କେନ୍ଦ୍ର କାନରେ ‘ଆବାସ’ କଳି: ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହେଉଥିବା ନେଇ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପାଖରେ ଫେରାଦ ହେଲେ ବିଜେପିର ସାଂସଦ ।

281

କନକ ବ୍ୟୁରୋ: ଦିଲ୍ଲୀରେ ପହଞ୍ଚିଲା ପିଏମଏୟାଇ ଅନିୟମିତତା କନ୍ଦଳ । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବଣା ହେଉଥିବା ଅଭିଯୋଗ ଦିଲ୍ଲୀ ଦରବାର ପହଞ୍ଚିଲା । କେନ୍ଦ୍ରମନ୍ତ୍ରୀଙ୍କ କାନରେ ପଡିଲା ରାଜ୍ୟରେ ପିଏମ ଆବାସ ଯୋଜନାରେ ଘର ବଣ୍ଟନରେ ଅନିୟମିତତା ହେଉଥିବା କଥା । ଘର ଆବଣ୍ଟନରେ ଘୋଟାଲା ନେଇ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପାଖରେ ଅଭିଯୋଗ କରିଛନ୍ତି ବିଜେପିର କିଛି ସାଂସଦ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପିର ସାଂସଦ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟାଲା ହେଉଥିବା ନେଇ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ପାଖରେ ଅଭିଯୋଗ କରିଛନ୍ତି । ତୋମାରଙ୍କୁ ଭେଟି ବିଜେପି ସାଂସଦ ଟିମ ଘଟଣାର ଯାଞ୍ଚ ପାଇଁ ଦାବି କରିଛନ୍ତି ।

ତେବେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ରାଜ୍ୟ ସରକାର ହିତାଧିକାରୀ ତାଲିକା ପ୍ରସ୍ତୁତ କରିବା ସହ ରାଜ୍ୟ ସରକାର ଯେଉଁ ପ୍ରଧାନମନ୍ତ୍ରୀ ଆବାସ ଯୋଜାନରେ ଘର ବଣ୍ଟନ କରୁଛନ୍ତି ତାହାକୁ କେନ୍ଦ୍ର ନାଁରେ କରନ୍ତୁ ବୋଲି ଦାବି ଜଣାଇଛନ୍ତି । ଏଥିସହ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ବଣ୍ଟନ କରିଥିବା ଘଟଣାର ବି ତଦନ୍ତ ହେଉ ବୋଲି ଦାବି କରିଛି ଟିମ୍ । ସେପଟେ ଆବାସ ଯୋଜନାକୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ତୁତୁ ମେମେ ଲାଗି ରହିଥିବା ବେଳେ ଆଜି କେନ୍ଦ୍ର ଯାଏଁ ଯାଇଛି ଏହି ଆବାସ କଳି ।