ମାସିକ ଧର୍ମରେ ବିଳମ୍ବ ହେଲେ, କରନ୍ତୁ ଘରୋଇ ଉପଚାର !

101

ସବୁ ମହିଳାଙ୍କୁ ସମ୍ପୂର୍ଣ୍ଣ ହେବା ଦିଗକୁ ନେଇଥାଏ ମାସିକ ଧର୍ମ । ଏହା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହଯ୍ୟ କରିଥାଏ । କିନ୍ତୁ ଆଜିକାଲି ଏଥିରେ ଅନେକ ସମସ୍ୟା ହେଉଥିବା ଦେଖିବାକୁ ମିଳୁଛି । ବଢ଼ୁଥିବା ପ୍ରଦୂଷଣ ନାରୀମାନଙ୍କ ଶରୀର ଉପରେ ପ୍ରଭାବ ପକାଉଥିବା ସହ ସେମାନଙ୍କ ମାସିକ ଧର୍ମକୁ ଠିକ୍‌ ସମୟରେ ହେବାରୁୁ ରୋକୁଥିବା ଜଣାପଡ଼ିଛି । ଏବେ ଅଧାରୁ ଅଧିକ ମହିଳାଙ୍କୁ ଏହି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏହି ଅସୁବିଧାରୁ ନିଜକୁ ଦୂରରେ ରଖିବା ପାଇଁ ମହିଳାମାନେ ଡ଼ାକ୍ତରଙ୍କ ପରାମର୍ଶ ଅନୁସାରେ ଓଷଧ ଖାଉଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇ ପାରୁ ନାହିଁ । ଏହା ସହ କିଛି ମହିଳା ଏପରି ହେବାର ପ୍ରକୃତ କାରଣ ଜାଣି ନ ପାରିବାରୁ ନିରାକରଣ ପାଇଁ ସଠିକ୍‌ ଚିକିତ୍ସା ମଧ୍ୟ କରି ପାରୁ ନାହାନ୍ତି । ତେବେ ଆଜି ଆମେ ଏପରି ଅସୁବିଧାର ସମ୍ମୁଖୀନ ହେଉଥିବା ମହିଳାମାନଙ୍କୁ ମାସିକ ଧର୍ମରେ ବିଳମ୍ବ ହେବାର କାରଣ ଏବଂ ଏହାର ଘରୋଇ ଉପଚାର ବିଷୟରେ ଜଣାଇବୁ ।

• ଅଧିକ ଓଜନ ହ୍ରାସ ହେବା ବା ଶରୀରର ଓଜନ ଅଧିକ ରହିବା ହେଉଛି ମାସିକ ଧର୍ମ ବିଳମ୍ବ ହେବାର ମୁଖ୍ୟ କାରଣ ।
• ଦରକାରଠାରୁ ଅଧିକ ବ୍ୟାୟାମ କଲେ ମାସିକ ଧର୍ମ ବିଳମ୍ବିତ ହୋଇଥାଏ । ସେଥିପାଇଁ ଆଥ୍‌ଲେଟ୍‌ମାନଙ୍କର ମାସିକ ଧର୍ମ ପ୍ରାୟ ବିଳମ୍ବ ହୋଇଥାଏ ।
• ବିଭିନ୍ନ କଥା ପାଇଁ ଚିନ୍ତିତ ରହିବା ଦ୍ୱାରା ହର୍‌ମୋନ ସନ୍ତୁଳନ ରହି ନ ଥାଏ । ଯାହାଫଳରେ ମାସିକ ଧର୍ମରେ ବିଳମ୍ବ ହୋଇଥାଏ ।
• ଗର୍ଭ ନିରୋଧକ ଓଷଧ ଖାଇବା ଦ୍ୱାରା ବିଳମ୍ବ ହେବାର ଆଶଙ୍କା ଅଧିକ ଥାଏ ।

ବିଳମ୍ବ ହେବାର ଆଉ ଏକ ମୁଖ୍ୟ କାରଣ ହେଉଛି ପଲିସିଷ୍ଟିକ୍‌ ଓଭାରୀ ସିନ୍‌ଡ଼୍ରମ୍‌ । ଏହା ହେବା ଦ୍ୱାରା ମହିଳାମାନଙ୍କର ହର୍‌ମୋନରେ ଅସନ୍ତୁଳନ ଦେଖା ଯାଇଥାଏ । ଯାହାଦ୍ୱାରା ମାସିକ ଧର୍ମରେ ବିଳମ୍ବ ହେବା ସହ ମାସିକ ଧର୍ମ ସମୟରେ ମଧ୍ୟ ଅସୁବିଧା ଦେଖା ଯାଇଥାଏ ।

