କେନ୍ଦୁଝରରେ ଅଭାବନୀୟ ଘଟଣା, ଖେଳ ହେଲା କାଳ । ଲୁହାଛଡ ଧରି ଖେଳୁ ଖେଳୁ ନାବାଳକ ଛାତିରେ ପଶିଗଲା ଲୁହାରଡ୍

ଗୁରୁତର ଅବସ୍ଥାରେ କଟକ ଏସସିବିରେ ଭର୍ତ୍ତି

173

କନକ ବ୍ୟୁରୋ: ଖେଳ ହେଲା କାଳ । ନାବାଳକ ଛାତିରେ ଗଳିଗଲା ଲୁହାଛଡ । ଏଭଳି ଅଘଟଣ ଘଟିଛି କେନ୍ଦୁଝରରେ । ଗତକାଲି ଅପରାହ୍ନ ପ୍ରାୟ ୫ଟାରେ କେନ୍ଦୁଝରର ନନ୍ଦ କିଶୋର ମହାକୁଡଙ୍କ ବଡ ପୁଅ ଚନ୍ଦନ ମହାକୁଡ ଖେଳୁଥିବା ସମୟରେ ଏହି ଅଘଟଣ ଘଟିଛି ।

ସୂଚନା ଅନୁଯାୟୀ, ଗତକାଲି ଅପରାହ୍ଣ ପ୍ରାୟ ୫ଟାରେ ଚନ୍ଦନ ୪-୫ ଫୁଟର ଏକ ଲୁହାଛଡ଼ ଧରି ଘର ନିକଟରେ ଖେଳୁଥିଲେ। ଖେଳୁ ଖେଳୁ ସେ ପଡ଼ିଯାଇଥିଲେ। ଏହି ସମୟରେ ଲୁହାଛଡ଼ଟି ତାଙ୍କ ଛାତିରେ ପଶି ଯାଇଥିଲା। ଚିତ୍କାର ଶୁଣି ଘର ଲୋକେ ଧାଇଁ ଆସିଥିଲେ। ପୁଅର ଅବସ୍ଥା ଦେଖି ହଠାତ କ’ଣ କରିବେ ବୁଝିପାରିନଥିଲେ। ସଙ୍ଗେସଙ୍ଗେ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡାକ୍ତର କଟକ ବଡ଼ଡାକ୍ତରଖାନାକୁ ନେଇଯିବାକୁ ପରାମର୍ଶ ଦେଇଥିଲେ। ତେଣୁ ତାଙ୍କୁ ସଂଗେସଂଗେ କଟକକୁ ସ୍ଥାନାନ୍ତରିତ କରାଯାଇଛି। ନନ୍ଦକିଶୋରଙ୍କ ଘର ଘଟଗାଁ ଥାନା ବାଇଗଣପାଳ ଗ୍ରାମରେ। ସେ ଗତ ପ୍ରାୟ୫ ବର୍ଷ ହେବ ଟାଉନ ଥାନା ଅଧୀନ ଡିମ୍ବୋ ଗ୍ରାମରେ ରହି ଅଟୋ ଚଳାଉଛନ୍ତି। ଏଠାରେ ତାଙ୍କ ପତ୍ନୀ ଓ ଦୁଇ ପୁଅଙ୍କ ସହିତ ରହୁଥିଲା ବେଳେ ଏପରି ଅଘଟଣ ଘଟିଛି।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଜୁନ୍ ମାସରେ ଏମିତି ଏକ ଘଟଣା ଘଟଗାଁ ନିକଟ ଧାଙ୍ଗଡ଼ଡିହାରେ ଘଟିଥିଲା। ଗଛରେ ଚଢ଼ି ଜାମୁକୋଳି ଖାଉଖାଉ ଜଣେ ନାବାଳକ ପଡ଼ିଯିବାରୁ ଛାତିରେ କାଠ ଖୁଣ୍ଟି ଗଳିଯାଇଥିଲା। ପରେ କଟକରେ ଅସ୍ତ୍ରୋପଚାର କରି କାଠଟିକୁ ବାହାର କରାଯାଇଥିଲା।