ପୁଣି ବିବାଦରେ ଆରଜେଡି ମୁଖ୍ୟ ଲାଲୁ : ରେଳବାଇ ହୋଟେଲ ଆବଂଟନ ଦୁର୍ନୀତି ମାମଲାରେ ଇଡି କଲା ଚାର୍ଜସିଟ୍ ।

19

କନକ ବ୍ୟୁରୋ : ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ମୁସ୍କିଲ ବଢିବାରେ ଲାଗିଛି । ରେଳବାଇ ହୋଟେଲ ଆବଂଟନ, ଆଇଆରସିଟିସି ଦୁର୍ନୀତି ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଲାଲୁ ଯାଦବଙ୍କ ନାଁରେ ଚାର୍ଜସିଟ ଦାଖଲ କରିଛି । ଏହା ସହ ଲାଲୁଙ୍କ ସ୍ତ୍ରୀ ରାବ୍ରୀ ଦେବୀ, ପୁଅ ତେଜସ୍ୱୀ ଯାଦବ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରେମଚନ୍ଦ ଗୁପ୍ତାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି । ଅଭିଯୋଗ ଅନୁସାରେ, ଅହେତୁକ ଅନୁକମ୍ପା ଦେଖାଯାଇ ରେଳବାଇର ପୁରୀ ଓ ରାଂଚିର ଦୁଇଟି ହୋଟଲେକୁ ଘରୋଇ କମ୍ପାନୀକୁ ଦିଆଯାଇଥିଲା । ୨୦୦୪ରୁ ୨୦୦୯ ମଧ୍ୟରେ ୟୁପିଏ ସରକାର ସମୟରେ ଲାଲୁ କେନ୍ଦ୍ର ରେଳମନ୍ତ୍ରୀ ଥିବାବେଳେ ପଦର ଅପବ୍ୟବହାର କରି ଏହି ଆବଂଟନ କରିଥିଲେ । ଆଇ ଏଥିରେ ସହାୟତା କରିଥିଲେ ତତକାଳୀନ ସରକାରରେ କେନ୍ଦ୍ରମନ୍ତ୍ରୀ ଥିବା ପ୍ରେମଚନ୍ଦ ଗୁପ୍ତା ।

 

ପ୍ରେମଚନ୍ଦ ଗୁପ୍ତା ସଂପୃକ୍ତ କମ୍ପାନୀର ସେୟାରକୁ ରାବ୍ରୀ ଓ ତେଜସ୍ୱୀ ଯାଦବଙ୍କ ନାଁରେ ଟ୍ରାନ୍ସଫର କରିଥିବା ଅଭିଯୋଗ ହୋଇଥିଲା । ତେବେ ଏହି ମାମାଲା ସ୍ପେଶାଲ ଜଜ ଅରବିନ୍ଦ କୁମାର ଏପରି ମାମଲାର ବିଚାର କରିଥିବା ଜଣାପଡିଛି । ତେବେ ଗୋଟିଏ ପରେ ଗୋଟିଏ ମାମଲାରେ ଲାଲୁ ଲଗାତାର ଭାବରେ ଛନ୍ଦି ହୋଇ ରହିଛନ୍ତି । ତେବେ ନିକଟରେ ଲାଲୁଙ୍କର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଅବନତି ଦେଖାଦେଇ ଥିବାରୁ ସେ କୋର୍ଟରେ ତାଙ୍କ ଉପରେ ଲଗାଯାଇଥିବା ମାମଲା ଗୁଡିକରେ ବେଲ ଦେବା ପାଇଁ ଅନୁରୋଧ କରିଥିଲେ ।