ତେବେ ଏ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଘରୋଇ ଉପଚାର ଆପଣେଇ ପାରିବେ ।
• ଗାଜର ରସ :ମାସିକ ଧର୍ମକୁ ଠିକ୍‌ କରିବାରେ ସାହାଯ୍ୟ କରିଥାଏ ଗାଜର ରସ । ଏହି ରସକୁ ପିଇବା ଦ୍ୱାରା ହର୍‌ମୋନର ସ୍ତର ଠିକ୍‌ ରହିଥାଏ । ଏଥିରେ ଭିଟାମିନ୍‌ A, ଭିଟାମିନ୍‌ K, ପୋଟାସିୟମ, ମୋଲିବ୍‌ଡ଼େନମ୍‌, ଡ଼ାଏଟ୍ରି ଫାଇବର, ଭିଟାମିନ୍‌ C, ଭିଟାମିନ୍‌ B6,ଭିଟାମିନ୍‌ B2,ଭିଟାମିନ୍‌ E, ଆଇରନ୍‌, କପର, ଫସ୍‌ଫରସ୍‌ ଇତ୍ୟାଦି ରହିଥାଏ । ଏଥିରେ ଆଇରନ୍‌ର ପରିମାଣ ଅଧିକ ଥିବାରୁ ମାସିକ ଧର୍ମକୁ ବିଳମ୍ବ ହେବାରୁ ରୋକି ଥାଏ । ଦିନକୁ ଦୁଇ ଥର ଗାଜର ରସ ପିଇବା ଦ୍ୱାରା ୩ ସପ୍ତାହ ମଧ୍ୟ ଫରକ ଜଣା ପଡ଼ିଥାଏ ।

• ଅଦା : ଦୈନଦିନ ଜୀବନରେ ଲୋକମାନେ ଅଦାକୁ ବ୍ୟବହାର କରିଥାଆନ୍ତି । ଚା’ ହେଉ ବା ତରକାରୀ ସବୁଥିରେ ଏହାକୁ ବ୍ୟବହାର କରାଯାଇଥାଏ । ତେବେ ମାସିକ ଧର୍ମ ଠିକ୍‌ କରିବାରେ ଅଦାର ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି । ଏହାକୁ ଖାଇବା ଦ୍ୱାରା ମାସିକ ଧର୍ମ ଠିକ୍‌ ହେବା ସହ ସେ ସମୟରେ ମହିଳାମାନଙ୍କର ହେଉଥିବା ପେଟ ଯନ୍ତ୍ରଣାକୁ ମଧ୍ୟ ଏହା କମ୍‌ କରିଥାଏ । ଏଥିରେ ଭିଟାମିନ୍‌ C, ମ୍ୟାଗ୍‌ନେସିୟମ,ପୋଟାସିୟମ,କପର ଏବଂ ମାଙ୍ଗାନିଜ୍‌ ରହିଥିବା ବେଳେ ମାଙ୍ଗାନିଜ୍‌ କ୍ୟାନ୍‌ସର ହେବା ଆଶଙ୍କାକୁ କମ କରିଥାଏ । ପ୍ରତି ଦିନ ଅଦାକୁ ଗୋଟେ କପ ପାଣିରେ ୧୦ମିନିଟ୍‌ ପର୍ଯ୍ୟନ୍ତ ଫୁଟାଇ ସାରିବା ପରେ ସେଥିରେ ଚିନି ମିଶାନ୍ତୁ । ଏହା ପରେ ଏହି ମିଶ୍ରଣକୁ ଦିନକୁ ୪ ଥର କରି ଖାଇବା ପରେ ପିଅନ୍ତୁ ।

• ହଳଦୀ : ନିଜର ଓଷଧୀୟ ଗୁଣ ପାଇଁ ଜଣାଶୁଣା ଥିବା ହଳଦୀକୁ ମଧ୍ୟ ଆପଣ ମାସିକ ଧର୍ମ ଠିକ୍‌ କରିବାରେ ବ୍ୟବହାର କରି ପାରିବେ । ଏଥିରେ ଭିଟାମିନ୍‌ B6, ସୋଡ଼ିୟମ, ଫ୍ୟାଟି ଏସିଡ଼୍‍ ଏବଂ ଆମିନୋ ଏସିଡ଼୍‍ ରହିଥାଏ, ଯାହା ପେଟର ଯନ୍ତ୍ରଣା, ଡ଼ାଇରିଆ, ଜଣ୍ଡିସ୍‌ ଇତ୍ୟାଦି ରୋଗରୁ ମୁକ୍ତି ଦେଇଥାଏ । ପ୍ରତିଦିନ ଗୋଟେ ଗ୍ଲାସ ଖୀରରେ ହଳଦୀ ଏବଂ ମହୁ ମିଶାଇ ପିଇବା ଦ୍ୱାରା ମାସିକ ଧର୍ମ ବିଳମ୍ବ ହେବା ସମସ୍ୟା କିଛି ମାସରେ ଦୂର ହୋଇଯାଇଥାଏ ।