ନେହୁରା ହେଉଛନ୍ତି ନର୍ଗିସ୍ ! ଓଡିଶାରେ ବନ୍ଧା ପଡିଛି ଇରାନୀ ଝିଅ

46

ଦୁଇ ବର୍ଷ ହେଲା ଆମ ଦେଶରେ ବନ୍ଧକ ଅଛନ୍ତି ଜଣେ ଇରାନୀ ଯୁବତୀ ନର୍ଗିସ୍ ଆସ୍ଥାରୀ । କାରଣ ତାଙ୍କ ନାଁରେ କୋର୍ଟରେ ଚାଲିଛି ମାମଲା । ୨ ବର୍ଷ ହେଲା ଏହି ମାମଲାରେ ଫଇସଲା ହୋଇ ପାରୁନି କି ସେ ନିଜ ଦେଶକୁ ଫେରି ପାରୁନାହାଁନ୍ତି । ରାୟଗଡା କୋର୍ଟକୁ ଦୌଡି ଦୌଡି ନୟାନ୍ତ ହେଲେଣି ଏହି ଇରାନୀ ଯୁବତୀ ।

କଣ ରହିଛି ନର୍ଗିସଙ୍କ ବିରୋଧରେ ଅଭିଯୋଗ :

vlcsnap-2016-10-10-18h30m34s667୧୭ ନଭେମ୍ବର ୨୦୧୪ରେ ନିଜ ଅନୁଷ୍ଠାନର କିଛି ଦିବ୍ୟାଙ୍ଗ ପିଲାଙ୍କୁ ନେଇ ନାଗାବଳୀ ନଈକୂଳକୁ ନର୍ଗିସ୍ ଆସିଥିଲେ ପିକନିକ୍ ପାଇଁ । ଏହି ସମୟରେ ଅନୁଷ୍ଠାନର ଜଣେ କର୍ମଚାରୀଙ୍କ ପିଲା ଭାସିଗଲା ନାଗାବଳୀ ନଈରେ । ଯାହାର ପତ୍ତା ଆଜି ପର୍ଯ୍ୟନ୍ତ ମିଳି ପାରିନାହିଁ । ସେପଟେ ନିଖୋଜ ପିଲାର ବାପା ଥାନାରେ ଏନେଇ କେସ୍ କଲେ। ଆଉ ନର୍ଗିସଙ୍କ ବିରୋଧରେ ଲାଗିଲା ଦଫା ୩୦୪(ଏ) । ଯାହାର ଅର୍ଥ ହେଲା ନିଜ ଅବହେଳା ଯୋଗୁଁ ପିଲାର ଜୀବନ ଗଲା । ବାସ୍ ସେଦିନ ପର ଠାରୁ ନର୍ଗିସ୍ କାଟୁଛନ୍ତି କୋର୍ଟର ଚକ୍କର । ସେପଟେ ଇରାନ୍ ଦୂତାବାସ ବି ନର୍ଗିସଙ୍କ ପାଇଁ ଚିନ୍ତାରେ । ମାମଲା କେଉଁ ପର୍ଯ୍ୟାୟରେ ପହଂଚିଛି ଓ ଫଇସଲା ପାଇଁ କେତେଦିନ ଲାଗିବ ସେନେଇ ଜାଣିବାକୁ ଦିଲ୍ଲୀରୁ ଆସିଛନ୍ତି ଇରାନ୍ ଦୂତାବାସର ଜେନେରାଲ୍ କାଉନସିଲ୍ ।

ଦିନେ ଗରିବ ପିଲାଙ୍କ ଭୋକିଲା ଚେହେରା ତାଙ୍କୁ ଭାବବିହ୍ୱଳ କରିଥିଲା ତେଣୁ ଦରିଆ ପାରିରୁ ଚାଲି ଆସିଥିଲେ ଦୁର୍ଗମ ଅଂଚଳକୁ । ସୁଦୂର ଇରାନ୍ ଛାଡି ନିଜ କର୍ମଭୂମି ଭାବେ ବାଛିଥିଲେ ରାୟଗଡାର ପାହାଡି ଇଲାକାକୁ । ଇରାନର ସ୍ୱେଚ୍ଛାସେବୀ ନର୍ଗିସ୍ ଆସ୍ଥାରୀ । ଦିବ୍ୟାଙ୍ଗ ଶିଶୁଙ୍କୁ ନେଇ ଗଢିଥିଲେ ନିଜ ସ୍ୱପ୍ନର ଅନୁଷ୍ଠାନ । କିନ୍ତୁ ଏବେ ବଦଳି ଯାଇଛି ନର୍ଗିସଙ୍କ ଜୀବନ । ଆଇନର ଜାଲରେ ଛନ୍ଦି ହୋଇ ପଡିଛନ୍ତି ସେ । ସମନ୍ ପରେ ସମନ୍ । ତାରିଖ ପରେ ତାରିଖ । ହେଲେ ମାମଲାର ଫଇସଲା ହୋଇ ପାରୁନି । ଫଳରେ ନା ମିଳି ପାରୁଛି ଭିସା ନା ସେ ଫେରି ପାରୁଛନ୍ତି ନିଜ ଦେଶକୁ ।

ମୁଖ୍ୟମନ୍ତ୍ରୀଙ୍କ ଠାରୁ ବୈଦେଶିକ ମନ୍ତ୍ରୀ । ରାୟଗଡା କୋର୍ଟରୁ ସୁପ୍ରିମକୋର୍ଟ । ମାମଲାର ଫଇସଲା ପାଇଁ ନର୍ଗିସ ହୋଇଛନ୍ତି ନେହୁରା । ହେଲେ କେବଳ ମିଳି ଚାଲିଛି ତାରିଖ ପରେ ତାରିଖ, ଯାହା ଅତିଥି ଦେବୋ ଭବଃ ସ୍ଲୋଗାନକୁ ପରିହାସ କରୁଛି ।