କ୍ଷମତା ଗଲା ପରେ ! ପତ୍ନୀଙ୍କ ପେନସନ ପାଇଁ ଅନଶନରେ ପୂର୍ବତନ ମୁଖ୍ୟ ସଚେତକ

38

କନକ ବ୍ୟୁରୋ : ପେନସନ୍ ଇବା ପାଇଁ ଅନଶନ । ପେନସନ୍ ପାଇଁ ଅନଶନରେ କୌଣସି ସାଧାରଣ ନାଗରିକ ବସିନାହାନ୍ତି, ବସିଛନ୍ତି ଜଣେ ପୂର୍ବତନ ବିଧାୟକ ତଥା ଶାସକ ଦଳର ପୂର୍ବତନ ମୁଖ୍ୟ ସଚେତକ । ସେ ହେଲେ ୭୫ ବର୍ଷ ବୟସ୍କ ଅଜୟ କୁମାର ଜେନା । ଶ୍ରୀ ଜେନା ବିଜୁ ପଟ୍ଟନାୟକଙ୍କ ଜନତା ଦଳ ସରକାରରେ ଶାସକ ଦଳ ମୁଖ୍ୟ ସଚେତକ ଥିବାବେଳେ ବ୍ରହ୍ମଗିରି ଅଂଚଳରୁ ଦୁଇ ଥର ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ ।

ଅଭିଯୋଗ ଅନୁଯାୟୀ, ଅଜୟଙ୍କ ସ୍ତ୍ରୀ ଅଶ୍ରୁକଣା ପ୍ରଧାନ ୧୦ ବର୍ଷ ତଳୁ ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ପଦବିରୁ ଅବସର ନେଲେଣି । ହେଲେ ଏପର୍ଯ୍ୟନ୍ତ ଅଶ୍ରୁକଣାଙ୍କ ଫାଇନାଲ୍ ପେନସନରୁ କାଟି ନିଆଯାଇଥିବା ଅର୍ଥକୁ ଫେରସ୍ତ କରୁନାହାନ୍ତି ସରକାର । ଏ ନେଇ ସେ ପ୍ରଶାସନିକ ନ୍ୟାୟାଧିକରଣ ବା ସ୍ୟାଟର ଦ୍ୱାରସ୍ଥ ହେଲା ପରେ ସ୍ୟାଟ୍ ବକେୟା ୬୫ ହଜାର ଟଙ୍କା ଫେରାଇ ଦେବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏପର୍ଯ୍ୟନ୍ତ ତାଙ୍କୁ ବକେୟା ଅର୍ଥ ମିଳିଲା ନାହିଁ ।

କୋର୍ଟ ଅବମାନ ମାମଲା ରୁଜୁ କଲା ପରେ ଓ ସ୍ୟାଟ୍ ନିର୍ଦ୍ଦେଶ ଦେବା ସତ୍ୱେ ଏହାକୁ ଖାତିର କରୁନି ସ୍କୁଲ ଓ ଗଣଶିକ୍ଷା ବିଭାଗ । ବାଧ୍ୟ ହୋଇ ସେ ସଚିବାଳୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ରଂଜନା ଚୋପ୍ରାଙ୍କ ଦପ୍ତର ଆଗରେ ଆଜିଠାରୁ ଅନଶନରେ ବସିଛନ୍ତି । ଅନ୍ୟପଟରେ ରୋଗଗ୍ରସ୍ତ ଅଶ୍ରୁକଣା ମଧ୍ୟ ବକେୟା ଅର୍ଥ ନ ପାଇ ଚିନ୍ତାରେ ଅଛନ୍ତି । ଜଣେ ପୂର୍ବତନ ସଚେତକ ଯେତେବେଳେ ପ୍ରଶାସନିକ ନାଲିଫିତାରେ ନ୍ୟାୟ ପାଇପାରୁନାହାନ୍ତି, ସେତେବେଳେ ସାଧାରଣ ନାଗରିକଙ୍କର ଅବସ୍ଥା ଯେ କ’ଣ ହେଉଥିବା ତାହା ସ୍ପଷ୍ଟ ହୋଇଯାଉଛି ।