ପଦ୍ମପୁର ଧାନ ଉପରେ ଆନ୍ଧ୍ର ବେପାରୀଙ୍କ ନଜର : ମଣ୍ଡିରେ ଅନିୟମିତତା ଯୋଗୁଁ ଗାଁ ଦାଣ୍ଡରୁ ଶାଗମାଛ ଦରରେ ଧାନ କିଣି ନେଉଛି ଦଲାଲ, କ୍ଷତି ସହୁଛି ଚାଷୀ

94

କନକ ବ୍ୟୁରୋ : ଚାଷ କାମ ଯାହାର କେଡେ ସୁଖ ତାହାର” ବୋଲି କଥାରେ ଅଛି କିନ୍ତୁ ଧାନ ଚାଷ କରି ପଦ୍ମପୁର ଅଞ୍ଚଳର ଚାଷୀ ଏବେ ହରଡଘଣାରେ । ଅମଳ ଧାନକୁ ମଣ୍ଡୀରେ ବିକ୍ରି କରି ଦୁଇ ପଇସା ରୋଜାଗାର କରିବି ବୋଲି ଆଶା ରଖିଥିବା ବେଳେ ଧାନ ମଣ୍ଡି ଖୋଲୁ ନଥିବା ଯୋଗୁଁ ଚିନ୍ତାରେ ଚାଷୀ । ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ଚାଷୀ ଧାନ ଚାଷ କରୁଥିବାବେଳେ , କମ ଦାମରେ ଧାନ ବିକ୍ରି କରି ବାକୁ ବାଧ୍ୟ ହୋଇ ଅଭାବ ବିକ୍ରିର ଶିକାର ହେବାକୁ ପଡିଛି ଚାଷୀଙ୍କୁ ।

ରାୟଗଡା ଜିଲ୍ଲାର ଭାତ ହାଣ୍ଡି ଭାବେ ପରିଚିତ ପଦ୍ମପୁର ବ୍ଲକ । ଖରିଫ ଓ ରବି ଧାନ କରି ଏ ଅଂଚଳର ଚାଷୀ ବେଶ ଲାଭବାନ ହୋଇଥାନ୍ତି । କିନ୍ତୁ ଚଳିତବର୍ଷ ଏହି ବ୍ଲକର ଆଖୁସିଙ୍ଘ ଓ ଖିଲାମୁଣ୍ଡା ଅଂଚଳରେ ଦେଢ ହଜାରରୁ ଅଧିକ ହେକ୍ଟର ଜମିରେ ଧାନ ଚାଷ କରି ଏବେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ମଣ୍ଡି ଥାଇ ବି ନଥିବା ସଙ୍ଗେ ସମାନ ବୋଲି କହିଛନ୍ତି ଚାଷୀ ।

ମଣ୍ଡି ସମସ୍ୟା ଯୋଗୁଁ ଅମଳ ପରେ ତତ୍କାଳ ଧାନ ବିକ୍ରି ପାଇଁ ଆନ୍ଧ୍ର ବ୍ୟବସାୟୀଙ୍କ ଉପରେ ନିର୍ଭର କରୁଛନ୍ତି ଚାଷୀ । ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଠାରୁ କମ୍ ଦରରେ ଆନ୍ଧ୍ର ଧାନ ଦଲାଲଙ୍କୁ ବିକ୍ରି କରୁଛନ୍ତି ଆଉ କ୍ଷତି ସହୁଛନ୍ତି । ଗାଁ ଦାଣ୍ଡରେ ଧାନକୁ ପାଲ ଢାଙ୍କି ଚାଷୀ ରଖିଥିବା ବେଳେ ଆନ୍ଧ୍ର ଦଲାଲଙ୍କ ଲୋଲୁପ ଦୃଷ୍ଟି ପଡିଛି ।

ମଣ୍ଡିରେ ବିକ୍ରି କରିବା ପାଇଁ ଅମଳ ଧାନକୁ ସୁରକ୍ଷିତ ରଖିବା ଯେତିକି ଚିନ୍ତାଜନକ ତା’ଠାରୁ ଅଧିକ ଚିନ୍ତାର ବିଷୟ ଚାଷ ପାଇଁ ଆଣିଥିବା ଋଣ ପରିଶୋଧ କରିବା ।