ନା କରିବାକୁ ଯାଉଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମ୍ । ଏହି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଏକ ଏସିଡ୍ ଟେଷ୍ଟ ହେବ । ଏହାର ସବୁଠୁ ବଡ କାରଣ ହେଉଛି, ଆଗକୁ ୨୦୧୯ ସାଧାରଣ ନିର୍ବାଚନ । ଏବଂ ଏହି ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ସାଧାରଣ ନିର୍ବାଚନର ମୁଡ୍ ସେଟ୍ କରିବ ବୋଲି କୁହାଯାଉଛି ।

ଇତି ମଧ୍ୟରେ ମୋଦି ସରକାରର ସାଢେ ୪ ବର୍ଷ ପୁରିବାକୁ ବସିଲାଣି । ଯଦିଓ ମୋଦିଙ୍କର ପ୍ରଭାବ ମଳିନ ପଡିଯାଇଛି ବୋଲି କହି ହେବ ନାହିଁ, ହେଲେ ଏଥିରେ ଯଥେଷ୍ଟ ପ୍ରଭାବ ପକାଇବାର ଆଶଙ୍କା ରହିଛି ଏହି ୫ଟି ରାଜ୍ୟର ନିର୍ବାଚନ ଫଳାଫଳ । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡକୁ ବିଶ୍ଲେଷଣ କଲେ, ଏହି ଫଳାଫଳରୁ କଂଗ୍ରେସ କିଛି ହରେଇବାର ନାହିଁ । କିନ୍ତୁ ହରାଇଲେ, ବିଜେପିକୁ ହିଁ ହରାଇବାକୁ ପଡିବ ।

୨ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ବିମୁଦ୍ରାକରଣ ନିଷ୍ପତ୍ତି ସାରା ଦେଶକୁ ଦୋହଲାଇ ଦେଇଥିଲା । ଆଉ ଏହି ନିଷ୍ପତ୍ତିକୁ ନେଇ ଏବେ ବି ବିତର୍କ ଲାଗିରହିଛି । କୁହାଯାଉଛି, ୨ ବର୍ଷ ପରେ ଏହି ୫ଟି ରାଜ୍ୟରେ ନିର୍ବାଚନ ଫଳାଫଳକୁ ବିମୁଦ୍ରାକରଣ ନିଷ୍ପତ୍ତି ପ୍ରଭାବିତ କରିବାକୁ ଯାଉଛି । ଅବଶ୍ୟ ବିମୁଦ୍ରାକରଣ ନିଷ୍ପତ୍ତି ପରେ ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପି ବିପୁଳ ବିଜୟ ଲାଭ କରିଥିଲା ।
ଆଉ ଗୋଟିଏ ଦିନ ପରେ ରାଜ୍ୟ ନିର୍ବାଚନ ଗୁଡିକର ଫଳାଫଳ ଆସିବ । ଆଉ ଏହି ଫଳାଫଳକୁ ବିଜେପି ଓ କଂଗ୍ରେସ ନେତା ମାନେ ଚାତକ ପରି ଚାହିଁ ବସିଛନ୍ତି । କେବଳ ବିଜେପି ଓ କଂଗ୍ରେସ ନୁହଁନ୍ତି ସାରା ଦେଶ ଏହି ଫଳାଫଳକୁ ଚାହିଁ ବସିଛି ।